ଭୁବନେଶ୍ୱର : କରୋନା କଟକଣା ମଧ୍ୟରେ ଏଥର ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜରେ ସାଧାରଣତନ୍ତ୍ର ଦିବସ ପାଳନ କରାଯିବ । ସ୍ବାଧୀନତାର ୭୫ ବର୍ଷ ପୂର୍ତ୍ତି ଉପଲକ୍ଷେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଆୟୋଜିତ ଆଜାଦି କା ଅମ୍ରିତ୍ ମହୋତ୍ସବକୁ ସଫଳତାର ସହ ଶିକ୍ଷାନୁଷ୍ଠାନରେ ପାଳନ କରିବାକୁ ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ନିର୍ଦେଶ ଦିଆଯାଇଛି । ଏଥିସହ ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ନ୍ୟାସନାଲ ଯୋଗାସନ ସ୍ପୋର୍ଟସ ଫେଡରେସନ(ଏନ୍ୱାଇଏସ୍ଏଫ୍) ସହଯୋଗରେ ୭୫ କୋଟି ସୂର୍ଯ୍ୟ ନମସ୍କାର ପ୍ରକଳ୍ପ କାର୍ଯ୍ୟକାରୀ କରାଯାଉଛି । ସେହି ଅନୁଯାୟୀ ଜାନୁଆରି ୨୬ରେ ଶିକ୍ଷାନୁଷ୍ଠାନରେ ପାଳିତ ହେବାକୁ ଥିବା ସାଧାରଣତନ୍ତ୍ର ଦିବସରେ ସୂର୍ଯ୍ୟ ନମସ୍କାର କାର୍ଯ୍ୟକ୍ରମ କରାଯିବ । ସଙ୍ଗୀତର ଧୂନ ସହ ତ୍ରିରଙ୍ଗା ସମ୍ମୁଖରେ ସୂର୍ଯ୍ୟ ନମସ୍କାର କରିବାକୁ ଦେଶର ୩୦ ହଜାର ଶିକ୍ଷାନୁଷ୍ଠାନକୁ ପରାମର୍ଶ ଦିଆଯାଇଛି । ଏଥିରେ ଶିକ୍ଷାନୁଷ୍ଠାନର ଛାତ୍ରଛାତ୍ରୀ, ଅଧ୍ୟାପକ ଓ ଷ୍ଟାଫ୍ କିଭଳି ଭାଗ ନେଇ ପାରିବେ, ଏଥିସହ ଆୟୁଷ ମନ୍ତ୍ରଣାଳୟ ଦ୍ବାରା ଜାରି ଗାଇଡ୍ଲାଇନ୍ ପାଳନ କରିବା ଦିଗରେ ପଦକ୍ଷେପ ନେବାକୁ ୟୁଜିସି ପକ୍ଷରୁ ଦେଶର ସମସ୍ତ ବିଶ୍ବବିଦ୍ୟାଳୟ କୁଳପତି ଓ କଲେଜ ଅଧ୍ୟକ୍ଷମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଉଚ୍ଚ ଶିକ୍ଷାନୁଷ୍ଠାନରେ ସାଧାରଣତନ୍ତ୍ର ଦିବସ କିଭଳି ପାଳନ କରାଯିବ, ସେନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଏସ୍ଓପି ଜାରି ହୋଇଛି । ସେଥିରେ ଉଲ୍ଲେଖ ହୋଇଛି ଯେ ସକାଳ ୯ଟା ୩୦ ସୁଦ୍ଧା ସାଧାରଣତନ୍ତ୍ର ଦିବସର ପତାକା ଉତ୍ତୋଳନ କାର୍ଯ୍ୟକ୍ରମ ଶେଷ ହେବ । କୋଭିଡ୍ ସ୍ଥିତିକୁ ଦେଖି ଭର୍ଚୁଆଲ କିମ୍ବା ଫିଜିକାଲ ମୋଡ୍ରେ କାର୍ଯ୍ୟକ୍ରମ କରାଯିବ ଏବଂ ସମସ୍ତ ଶିକ୍ଷକ, କର୍ମଚାରୀ, ଛାତ୍ରଛାତ୍ରୀ ଏଥିରେ ଉପସ୍ଥିତ ରହିବେ । ନ୍ୟାସନାଲ ୱାର୍ ମେମୋରିଆଲ୍(ଏନ୍ଡବ୍ଲୁଏମ୍) କିମ୍ବା ଏଥିସହ ଜଡ଼ିତ ଥିବା କୌଣସି ଭିଡ଼ିଓ ସମସ୍ତଙ୍କ ନିକଟରେ ପହଞ୍ଚାଯିବ । ସ୍ବାଧୀନତାର ୭୫ ବର୍ଷ ପାଳନ କରାଯାଉଥିବାରୁ ସମସ୍ତ ଶିକ୍ଷାନୁଷ୍ଠାନ ନିଜର କ୍ରାଫ୍ଟ ପ୍ରୋଜେକ୍ଟ ପ୍ରସ୍ତୁତ କରିବା ସହ ସେଗୁଡ଼ିକୁ ସୀମାରେ ଥିବା ଯବାନଙ୍କ ନିକଟକୁ ପଠାଇବେ । କ୍ରାଫ୍ଟ ପଠାଇବା ଲାଗି ପ୍ରତିରକ୍ଷା ମନ୍ତ୍ରାଳୟ ପକ୍ଷରୁ କେନ୍ଦ୍ରୀୟସ୍ତରରେ ଏକ ସ୍ବତନ୍ତ୍ର ପରିଚାଳନା ବ୍ୟବସ୍ଥା ହେବ । ଯଦି ଶିକ୍ଷାନୁଷ୍ଠାନ ବନ୍ଦ ରହିଥାଏ, ତେବେ ପିଲାମାନେ ନିଜ ଘରେ ଏହାକୁ କରିବାକୁ ଶିକ୍ଷାନୁଷ୍ଠାନ କର୍ତୃପକ୍ଷ ଉତ୍ସାହିତ କରିବେ । ପ୍ରୋଜେକ୍ଟଗୁଡ଼ିକୁ ଆରଡିସି ୱେବସାଇଟ୍ରେ ଶିକ୍ଷାନୁଷ୍ଠାନ ନାମ ସହ ପ୍ରଦର୍ଶିତ କରାଯିବ । ଶ୍ରେଷ୍ଠ ବିବେଚିତ କ୍ରାଫ୍ଟକୁ ଜାତୀୟସ୍ତରରେ ପୁରସ୍କୃତ କରାଯିବାର ବ୍ୟବସ୍ଥା ରହିଛି । ସାଧାରଣତନ୍ତ୍ର ଦିବସ ଉପରେ ୫ଟି ବିଷୟବସ୍ତୁକୁ ନେଇ ଜାନୁଆରି ୨୫ ସୁଦ୍ଧା ଶିକ୍ଷାନୁଷ୍ଠାନରେ ବକ୍ତୃତା, ନାଟକ, ପ୍ରବନ୍ଧ ଲିଖନି ଆଦି କରିବାକୁ ପରାମର୍ଶ ଦିଆଯାଇଛି । କୋଭିଡ୍ ଗାଇଡ୍ଲାଇନ୍ ମଧ୍ୟରେ ଉକ୍ତ କାର୍ଯ୍ୟକ୍ରମ କରିବାକୁ ୟୁଜିସି ଅଧୀନ ସମସ୍ତ ବିଶ୍ବବିଦ୍ୟାଳୟ ଓ କଲେଜଗୁଡ଼ିକୁ ନିର୍ଦେଶ ଦିଆଯାଇଛି ।
