ସଂକ୍ରମଣ ରୋକିବାକୁ କଟକଣା କଡାକଡି ହେବା ସତ୍ତ୍ୱେ ବି ରାଜ୍ୟରେ ଭିଡ଼ କମିବାର ନାଁ ଧରୁନି, ମନଇଚ୍ଛା ଭିଡ଼ ଜମାଉଛନ୍ତି ଲୋକେ

ପାଟଣା : କେନ୍ଦୁଝର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ଥମିବାର ନାଁ ନେଉନାହିଁ । ଓମିକ୍ରନ ଭାରିଆଣ୍ଟ ଥିବା ଆକ୍ରାନ୍ତ ବି ଚିହ୍ନଟ ହେଉଛନ୍ତି । ସରକାର ସାରା ରାଜ୍ୟରେ ସଂକ୍ରମଣ ରୋକିବାକୁ କଟକଣା କଡାକଡି କରିଛନ୍ତି । ଜନଗହଳି ନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି । ତେବେ ପାଟଣା ଓ ସାହରପଡା ଅଞ୍ଚଳରେ ଏହାର ବିପରୀତ ଦୃଶ୍ୟ ଦେଖିବାକୁ ମିଳିଛି । ଲୋକେ ମନଇଚ୍ଛା ଭିଡ଼ ଜମାଉଛନ୍ତି । କୋଭିଡ ସଂକ୍ରମଣ କମାଇବା ପାଇଁ ଜିଲ୍ଲାରେ ଜାନିଯାତ୍ରା ବନ୍ଦ କରିଛନ୍ତି । ତେବେ ମକର ପାଇଁ ପାଟଣା ବ୍ଲକ ଚେମେଣା ପଞ୍ଚାୟତ ଚିଲିଦା ଠାରେ ମକର ମେଳା ସାଙ୍ଗକୁ ଝୁମର କାର୍ଯ୍ୟକ୍ରମ ଆୟୋଜନ ହୋଇଛି । ଝୁମର ଗୀତର ତାଳେ ତାଳେ ଲୋକେ ଝୁମି ଯାଇ କରୋନା କଟକଣାକୁ ଫୁ କରିଦେଇଛନ୍ତି । ସରକାରୀ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁଁ ଲୋକେ କଟକଣାକୁ ନ ମାନି ମନ ଇଛା ଭିଡ଼ ଜମାଉଥିବା ଅଭିଯୋଗ ହୋଇଛି । ମଙ୍ଗଳବାର ସୁଦ୍ଧା ପାଟଣା ଅଞ୍ଚଳରେ ୪୦ ରୁ ଉର୍ଦ୍ଧ୍ୱ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ତୁରୁମୁଙ୍ଗା ପୋଲିସ କିମ୍ବା ପାଟଣା ବ୍ଲକ ପ୍ରଶାସନ ଭିଡ଼ ଉପରେ କୌଣସି ପଦକ୍ଷେପ ନ ନେଇ ନିଦା ବିଷ୍ଣୁ ସାଜିଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ସହ ଅମାନିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି ହେଉଛି ।

Leave a Reply

Your email address will not be published. Required fields are marked *