ଫଳକ ପାଇଁ ଅଡୁଆରେ ସରକାର, କାଟିବେ ନା ଘୋଡାଇବେ

ଭୁବନେଶ୍ୱର : ଗାଁରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁଠି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ସ୍ଥାୟୀ ସଚେତନତା/ସୂଚନା ଫଳକ ଲାଗିଛି । ପଞ୍ଚାୟତ ନିର୍ବାଚନ ପାଇଁ ଆଦର୍ଶ ଆଚରଣ ବିଧି ଲାଗୁ ହେବା ପରେ ଏହାକୁ ତୁରନ୍ତ ହଟାଇବାକୁ ରାଜ୍ୟ ନିର୍ବାଚନ କମିସନର ଜିଲ୍ଲାପାଳମାନଙ୍କୁ କହିଛନ୍ତି । ହେଲେ ଏହି ଲୁହାର ଫଳକଗୁଡ଼ିକୁ କଟାଯିବ ନା ମୁଖ୍ୟମନ୍ତ୍ରୀଙ୍କ ମୁହଁ ଉପରେ ରଙ୍ଗ ବୋଳାଯିବ, ସେନେଇ ଏବେ ଜିଲ୍ଲା ପ୍ରଶାସନ ଏବଂ ଏହାକୁ ଲଗାଇଥିବା ବିଭାଗ ଅଡ଼ୁଆରେ ପଡ଼ିଯାଇଛନ୍ତି । କିଛି ମାସ ତଳେ ନଗର ଉନ୍ନୟନ, ପୂର୍ତ୍ତ ଓ ଗ୍ରାମ୍ୟଉନ୍ନୟନ ବିଭାଗକୁ ଅଲିଖିତ ନିର୍ଦ୍ଦେଶ ଦିଆଯାଇଥିଲା ଯେ ସେମାନଙ୍କର ସମସ୍ତ ରାସ୍ତା, ବ୍ରିଜ୍, ଛକ ମୁଣ୍ଡରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଫଳକ ଲଗାଇବେ । ଏହାପରେ ତିନି ବିଭାଗ ପ୍ରତିଦ୍ବନ୍ଦ୍ବିତା କଲା ଭଳି ରାଜ୍ୟ ସାରା ଏହି ସୂଚନା ଫଳକ ଲଗାଇଚାଲିଲେ । ଏପରିକି ଯେଉଁଠି ଆଖି ପଡ଼ିଲା ସେଠାରେ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଦେଖିବାକୁ ମିଳିଲା । ଛକରୁ ଆରମ୍ଭ କରି ନଦୀକୂଳ, ପାଣି ଟାଙ୍କିରୁ ଆରମ୍ଭ କରି ସରକାରୀ କାର୍ଯ୍ୟାଳୟ ପର୍ଯ୍ୟନ୍ତ ସବୁଠି ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ଫଳକ ଛାଇଗଲା । ଆଗକୁ ନିର୍ବାଚନ ଥିବାରୁ ସରକାର ସହଜ ପ୍ରଚାର ପାଇଁ ଯେଉଁ ତରିକା ଆପଣାଇଥିଲେ ତାହାକୁ ଏବେ ବିରୋଧୀ ବିରୋଧ କରିଛନ୍ତି । ଏହି ଫଳକରେ ସରକାରୀ ଯୋଜନାର ପ୍ରଚାର ହେଉଥିବାରୁ ଏହାକୁ ତୁରନ୍ତ ହଟାଇବାକୁ ରାଜ୍ୟ ନିର୍ବାଚନ କମିସନର କହିଛନ୍ତି ।

ଅପରପକ୍ଷେ ନଗର ଉନ୍ନୟନ ବିଭାଗ ଓ ପୂର୍ତ୍ତ ବିଭାଗର ଅଧିକାରୀମାନେ ନିଜ ମନପସନ୍ଦର ଲୋକଙ୍କୁ କୋଟି କୋଟି ଟଙ୍କାର କାର୍ଯ୍ୟାଦେଶ ଦେଇ ସାରା ରାଜ୍ୟରେ ଏହି ଫଳକ ଲଗାଇଥିବା ବେଳେ ଏବେବି ଅଧିକାଂଶ ସଂସ୍ଥାଙ୍କୁ ସେମାନଙ୍କ ଦେୟ ମିଳିନି । ଏହି ଫଳକ କାଟିଦେଲେ ଦେୟ ପ୍ରଦାନରେ ସମସ୍ୟା ହେବାର ଥିବାରୁ ଏଥିରେ ‌ଅନ୍ୟ କିଛି ଷ୍ଟିକର ମାରିବାକୁ ନଚେତ୍ ଫଟୋରେ ମୁହଁ ଉପରେ ଧଳା ରଙ୍ଗ ମାରିବାକୁ ଆଲୋଚନା ଚାଲିଛି । ଦିନେ କି ଦୁଇ ଦିନ ଭିତରେ ଏନେଇ ନିଷ୍ପତ୍ତି ହୋଇପାରେ । ସୂଚନାଯୋଗ୍ୟ ଯେ ସାରା ରାଜ୍ୟରେ ଯେଉଁଠି ରାଜ୍ୟ ସରକାରଙ୍କ ବିଭିନ୍ନ ଯୋଜନା ନେଇ ମୁଖ୍ୟମନ୍ତ୍ରୀଙ୍କ ଫଟୋ ଥିବା ହୋର୍ଡିଂ ଲାଗିଥିଲା ସେଥିରୁ ଅଧିକାଂଶକୁ ଜିଲ୍ଲା ପ୍ରଶାସନ କାଟି ସାରିଲାଣି । ଏବେ ଏହି ଲୁହା ଫଳକଗୁଡ଼ିକ ନେଇ ସଂପୃକ୍ତ ବିଭାଗୀୟ ଅଧିକାରୀମାନେ ପଦକ୍ଷେପ ନ ନେଲେ ଏହାକୁ ଜିଲ୍ଲା ପ୍ରଶାସନ ହଟାଇବା ପାଇଁ ଆବଶ୍ୟକ ପଦକ୍ଷେପ ନେଇପାରେ ।

Leave a Reply

Your email address will not be published. Required fields are marked *