ଭୋଟ୍ ଅଧିକାରର ଭିନ୍ନ ପାର୍ଶ୍ୱ ! ଦାଦନ ଖଟିବାକୁ ଘର ଛାଡ଼ିଛନ୍ତି ଲୋକେ, ନିର୍ବାଚନରେ ଭୋଟ ଦେ‌ବ କିଏ ?

ବଲାଙ୍ଗୀର : ଦାଦନ ଖଟିବାକୁ ଘର ଛାଡ଼ିଛନ୍ତି, ଗାଁ ଛାଡ଼ିଛନ୍ତି ଆଉ ରାଜ୍ୟ ବି ଛାଡ଼ିଛନ୍ତି । ଖାଲି ଜଣେ କି ଦି’ଜଣ ନୁହନ୍ତି, ଗାଁର ଅଧିକାଂଶ ଲୋକ ବି ପେଟପାଟଣା ପାଇଁ ବାହାର ରାଜ୍ୟକୁ ଚାଲିଯାଇଛନ୍ତି । ଏବେ ଗାଁରେ ପୂରା ଖାଁଖାଁର ରାଜୁତି । ଏମିତି ଏକ ସମୟରେ ପଞ୍ଚାୟତ ନିର୍ବାଚନ । ସରପଞ୍ଚ ଠାରୁ ଆରମ୍ଭ କରି ସମିତି ସଭ୍ୟ, ଜିଲ୍ଲା ପରିଷଦ ଯାଏ ପ୍ରାର୍ଥୀ ଖୋଜା ଚାଲିଛି । ତେବେ, ଦାଦନ ପ୍ରବଣ ଗାଁ ଗୁଡ଼ିକରେ କିଏ ଭୋଟ୍‌ ଦେବେ, ତାକୁ ନେଇ ଏବେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ବଲାଙ୍ଗୀର ଜିଲ୍ଲାରେ ବହୁ ଦାଦନ ପ୍ରବଣ ପଞ୍ଚାୟତ ରହିଛି । ଦେଓଗାଁ ବ୍ଲକ୍‌ର ଦେଷଣ୍ଢ ହେଉଛି ସେମିତି ଗୋଟିଏ ପଞ୍ଚାୟତ । ଏହି ପଞ୍ଚାୟତରେ ରହିଛି ଦେଷଣ୍ଢ, କୁବୁରୀମହୁଲ, ବରଘାଟି, ଭାଲୁକୁନ୍ଦ, ଗମ୍ଭାରୀମାଲ ଭଳି ଜଙ୍ଗଲଘେରା ଗାଁ । ଏହି ପଞ୍ଚାୟତର ଗମ୍ଭାରୀମାଲ ଗାଁରେ ଲୋକଙ୍କ ସହ ଆଲୋଚନା କରାଯାଇଥିଲା ଏବଂ ସରକାରୀ ଯୋଜନାରେ ଲୋକେ କିଭଳି ଲାଭବାନ ହେଉଛନ୍ତି, ସେନେଇ ସୂଚନା ଦେଇଥିଲେ ଗ୍ରାମବାସୀ । ୩ଟି ୱାର୍ଡ ବିଶିଷ୍ଟ ଏହି ଗାଁରେ ପ୍ରାୟ ୧୫ ଶହ ଲୋକ ବସବାସ କରନ୍ତି । ଏମାନଙ୍କ ମଧ୍ୟରୁ ଅଧିକାଂଶ ଲୋକ ହେଉଛନ୍ତି ଶ୍ରମିକ ଶ୍ରେଣୀର ।

ପଞ୍ଚାୟତରେ ୧୧୪୫ ରାସନ କାର୍ଡ଼ ମଧ୍ୟରୁ ୩୬୩ଟି କାର୍ଡ କେବଳ ଏହି ଗାଁର । ୧୨ ଶହ ଲୋକଙ୍କୁ ଜବ୍‌କାର୍ଡ଼ ଦିଆଯାଇଥିଲେ ମଧ୍ୟ କାମ କରିବାକୁ ମାତ୍ର ୨୫ରୁ ୩୦ ଜଣ କାମ କରୁଛନ୍ତି । ଏହା ଜଣାପଡ଼ିବା ପରେ ବାକିତକ ଶ୍ରମିକ କୁଆଡ଼େ ଗଲେ ବୋଲି ପ୍ରଶ୍ନ ହେବାରୁ ପ୍ରାୟ ୧୧୭ ପରିବାରର ୫ ଶହରୁ ଅଧିକ ଲୋକ ବିଭିନ୍ନ ରାଜ୍ୟକୁ ଦାଦନ ଖଟି ଯାଇଥିବା ଜଣାପଡ଼ିଥିଲା । ୬୦ ଭାଗ ଲୋକ ଘରେ ତାଲା ଦେଇ ତାମିଲନାଡ଼ୁ, ସିକାକୁଲମ, ଆନ୍ଧ୍ରପ୍ରଦେଶ, ବିଜୟନଗରମ୍, କଟକ, ବ୍ରହ୍ମପୁର, ସିକନ୍ଦରାବାଦ୍ ସହରକୁ କାମ କରିବାକୁ ଯାଇଥିବା ଜଣାପଡ଼ିଛି । ଗମ୍ଭାରୀମାଲ ଗାଁରେ କାମ ପାଇଁ ଦେଖାଦେଇଛି ଶ୍ରମିକ ସଂକଟ । ଯେଉଁ ଶ୍ରମିକ ଘରକୁ ଗଲେ ଘରେ ଝୁଲୁଛି ତାଲା । ଦୁଆର ମୁହଁରେ ଉଇହୁଙ୍କା ହୋଇଗଲାଣି । ଗାଁର ୬୦ ଭାଗ ଲୋକ ରାଜ୍ୟ ବାହାରକୁ ଦାଦନ ଖଟି ଯାଇଥିବାରୁ ଗାଁରେ ଏଭଳି ଅବସ୍ଥା ଦେଖାଦେଇଛି । ଗାଁର ମହାଦେବ ବରିହା, ଅଲିତ ସାହୁ, ପବିତ୍ର ମଲ୍ଲିକ, ସୁଦାମ ବରିହା, ପଙ୍କଜ ମଲ୍ଲିକ, ଆନନ୍ଦ ଛତାବରା, ମହେନ୍ଦ୍ର ନାଗ, ମାଲି ଛତାବରା, ପଦ୍ମଲୋଚନ ନାଗସହ ୧୧୭ ପରିବାରର ୫ ଶହରୁ ଅଧିକ ଲୋକ ଦାଦନ ଖଟି ଯାଇଛନ୍ତି । ସାରାଜିଲ୍ଲାରେ ଏବେ ଏଭଳି ଅବସ୍ଥା । ବେଲପଡ଼ା, ମୁରିବାହାଲ, ପାଟଣାଗଡ଼, ବଙ୍ଗୋମୁଣ୍ଡା, ତୁରେକେଲା, ପାଟଣାଗଡ଼ ଆଦି ବ୍ଲକ୍‌ ଅଂଚଳର ଦାଦନପ୍ରବଣ ଗାଁରେ ଏଭଳି ଅନେକ ଗାଁ ଖାଲି ରହିଛି । ଏଣୁ ଆଗାମୀ ତ୍ରିସ୍ତରୀୟ ନିର୍ବାଚନରେ ଭୋଟ କିଏ ଦେ‌ବ, ତାକୁ ନେଇ ଚାରିଆଡ଼େ ଆଲୋଚନା ସରଗରମ ରହିଛି ।

ଏ ସଂପର୍କରେ ଦେଷଣ୍ଢ ପଞ୍ଚାୟତର କାର୍ଯ୍ୟନିର୍ବାହୀ ଅଧିକାରୀ ନନ୍ଦିକିଶୋର ସାହୁଙ୍କ କହିବା ହେଲା, ପଞ୍ଚାୟତରେ ଅନେକ ଉନ୍ନତିମୂଳକ କାମ ଚାଲିଛି । ଲୋକଙ୍କୁ କାମ ଯୋଗାଇ ଦେବା ପାଇଁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି । କିନ୍ତୁ କାମ କରିବାକୁ ଲୋକ ମିଳୁନାହାନ୍ତି । ପ୍ରାୟ ୬୦ ଭାଗ ଲୋକ ଦାନନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବାରୁ କାମକୁ ନେଇ ଅଚଳାବସ୍ଥା ଦେଖାଦେଇଛି ବୋଲି ସେ କହିଛନ୍ତି ।

Leave a Reply

Your email address will not be published. Required fields are marked *