ଅନୁମୋଦନକୁ ଅପେକ୍ଷା, ହ୍ବିଲ ଚେୟାର ଚଳାଇ ୨୪ ଘଣ୍ଟାରେ ୨୧୩ କିମି ଅତିକ୍ରମ କଲେ କମଳାକାନ୍ତ

ଭୁବନେଶ୍ବର : ସେ ଦିବ୍ୟାଙ୍ଗ; ମେରୁଦଣ୍ଡର ସମସ୍ୟା ଯୋଗୁ ଚାଲିପାରନ୍ତି ନାହିଁ । ତଥାପି ସେ ହାର୍‌ ମାନିନାହାନ୍ତି । ନିଜର ଦକ୍ଷତା ବଳରେ ଗିନିଜ୍‌ ବୁକ୍‌ ଅଫ ୱର୍ଲଡ ରେକର୍ଡର ନିକଟତର ହୋଇଛନ୍ତି । ଏଭଳି ଜଣେ ବ୍ୟକ୍ତି ହେଉଛନ୍ତି ଓଡ଼ିଆ ହ୍ବିଲଚେୟାର ବାସ୍କେଟବଲ ଖେଳାଳି କମଳକାନ୍ତ ନାୟକ । ନିରବଚ୍ଛିନ୍ନ ଭାବେ ୨୪ ଘଣ୍ଟା ହ୍ବିଲଚେୟାର ଚଲାଇ ୨୪ ଘଣ୍ଟାରେ ଅତିକ୍ରମ କରିଛନ୍ତି ୨୧୩ କିଲୋମିଟର । ଏଥିସହିତ କମଳାକାନ୍ତ ପୂର୍ବରୁ ରହିଥିବା ପର୍ତ୍ତୁଗାଲ ପ୍ରତିଦ୍ବନ୍ଦ୍ବୀଙ୍କ ୧୮୪ କିଲୋମିଟର କୀର୍ତ୍ତିମାନକୁ ଭାଙ୍ଗିବାରେ ସଫଳ ହୋଇଛନ୍ତି । କମଳାକାନ୍ତଙ୍କ ଏହି ସଫଳତା ଏବେ ଗିନିଜ୍‌ ବୁକ୍‌ ଅଫ ୱର୍ଲଡ ରେକର୍ଡସ ଓ ଲିମ୍‌କା ବୁକ୍‌ ଅଫ୍‌ ୱର୍ଲଡ ରେକର୍ଡସର ଅନୁମୋଦନ ଅପେକ୍ଷାରେ ରହିଛି । ବେଟର ଲାଇଫ ଫାଉଣ୍ଡେସନ, ରାଜ୍ୟ କ୍ରୀଡ଼ା ଓ ଯୁବସେବା ବିଭାଗ, ଭୁବନେଶ୍ବର ସ୍ମାର୍ଟ ସିଟି ପକ୍ଷରୁ କମଳାକାନ୍ତଙ୍କ ଗିନିଜ୍‌ ବୁକ୍‌ ଅଫ ୱର୍ଲଡ ରେକର୍ଡ ଲାଗି ସ୍ବତନ୍ତ୍ର କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା । ଶନିବାର ଅପରାହ୍ଣ ୪ଟା୩୦ ରୁ କମଳାକାନ୍ତ ମାଷ୍ଟର କ୍ୟାଣ୍ଟିନରୁ ଅଭିଯାନ ଆରମ୍ଭ କରିଥିଲେ । ସେ ଶନିବାର ଅପରାହ୍ଣ ୪ଟା୩୦ ରୁ ରବିବାର ଅପରାହ୍ଣ ୪ଟା୩୦ ପର୍ଯ୍ୟନ୍ତ ନିରବଚ୍ଛିନ୍ନ ଭାବେ ମାଷ୍ଟର କ୍ୟାଣ୍ଟିନ ଛକରୁ ରାଜମହଲ ଛକ ପର୍ଯ୍ୟନ୍ତ ସାଇକଲ ଟ୍ରାକ୍‌ରେ ହ୍ବିଲଚେୟାର ଚଲାଇଥିଲେ । ଉକ୍ତ ସମୟ ମଧ୍ୟରେ ସେ ୨୧୩ କିଲୋମିଟର ଅତିକ୍ରମ କରିଥିଲେ । ସେ ୨୦ ଘଣ୍ଟା ୧୫ ମିନିଟ୍‌ରେ ୨୦୦ କିଲୋମିଟର ଅତିକ୍ରମ କରିଥିଲେ । ୨୪ ଘଣ୍ଟାରେ ୨୧୩ କିଲୋମିଟର ଚଲାଇଥିଲେ । ବେଟର ଲାଇଫ ଫାଉଣ୍ଡେସନ ତଥା ଓଡ଼ିଶା ହ୍ବିଲଚେୟାର ବାସ୍କେଟବଲ ସଂଘ ସମ୍ପାଦକ ଦୁର୍ଗା ପ୍ରସାଦ ପଟ୍ଟନାୟକ କୁହନ୍ତି, କମଳାକାନ୍ତ ୨୪ ଘଣ୍ଟାରେ ୨୧୩ କିଲୋମିଟର ହ୍ବିଲଚେୟାର ଚଲାଇବାର ସମସ୍ତ ପ୍ରମାଣପତ୍ର, ଭିଡ଼ିଓ ରହିଛି । ଏହାକୁ ନିରୀକ୍ଷଣ କରିବା ଲାଗି ଚାଟାର୍ଡ ଆକାଉଟାଣ୍ଟ ଅଫ ଇଣ୍ଡିଆ ଭୁବନେଶ୍ବର ଶାଖାର କର୍ମଚାରୀ ନିୟୋଜିତ ହୋଇଥିଲେ । ଗିନିଜ୍‌ ବୁକ୍‌ ଅଫ ୱର୍ଲଡ ରେକର୍ଡସ, ଲିମ୍‌କା ବୁକ୍‌ ଅଫ ୱର୍ଲଡ ରେକର୍ଡସରେ ସ୍ଥାନଦେବା ଲାଗି ଆବେଦନ କରାଯାଇଛି । ଏସବୁ ପ୍ରମାଣପତ୍ର, ଭିଡିଓକୁ ମଧ୍ୟ ଦାଖଲ କରାଯିବ । ଏକ ସପ୍ତାହ ମଧ୍ୟରେ କମଳାକାନ୍ତଙ୍କୁ ଗିନିଜ୍‌ ବୁକ୍‌ ଅଫ ୱର୍ଲଡ ରେକର୍ଡ ସହ ଲିମ୍‌କା ବୁକ୍‌ ଅଫ ୱର୍ଲଡ ରେକର୍ଡସ ଅନୁମୋଦନ ମିଳିବା ନେଇ ଆଶା ରହିଛି ବୋଲି ଶ୍ରୀପଟ୍ଟନାୟକ କହିଛନ୍ତି । ଅନ୍ୟପକ୍ଷରେ ପୂର୍ବରୁ ରହିଥିବା ରେକର୍ଡକୁ ଭାଙ୍ଗିବା ନେଇ ମୁଁ ବହୁତ ଖୁସି । ଏଥିପାଇଁ ବହୁତ କଷ୍ଟ କରିବାକୁ ପଡିଛି । ଆଶା କରୁଛୁ ଖୁବ୍‌ ଶୀଘ୍ର ଗିନିଜ୍‌ ବୁକ୍‌ ଅଫ ୱର୍ଲଡ ରେକର୍ଡସ ଓ ଲିମ୍‌କା ବୁକ୍‌ ଅଫ ୱର୍ଲଡ ରେକର୍ଡସର ମାନ୍ୟତା ମିଳିବ ବୋଲି ପୁରୀର କମଳାକାନ୍ତ କହିଛନ୍ତି ।

Leave a Reply

Your email address will not be published. Required fields are marked *