ଚଣ୍ଡିଖୋଲ : ଭୟାବହ ଅଗ୍ନିକାଣ୍ଡରେ ଜଳିଗଲା ୮ ବଖରା ଚାଳ ଛପର ଘର । ଏଭଳି ଅଭାବନୀୟ ଘଟଣା ଘଟିଛି ଯାଜପୁର ଜିଲ୍ଲା ବାଲିଚନ୍ଦ୍ରପୁର ଥାନା ଅଧୀନ ରଇପୁର ପଞ୍ଚାୟତର ବେଙ୍ଗପୁର ଗ୍ରାମରେ । ଗ୍ରାମରେ ରହୁଥିବା ବିକଳୀ ସାହୁଙ୍କ ଘରେ ଶନିବାର ବିଳମ୍ବିତ ରାତିରେ ନିଆଁ ଲାଗି ଯାଇଥିଲା । ପରିବାର ଲୋକେ ଶୋଇଥିବା ବେଳେ ଅଗ୍ନିକାଣ୍ଡ ଘଟିଥିଲା । ଯାହା ଫଳରେ ତାଙ୍କର ଆଠ ବଖରା ଘର ଜଳି ଯାଇଛି । ଘରେ ଥିବା ଗୃହ ପାଳିତ ପଶୁ ବାଛୁରୀ, ଛେଳି ସମ୍ପୂର୍ଣ ଦଗ୍ଧ ହୋଇ ଯାଇଥିବା ବେଳେ ଗାଈଗୁଡିକ ମଧ୍ୟ ଆଂଶିକ ଜଳି ଯାଇଛନ୍ତି । ଆହୁରି ମଧ୍ୟ ଘରର ସମସ୍ତ ଆସବାବ ପତ୍ର ଜଳି ଯାଇଥିବା ସୂଚନା ମିଳିଛି । ତେବେ କେଉଁ କାରଣରୁ ନିଆଁ ଲାଗିଥିଲା ତାହା ଅସ୍ପଷ୍ଟ ରହିଛି । ବରୀ ଅଗ୍ନିଶମ ଅଧିକାରୀ ପହଁଚି ନିଆଁକୁ ଆୟତ କରିଥିବା ବେଳେ ତଦନ୍ତ ଜାରି ରଖିଛି ।
