ଚକୋଲେଟ ଜରିରେ ଜଗନ୍ନାଥ ଫଟୋ, ବିରୋଧ ପରେ ବଜାରରୁ ଅପସାରଣ କଲା କମ୍ପାନି

ଭୁବନେଶ୍ବର : ଏକ ନିର୍ଦ୍ଦିଷ୍ଟ ବ୍ରାଣ୍ଡ୍‌ର ଚକୋଲୋଟ ଖୋଳରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଫଟୋ । ଶ୍ରୀଜଗନ୍ନାଥଙ୍କ ସଂସ୍କୃତି ପ୍ରଚାର ପ୍ରୟାସରେ ଏଭଳି ବ୍ୟବସ୍ଥା କରି ଫସିଯାଇଛି ଚକୋଲେଟ୍‌ ପ୍ରସ୍ତୁତିକାରୀ ସଂସ୍ଥା । ଏଣେତେଣେ ଫିଙ୍ଗା ଯାଇଥିବା ‌ଚକୋଲେଟ୍‌ ଖୋଳ ଉପରେ ଲୋକମାନେ ଚଢ଼ିବା ଓ ନାଳନର୍ଦ୍ଦମାରେ ପଡ଼ିବା ପରେ ଘୋର ବିରୋଧ ହୋଇଛି । ଶହଶହ ଶ୍ରୀଜଗନ୍ନାଥ ତଥା ଓଡ଼ିଆ ସଂସ୍କୃତି ପ୍ରେମୀ ସଂସ୍ଥାକୁ ଅଭିଯୋଗ କରିବା ପରେ ଏହି ଉତ୍ପାଦକୁ ବଜାରରୁ ଅପସାରଣ କରାଯାଇଛି । ଏଥିପାଇଁ ସଂସ୍ଥା ଟ୍ବିଟ୍‌ ଜରିଆରେ କ୍ଷମାପ୍ରାର୍ଥନା ମଧ୍ୟ କରିଛି । ସୂଚନାଯୋଗ୍ୟ, ଗତବର୍ଷ ଏପ୍ରିଲ ମାସରେ ଚକୋଲେଟ୍‌ ‘ଟ୍ରାଭେଲ୍ସ ବ୍ରେକ୍‌’ ନାମରେ ଏକ ନୂଆ ଖୋଳରେ ଆସିଥିଲା । ଏଥିରେ ଶ୍ରୀଜଗନ୍ନାଥ, ବଳଭଦ୍ର ଓ ସୁଭଦ୍ରାଙ୍କର ଫଟୋ ରହିଥିଲା । ଫଟୋ ତଳକୁ ଏକାମ୍ର ହାଟରେ ଥିବା ହସ୍ତତନ୍ତ ଉତ୍ପାଦକୁ ପ୍ରଶଂସା କରାଯାଇଥିଲା । ବେଶ୍‌ କିଛି ଦିନ ଧରି ଏହି ଉତ୍ପାଦ ବିକ୍ରି ହୋଇଥିଲା । ଭଲ ବିକ୍ରି ହେଉଥିବାରୁ ସଂସ୍ଥା ଅଧିକରୁ ଅଧିକ ଉତ୍ପାଦନ କରିଥିଲା । ତେବେ ଏହାର ଖୋଳ ଏଣେତେଣେ ପଡ଼ିବାରୁ ଚର୍ଚ୍ଚାକୁ ଆସିଥିଲା । ଏହାକୁ ଅନେକ ବିରୋଧ କରିଥିଲେ । ତୁରନ୍ତ ମହାପ୍ରଭୁଙ୍କ ଫଟୋକୁ ଖୋଳରୁ ହଟାଇବା ପାଇଁ ଟ୍ବିଟ୍‌ ଜରିଆରେ ଦାବି କରିଥିଲେ । ଦାବିକୁ ଗୁରୁତ୍ବର ସହ ନେଇ କମ୍ପାନି ଏହି ଉତ୍ପାଦକୁ ବଜାରରୁ ଅପସାରଣ କରିଛି । ଦେଶ ଓ ବିଦେଶରେ ଶ୍ରୀଜଗନ୍ନାଥ ସଂସ୍କୃତିର ପ୍ରଚାର ପ୍ରସାର ଉଦ୍ଦେଶ୍ୟରେ ଏଭଳି ଏକ ପ୍ରୟାସ କରାଯାଇଥିଲା । ଯଦି ଏଥିରେ କାହାର ଭାବାବେଗ ଆଘାତପ୍ରାପ୍ତ ହୋଇଛି ସେଥିପାଇଁ ସଂସ୍ଥା ଦୁଃଖିତ । କାର୍ଯ୍ୟାନୁଷ୍ଠାନ ସ୍ବରୂପ ଏହି ଉତ୍ପାଦକୁ ବଜାରରୁ ଅପସାରଣ କରାଯାଉଛି ବୋଲି କମ୍ପାନି ପକ୍ଷରୁ ଟ୍ବିଟ୍‌ କରାଯାଇଛି । ଆହୁରି ମଧ୍ୟ ଲେଖାଯାଇଛି କି ପର୍ଯ୍ୟଟନ ମନ୍ତ୍ରାଳୟ ପକ୍ଷରୁ ଏହି ପ୍ରୟାସକୁ ପ୍ରଶଂସା କରାଯାଇଥିଲା । ଜଗନ୍ନାଥ ସଂସ୍କୃତିର ପ୍ରଚାରପ୍ରସାର ପାଇଁ ଅର୍ବାନ ହାଟରେ ହୋଇଥିବା ପ୍ରୟାସକୁ କମ୍ପାନି ରୢାପରରେ ସ୍ଥାନ ଦେବା ସ୍ବାଗତଯୋଗ୍ୟ ବୋଲି କୁହାଯାଇଥିଲା ।

Leave a Reply

Your email address will not be published. Required fields are marked *