କଟକ : କଟକ ଜିଲ୍ଲା ଅଦାଲତ ଓ ପରିସରରେ ଥିବା ଅନ୍ୟ ସମସ୍ତ ଅଦାଲତ ଜାନୁଆରି ୧୭ ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ । ରାଜ୍ୟରେ କରୋନା ସଂକ୍ରମଣ ଅପ୍ରତ୍ୟାଶିତ ଭାବେ ବୃଦ୍ଧି ପାଇବା ସହିତ ଅଦାଲତର ବହୁ କର୍ମଚାରୀ କରୋନା ଆକ୍ରାନ୍ତ ହେବା ଘଟଣାକୁ ବିଚାରକୁ ନିଆଯାଇ ଜିଲ୍ଲା ଅଦାଲତ ପକ୍ଷରୁ ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି । ଜାନୁଆରି ୧୪ ରୁ ୧୭ ତାରିଖ ପର୍ଯ୍ୟନ୍ତ ଜିଲ୍ଲା ଅଦାଲତ କମ୍ପ୍ଲେକ୍ସ ଓ ଏସଡିେଜଏମ୍ ଅଦାଲତ କମ୍ପ୍ଲେକ୍ସକୁ ସଂପୂର୍ଣ୍ଣ ଭାବେ ସଟ୍ଡାଉନ କରାଯାଇଛି ।ସୂଚନା ଅନୁସାରେ, କଟକ ମୁଖ୍ୟାଳୟରେ କୋର୍ଟ ଓ ଏହାର କାର୍ଯ୍ୟାଳୟରେ ଜାନୁଆରି ୧୮ ରୁ ସ୍ବାଭାବିକ କାର୍ଯ୍ୟ ଆରମ୍ଭ ହେବ । କୋର୍ଟ କମ୍ପ୍ଲେକ୍ସକୁ କଣ୍ଟେନମେଣ୍ଟ ଜୋନ୍ ଭାବେ ସିଏମସି ପକ୍ଷରୁ ଗତ ୧୩ ତାରିଖରେ ଘୋଷଣା କରାଯିବା ପରେ ଜିଲ୍ଲା ଅଦାଲତ ପକ୍ଷରୁ ଆଜି ଏପରି ବିଜ୍ଞପ୍ତି ପ୍ରକାଶ ପାଇଛି । ଜିଲ୍ଲା ଅଦାଲତ ପରିସର ସଂଲଗ୍ନ କଟକ ବାର୍ ଆସୋସିଏସନ କୋଠା କଣ୍ଟେନମେଣ୍ଟ ଜୋନ୍ ପରିସର ଅନ୍ତର୍ଭୁକ୍ତ ହୋଇଥିବାରୁ ଏହାକୁ ମଧ୍ୟ ସଟ୍ଡାଉନ ଘୋଷଣା କରାଯାଇଛି । ଜିଲ୍ଲା ଅଦାଲତ ଫାଟକ ସହିତ କଟକ ବାର୍ ଆସୋସିଏସନ୍ ସଂଯୋଗ ରାସ୍ତାର ଫାଟକକୁ ସିଲ୍ କରାଯାଇଛି । କରୋନା ମୁକାବିଲା ପାଇଁ ଏପରି ଘୋଷଣା କରାଯାଇଥିବାରୁ ଏଥିରେ ସହଯୋଗ କରି ଆଇନଜୀବୀମାନେ ବାର୍ ଆସୋସିଏସନ କକ୍ଷକୁ ନ ଆସିବାକୁ କଟକ ବାର୍ ଆସୋସିଏସନ୍ ସଂପାଦକ ବିଶ୍ବଜିତ ମହାପାତ୍ର ଅନୁରୋଧ କରିଛନ୍ତି ।ଉଲ୍ଲେଖ ଯୋଗ୍ୟଯେ, ସିଭିଲ କୋର୍ଟ କଂପ୍ଲେକ୍ସରେ ୩୯ ଜଣ କରୋନା ପଜିଟିଭ ଚିହ୍ନଟ ହେବା ନେଇ ସିଏମସି ନିକଟରେ ସୂଚନା ପହଞ୍ଚିଥିଲା । ଏହାପରେ କୋର୍ଟ କଂପ୍ଲେକ୍ସକୁ କଣ୍ଟେନମେଣ୍ଟ ଜୋନ ଭାବେ ସିଏମସି କମିସନର ଘୋଷଣା କରିଥିଲେ । ହାଇକୋର୍ଟ ନିକଟରେ ଜିଲ୍ଲା ଅଦାଲତ କମ୍ପ୍ଲେକ୍ସ ରହିଥିବା ବେଳେ ଏସଡିଜେଏମ୍ ଅଦାଲତ କମ୍ପ୍ଲେକ୍ସ ରିଂ ବନ୍ଧ ପାଖରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପୂର୍ବରୁ ରହିଛି । ପୂର୍ବରୁ କରୋନା ସଂକ୍ରମଣ ସ୍ଥିତି ଯୋଗୁଁ ହାଇକୋର୍ଟ ଓ ଏହାର କାର୍ଯ୍ୟାଳୟକୁ ଜାନୁଆରି ୧୩ ରୁ ୧୭ ତାରିଖ ପର୍ଯ୍ୟନ୍ତ ସଂପୂର୍ଣ୍ଣ ଭାବେ ସଟ୍ଡାଉନ ଘୋଷଣା କରାଯାଇଛି ।
