ସିନ୍ଧେକେଲା : ଦାନା ପାଇଁ ଦାଦନ ସାଜୁଛି ମେହେନତି ମଣିଷ । ଘର ଛାଡ଼ି ରାଜ୍ୟ ବାହାରେ ରୋଜଗାରିଆ ଲୋକ । କେଉଁଠି ଘରେ ତାଲା ପଡ଼ିଛି ତ ଆଉ କେଉଁଠି ଛୋଟ ପିଲା କିମ୍ବା ବୁଢ଼ାବୁଢ଼ୀ ଘର ଜଗିଥିବା ଚିତ୍ର ଦେଖିବାକୁ ମିଳୁଛି । ଦାଦନ ପ୍ରବଣ ବଲାଙ୍ଗୀର ଜିଲ୍ଲାର ଅଧିକାଂଶ ଗାଁର ଦୃଶ୍ୟ ଏକାଭଳି ଲାଗୁଥିଲେ ବି ବଙ୍ଗୋମୁଣ୍ଡା ବ୍ଲକ୍ ଅଳଣ୍ଡା ପଞ୍ଚାୟତ ସଦର ମହକୁମାର ଚିତ୍ର ଟିକିଏ ଭିନ୍ନ । ଏଠାରେ କେବଳ ଭୂମିହୀନ ଶ୍ରମିକ ନୁହନ୍ତି କ୍ଷୁଦ୍ର ତଥା ମଧ୍ୟମ ଚାଷୀମାନେ ବି ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଛନ୍ତି । କିଛିଦିନ ତଳେ ବଙ୍ଗୋମୁଣ୍ଡା ତହସିଲଦାର ଗୁଣମଣି ସୁନାନୀ ଘର ଘର ବୁଲି ଟୋକନ ପାଇ ଧାନ ବିକି ନଥିବା ଚାଷୀଙ୍କ ସଂପର୍କରେ ଅନୁଧ୍ୟାନ କରିବା ସମୟରେ ଏଭଳି କିଛି ତଥ୍ୟ ସାମ୍ନାକୁ ଆସିଛି । କିଛିଦିନ ତଳେ ତହସିଲଦାର ଶ୍ରୀ ସୁନାନୀ ଅଳଣ୍ଡା ପ୍ୟାକ୍ସ ପରିଦର୍ଶନରେ ଯାଇଥିଲେ । ପାକ୍ସରେ କାଗଜପତ୍ର ଯାଞ୍ଚ ସମୟରେ କିଛି ଚାଷୀଙ୍କ ଟୋକନ ଅବଧି ଶେଷ ହେବାକୁ ଯାଉଥିଲେ ସୁଦ୍ଧା ସେମାନେ ଧାନ ବିକ୍ରି ପାଇଁ ମଣ୍ଡିକୁ ଆଣୁ ନଥିବା ଜାଣି ପାରିଥିଲେ । କେହି ଦଲାଲ ଟୋକନ ନେଇ ଚାଷୀଙ୍କ ଧାନ ବିକିବା ଆଶଙ୍କା କରି ସଂପୃକ୍ତ ଚାଷୀଙ୍କ ତାଲିକା ଧରି ତଦନ୍ତ ପାଇଁ ଚାଷୀଙ୍କ ଘରଗୁଡ଼ିକୁ ଯାଇଥିଲେ । ପ୍ରଥମେ ଅଳଣ୍ଡା ଗାଁର କ୍ଷେତ୍ର ମାଝୀଙ୍କ ଘରକୁ ଯାଇଥିଲେ । ଘରେ ତାଲା ପଡ଼ିଥିବାରୁ ପଡ଼ିଶା ଲୋକଙ୍କୁ ପଚାରି ବୁଝିଥିଲେ । କ୍ଷେତ୍ର ପରିବାର ସହ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ସେମାନେ ତହସିଲଦାରଙ୍କୁ କହିଥିଲେ । ପରେ ତେତେଲପଡ଼ାର ଘାସିରାମ କାଣ୍ଡଙ୍କ ଘରକୁ ଯାଇଥିଲେ । ଘାସିରାମ ପରିବାର ଲୋକଙ୍କୁ ଗାଁରେ ଛାଡ଼ି ରାଜ୍ୟ ବାହାରକୁ ଦାଦନ ଯାଇଥିବା ଜାଣି ପାରିଥିଲେ । ଘାସିରାମଙ୍କ ସ୍ତ୍ରୀ ଟୋକନ ବିଷୟରେ କିଛି ଜାଣିନଥିବାରୁ ଅମଳ ହୋଇଥିବା ଧାନ ଖୋଲା ବଜାରରେ ବିକ୍ରି କରି ଦେଇଥିବା କହିଥିଲେ । ସେହିପରି ଅଳଣ୍ଡା ଗାଁର ଲଖପତି ରଣାଙ୍କ ଘରକୁ ଯାଇ ପଚାରିଥିଲେ । ଘରେ ଲଖପତିଙ୍କ ଦୁଇ ନାବାଳିକା ଝିଅ ଥିଲେ । ସେମାନେ ବାପା, ମା’ ଦାଦନ ଖଟିବାକୁ ରାଜ୍ୟ ବାହାରକୁ ଯାଇଥିବା ଏବଂ ଉଭୟେ ଘର ଜଗିଥିବା ତହସିଲଦାରଙ୍କୁ କହିଥିଲେ । ଲଖପତିଙ୍କ ଘରେ ଅମଳ ହୋଇଥିବା ଧାନ ପଡ଼ିରହିଛି । ଏପଟେ ଟୋକନ ଲାପ୍ସ ହେବା ଉପରେ । ଏଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ କିଛି ଚାଷୀ ଠିକ ସମୟରେ ଧାନ ବିକ୍ରି କରିପାରିନାହାନ୍ତି । ଆଉ କିଛି ଚାଷୀ ମଣ୍ଡି ବ୍ୟବସ୍ଥାର ଜଟିଳ ପ୍ରକ୍ରିୟାରେ ନପଡ଼ି କମ୍ ଦରରେ ବାହାରେ ବିକ୍ରି କରିଦେଇଛନ୍ତି । ସଂପୃକ୍ତ ଚାଷୀମାନେ ମାସେରୁ ଅଧିକ ହେଲା ଦାଦନ ଖଟିବାକୁ ଯାଇଥିବା ସୂଚନା ମିଳିଛି । ସେମାନେ ଠିକ୍ ସମୟରେ ଧାନ ଅମଳ କରିଥିଲେ ମଧ୍ୟ ଟୋକନ ପାଇ ନଥିଲେ । ଦାଦନ ଖଟିବାକୁ ଯିବା ପରେ ଟୋକନ ଆସିଥିବାରୁ ଧାନ ବିକ୍ରି କରିପାରିନଥିବା ଜଣାପଡ଼ିଛି । ପଞ୍ଚାୟତର ଲୋକେ ଦାଦନ ଯାଉଥିବା ସଂପର୍କରେ ଅଳଣ୍ଡା ପଞ୍ଚାୟତର ଇଓ କିଶୋର ଝାଙ୍କରଙ୍କୁ ପଚରାଯିବାରୁ ମନରେଗାରେ ଅନେକ ଲୋକଙ୍କୁ ପଞ୍ଚାୟତ ତରଫରୁ କାମ ଯୋଗାଇ ଦିଆଯାଇଛି, କିଛି ଲୋକ ଅଧିକ ରୋଜଗାର କରିବା ଲୋଭରେ ପଡ଼ି ରାଜ୍ୟ ବାହାରକୁ ଯାଉଛନ୍ତି ବୋଲି ସେ କହିଥିଲେ ।
