ପାଟଣା : ଦିନକୁ ଦିନ ରାଜ୍ୟରେ ଓମିକ୍ରନ ସାଙ୍ଗକୁ କରୋନା ଆକ୍ରାନ୍ତଙ୍କ ସଙ୍ଖ୍ୟା ବଢିଚାଲିଛି । ରାଜ୍ୟ ସରକାର ସଂକ୍ରମଣ ଚେନକୁ ବ୍ରେକ ଲାଗି ବ୍ୟାପକ ପଦକ୍ଷେପ ସହ କୋଠର ହୋଇ କଟକଣାକୁ ଜୋରଦାର କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । କିନ୍ତୁ ରାଜ୍ୟ ସରକାରଙ୍କ ନିର୍ଦ୍ଦେଶ ଓ କଟକଣାକୁ ପାଟଣା ବ୍ଲକ ପ୍ରସାଶନରେ ଫୁ କରି ଉଡେଇ ଦେଉଛନ୍ତି ଲୋକେ । ଖବର ଅନୁଯାୟୀ, ସରକାରୀ ଅଧିକାରୀଙ୍କ ଖାମଖିଆଲି ମନୋଭାବ ଯୋଗୁ ଲୋକେ କଟକଣାକୁ ନ ମାନି ମନ ଇଛା ଭିଡ଼ ଜମାଉଛନ୍ତି । ପାଟଣା ବ୍ଲକ ମୁଖ୍ୟ ବଜାରରେ ଆଜି କରୋନା କଟକଣାକୁ ଫୁ କରି ଧ୍ଵଜା ଉଡାଇ ଦେଇଛନ୍ତି ଲୋକେ । ଆଗକୁ ଗଣ ପର୍ବ ମକର ଥିବାରୁ ଲୋକେ ପାଟଣାର ସାପ୍ତାହିକ ହାଟକୁ ଲୁଗାପଟା ସହ ଘରୋଇ ଜିନିଷ କିଣା କିଣି କରିବାକୁ ଆସିଥିଲେ । କିନ୍ତୁ ସ୍ଥାନୀୟ ପ୍ରଶାସନର ଦାୟିତ୍ୱହୀନତା ଯୋଗୁ ଲୋକେ କଟକଣାକୁ ଭୁଲି ଜିନିଷ କିଣିବା ଲାଗି ବଜାରରେ ଖଚାଖଚ ଭିଡ଼ ଜମାଇଥିଲେ । ଏପରିକି ଦୋକାନୀଙ୍କ ଠାରୁ ଆରମ୍ଭ କରି କୌଣସି ଗ୍ରାହକଙ୍କ ମୁହଁରେ ମାକ୍ସ ନଥିବା ଦେଖିବାକୁ ମିଳିଥିଲା । ପରିବା ଦୋକାନଠୁ ଆରମ୍ଭ କରି ଡ୍ରେସ ଦୋକାନରେ ଏପରି ସ୍ଥିତି ଦେଖିବାକୁ ମିଳିଥିଲା । ପାଟଣା ବ୍ଲକରେ ଆଜି ସୁଦ୍ଧା ୧୫ ରୁ ଅଧିକ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ପ୍ରଶାସନ ଭିଡ଼ ଉପରେ କୌଣସି ପଦକ୍ଷେପ ନନେଇ ନିଦାବିଷ୍ଣୁ ସାଜିଛି । ଏପରି କି ମକର ବଜାର ପାଇଁ ପାଟଣା ବଜାରରେ ଏତେ ଭିଡ଼ ଲାଗିଥିଲେ ବି ପୋଲିସ ପ୍ରଶାସନ ପକ୍ଷରୁ କୌଣସି ହୋମଗାର୍ଡ କି କନେଷ୍ଟବଳ ନିୟୋଜିତ ନଥିବା ବିଡ଼ମ୍ବନାର ବିଷୟ ପାଲଟିଛି । ଏଥିପ୍ରତି ସ୍ଥାନୀୟ ପ୍ରଶାସନ ଦୃଷ୍ଟି ଦେବା ସହ ଆଗାମୀ ଦିନରେ ଭିଡ଼କୁ ନିୟନ୍ତ୍ରଣ କରିବା ସହ କଟକଣା ଉପରେ ନଜର ଦେବାକୁ ସାଧାରଣରେ ଦାବି ହୋଇଛି ।
