ସରକାରୀ ସହାୟତା ଅଭାବରୁ ଦୁର୍ଦ୍ଦିନରେ କାଜୁ ଚାଷୀ

ମଧୁପୁରା : କାଜୁ ଲାଭଦାୟକ ଫସଲ ହୋଇଥିଲାବେଳେ ବାଲେଶ୍ବର ଜିଲା, ବାଲିଆପାଳ ବ୍ଲକର ଉପକୂଳବର୍ତ୍ତୀ ୧୧ ପଞ୍ଚାୟତର ୮୭୦ ହେକ୍ଟର ଜମିରେ ୬ ଶହରୁ ଉର୍ଦ୍ଧ୍ବ ଲୋକ କାଜୁ ଚାଷ କରୁଛନ୍ତି । ୧୯୭୩-୭୪ ମସିହାରେ ସରକାର ବାଲିଆପାଳ ବ୍ଲକ ସମୁଦ୍ର ଉପକୂଳରେ ଥିବା ବିସ୍ତୀର୍ଣ୍ଣ ବାଲିଆଡିଆରେ ୨ ଶହ ହେକ୍ଟର ସରକାରୀ ଜମିରେ କାଜୁ ଜଙ୍ଗଲ ସୃଷ୍ଟି କରି ଲୋକଙ୍କୁ ସ୍ବଳ୍ପ ଖଜଣାରେ ଦେଇଥିଲେ ।
ମାତ୍ର ସରକାରୀ ପ୍ରୋତ୍ସାହନ ଅଭାବରେ ଚାଷୀ ବେଶି ଲାଭବାନ ହୋଇପାରୁ ନାହାନ୍ତି । ବାଲିଆପାଳ ବ୍ଲକର କାଳଶିମିଳି, ଚାଉଳତି, ଦ୍ବାରିକା, ଜମ୍ଭିରାଇ, ଯମୁନାଶୋଳ, ନୂଆଗାଁ, ଜଗତିପୁର, ଅଳାଡିହା, କାଉଁମାରି, ବେତଗଡିଆ, ନାରାୟଣପୁର, ଜାମତକୁଲା, ଡଗରା, ଚାନ୍ଦମଣି, କରଞ୍ଜ, ଚୌମୁଖ, କଙ୍କଡାପାଳ, ପଞ୍ଚୁପାଲି, ରତେଇ, ଜଗତିପୁର, ବଡାଶ, ମାଣିକସିମୁଳିଆ, ପ୍ରତାପପୁର, ସୁରଡିହା, ରାଉତୁରା, ଭାନୁପୁର ଆଦି ଗାଁର ଲୋକେ ନିଜ ବ୍ୟକ୍ତିଗତ ଜମିରେ ମଧ୍ୟ କାଜୁ ଚାଷ କରି ସ୍ବାବଲମ୍ବୀ ହୋଇପାରିଛନ୍ତି । ଚଳିତ ବର୍ଷ ଉଦ୍ୟାନ କୃଷୀ ବିଭାଗ ତରଫରୁ ଜମ୍ଭିରାଇ, ଜଗତିପୁର, ବେତଗଡିଆ, ଡଗରା ପଞ୍ଚାୟତରେ ୩୬ ଜଣ ଚାଷୀଙ୍କ ୩୦ ହେକ୍ଟର ଜମିରେ କାଜୁ ଚାରା ରୋପଣ କରାଯାଇଛି । କାଜୁ ଅମଳ ପରେ ଚାଷୀ ଅଭାବୀ ବିକ୍ରିର ସମ୍ମୁଖୀନ ହେଉଛନ୍ତି । ସରକାରୀ ମଣ୍ଡି ନଥିବା ଯୋଗୁ ଚାଷୀ ସ୍ଥାନୀୟ ବ୍ୟବସାୟୀଙ୍କୁ କିଲୋ ପ୍ରତି ୫୦/୬୦ ଟଙ୍କାରେ ବିକ୍ରି କରୁଛନ୍ତି । ବାଲିଆପାଳରୁ ଅମଳ ହେଉଥିବା କାଜୁ ସାଧାରଣତଃ ପଶ୍ଚିମବଙ୍ଗକୁ ରପ୍ତାନୀ ହୋଇଥାଏ । ପଶ୍ଚିମବଙ୍ଗର କାନ୍ଥିରେ କାଜୁ ପ୍ରକ୍ରିୟାକରଣ ହୋଇ ଦେଶ ତଥା ଦେଶ ବାହାରକୁ ଯାଇଥାଏ । କାଜୁ ଗଛରେ ପୋକ ଲାଗି ଚାଷୀମାନେ କ୍ଷତିଗ୍ରସ୍ତ ହେଉଥିବାବେଳେ ସରକାରଙ୍କ ତରଫରୁ ରୋଗ ପୋକ ନିୟନ୍ତ୍ରଣ ପାଇଁ କୌଣସି ସଚେତନତା କାର୍ଯ୍ୟକ୍ରମ ନଥିବାରୁ ଚାଷୀ ବହୁ ମାତ୍ରାରେ କ୍ଷତିଗ୍ରସ୍ତ ହେଉଛନ୍ତି । ସଚେତନତା ଶିବିର କେବଳ କାଗଜ କଲମରେ ହେଉଥିବା ବହୁ ଚାଷୀ ଅଭିଯୋଗ କରିଛନ୍ତି । ବାଲିଆପାଳର କାଜୁ ଚାଷୀ ବହୁ କମ ଟଙ୍କାରେ ସେମାନଙ୍କ କାଜୁ ବିକ୍ରି କରିବା ପାଇଁ ବାଧ୍ୟ ହେଉଛନ୍ତି । ବାଲିଆପାଳ ବ୍ଲକରେ ୨୦ ହଜାର କ୍ବିଣ୍ଟାଲରୁ ଊର୍ଦ୍ଧ୍ବ କାଜୁ ଅମଳ ହେଉଛି । ମୁନାଫାଖୋର ବ୍ୟବସାୟୀମାନେ ଭଲ ଲାଭ କରୁଛନ୍ତି । ବାଲିଆପାଳରେ ସରକାର ଯଦି ଏକ କାଜୁ ପ୍ରକ୍ରିୟକରଣ କାରଖାନା ପ୍ରତିଷ୍ଠା କରନ୍ତେ, ତାହେଲେ ସ୍ଥାନୀୟ କାଜୁ ଚାଷୀ ଉପକୃତ ହେବା ସହ ନୂଆ ଚାଷୀ ମଧ୍ୟ ଏହି ଚାଷ ପ୍ରତି ଆକୃଷ୍ଟ ହୁଅନ୍ତେ । ଏହି ବ୍ଲକର ଉପକୂଳ ୧୧ ଟି ପଞ୍ଚାୟତରେ ୭ ହଜାର ୨ ଶହ ଏକର ସରକାରୀ ଜମିରେ କାଜୁ ଜଙ୍ଗଲ ସୃଷ୍ଟି କରି ଲୋକେ ରୋଜଗାରକ୍ଷମ ହୋଇପାରନ୍ତେ । ବାଲିଆପାଳରେ ଯଥାଶୀଘ୍ର ଏକ ପ୍ରକ୍ରିୟକରଣ କାରଖାନା ଏବଂ ସରକାରୀ ମଣ୍ଡି ଖୋଲିବାକୁ ସନ୍ତୋଷ ଖଣ୍ଡା, ବିଦ୍ୟାଧର ମିଶ୍ର, କାର୍ତ୍ତିକ ସାହୁ, ମନ୍ମଥ ପାତ୍ର, ସୁବାସ ଚୌଧୁରୀ ପ୍ରମୁଖ ବହୁ ଚାଷୀ ଦାବି କରିଛନ୍ତି ।

Leave a Reply

Your email address will not be published. Required fields are marked *