ପର ପିଣ୍ଡାରେ ଆଶ୍ରୟ ନେଉଛନ୍ତି ଅନାଥ ୫ ଶିଶୁ

ଖିଚିଂ : ଅନାଥ ହୋଇଗଲେ କୋମଳମତି ୫ ଶିଶୁ । ବର୍ଷକ ତଳେ ବାପାଙ୍କୁ ହରାଇଥିଲେ । ଆଉ ଗୁରୁବାର ରାତିରେ ମା’ ବି ଛାଡ଼ି ଚାଲିଗଲେ । ଖାଇବାକୁ ଦାନା ନାହିଁ କି ପିନ୍ଧିବାକୁ ବସ୍ତ୍ର ନାହିଁ । ଘର ନ ଥିବାରୁ ଶୀତକାକରରେ ପଡ଼ୋଶୀଙ୍କ ପିଣ୍ଡାରେ ଆଶ୍ରୟ ନେଇଛନ୍ତି । ମୟୂରଭଞ୍ଜ ଜିଲ୍ଲା ଶୁକୃଳି ବ୍ଲକ ଅନ୍ତର୍ଗତ ତେରଣ୍ଟି ପଞ୍ଚାୟତ ଭାଳିଆଡିହା ଗାଁର ରବି ତିରିଆଙ୍କ ବଡ଼ଝିଅ ଶାନ୍ତି (୧୨), ପଦ୍ମିନୀ (୪), ପୁଅ ଜଙ୍ଗା (୧୦), ମୁକେଶ (୫) ଓ ଦେଢବର୍ଷର ଶିଶୁ ପାପୁନଙ୍କ କରୁଣ ଅବସ୍ଥା ଦେଖିଲେ ଭଗବାନଙ୍କ ଆଖରେ ବି ଲୁହ ଆସିଯିବ । ଭାଳିଆଡ଼ିହା ରେମଚାସାହିର ଏକ ଝୁମ୍ପୁଡ଼ି ଘରେ ମୁଣ୍ଡ ଗୁଞ୍ଜିଥିଲେ ରବି ତିରିଆ, ତାଙ୍କ ସ୍ତ୍ରୀ ସୋମବାରୀ ଓ ୫ ଶିଶୁ ସନ୍ତାନ । ମୂଲମଜୁରି ଲାଗି ଦୁଃଖକଷ୍ଟେ ଚଳୁଥିଲା ପରିବାର । ହେଲେ ଦଇବ ସହିଲାନି । ଯକ୍ଷ୍ମା ରୋଗରେ ପୀଡ଼ିତ ହୋଇ ବର୍ଷକ ତଳେ ଆରପାରିକୁ ଚାଲିଗଲେ ରବି । ଅଭାବ ଅନଟନ ଯୋଗୁଁ ସୋମବାରୀ ୫ ପିଲାଙ୍କୁ ପାଳିବା କଷ୍ଟକର ହୋଇପଡ଼ିଲା । ନିଜେ ଭୋକଉପାସରେ ରହିବାରୁ ରକ୍ତହୀନତା ଓ ଅପପୃଷ୍ଟି କାରଣରୁ ଗତ ଗୁରୁବାର ରାତିରେ ସୋମବାରୀ (୨୮) ୫ ସନ୍ତାନଙ୍କୁ ଛାଡ଼ି ଆରପାରିକୁ ଚାଲିଗଲେ । ୫ ଶିଶୁ ଏବେ ସଂପୂର୍ଣ୍ଣ ବେସାହାରା । ଖାଦ୍ୟ ଅଭାବରୁ ଦେଢ଼ବର୍ଷ ଶିଶୁଟିର ସ୍ୱାସ୍ଥ୍ୟବସ୍ଥା ଭଲ ନାହିଁ । ସୋମବାରୀଙ୍କ ମୃତ୍ୟୁ ପରେ ପଞ୍ଚାୟତକୁ ଖବର ଦିଆଯାଇଥିଲେ ମଧ୍ୟ ଅନ୍ତିମ କ୍ରିୟାକର୍ମରେ ଫୁଟା କଉଡ଼ିଟେ ବି ସହାୟତା ମିଳିଲାନି । ପିଲାମାନଙ୍କ ବିକଳ କ୍ରନ୍ଦନ ସହି ନପାରି ଗ୍ରାମବାସୀ ଶେଷକୃତ୍ୟ ସଂପନ୍ନ କରିଥିଲେ । ଏବେ ପରପିଣ୍ଡା ହିଁ ଆଶ୍ରା । ଦାରିଦ୍ର୍ୟ କଷାଘାତରେ ଥିବା ବାପା, ମା’ ଛେଉଣ୍ଡ ଏହି ଶିଶୁମାନଙ୍କୁ ସରକାରୀସ୍ତରରେ ଥଇଥାନ କରାଗଲେ ତାହା ସେମାନଙ୍କ ଲାଗି ବଞ୍ଚିବାର ରାହା ହେବ ।

Leave a Reply

Your email address will not be published. Required fields are marked *