ଗୋପାଳପୁର : ଭୁବନେଶ୍ବରର ଦୁଇ ଡିଜାଇନରଙ୍କ ଆଖିରେ ଲଙ୍କାଗୁଣ୍ଡ ପକାଇ ଅପହରଣ ସହ ୩୦ ଲକ୍ଷ ଟଙ୍କା ବଟି ଦାବି ନେଇ ଗୋଳନ୍ଥରା ଥାନାରେ ଏକ ଲିଖିତ ଅଭିଯୋଗ କରାଯାଇଛି । ଅଭିଯୋଗ ଅନୁଯାୟୀ ଲଉଡିଗାଁ ଠାରେ ନିର୍ମିତ ହେଉଥିବା ଆଇଜର କୋଠାରେ ଡିଜାଇନର କାମ ନିମନ୍ତେ ଏକ ଫୋନ କଲ ପାଇ ଭୁବନେଶ୍ବର ଖଣ୍ଡଗିରି ଅଞ୍ଚଳର ଦୁଇ ଡିଜାଇନର ଦିବ୍ୟସ୍ମୃତି ସାହୁ ଓ ତାଙ୍କ ସାଙ୍ଗ ସେଖ ସେହେନେବାଜ ଗତ ୩ ତାରିଖରେ ନିଜର କାର ଯୋଗେ ଭୁବନେଶ୍ବରରୁ ବାହାରିବା ପରେ ସନ୍ଧ୍ୟା ସମୟରେ ଲଉଡିଗାଁ ରାସ୍ତାରେ ଷୋଳାବିନ୍ଧା ଛକରେ ୫ ଜଣ ଯୁବକ ହଠାତ କାର ନିକଟକୁ ଆସି ଉଭୟଙ୍କ ଆଖିରେ ଲଙ୍କାଗୁଣ୍ଡ ଫିଙ୍ଗିବା ସହ କାରରେ ଉଭୟଙ୍କୁ ଅପହରଣ କରି ନେଇଥିଲେ । ଅପହରଣ ପରେ ଯୁବକମାନେ ରାତି ତମାମ ଅସିକା, ହିଞ୍ଜିଳିକାଟୁ ସମେତ ଅନ୍ୟାନ୍ୟ ସ୍ଥାନ ବୁଲାଇବା ସହ ୩୦ ଲକ୍ଷ ଟଙ୍କା ବଟି ଦେବାକୁ ଦାବି କରିଥିଲେ । ଏହା ସହ ଉଭୟଙ୍କ ନିକଟରେ ଥିବା ବିଭିନ୍ନ କାଗଜପତ୍ର ସମେତ ମୋବାଇଲ ଫୋନ, ଆଇପଡ ସହ ଏଟିଏମ ପ୍ରଭୃତି ସାମଗ୍ରୀ ନେଇ ଯାଇଥିଲେ । ଗତ ୪ ତାରିଖ ସକାଳ ସମୟରେ କାରଟି ବ୍ରହ୍ମପୁର ଗେଟ ବଜାର ଅଞ୍ଚଳ ଦେଇ ଆଗକୁ ଯିବା ସମୟରେ କୈଶଳ କ୍ରମେ ଉଭୟ କାରରୁ ଖସି ଯିବାରେ ସକ୍ଷମ ହୋଇଥିଲେ । ଘଟଣା ପରେ ଗୋଳନ୍ଥରା ଥାନାରେ ଉଭୟଙ୍କ ପକ୍ଷରୁ ଲିଖିତ ଅଭିଯୋଗ କରାଯାଇଥିଲା । ଅଭିଯୋଗକୁ ଭିତ୍ତି କରି ପୁଲିସ ଏକ ମାମଲା ରୁଜୁ କରିବା ସହ ତଦନ୍ତ ଆରମ୍ଭ କରିଥିଲା । ଏହି ସମୟରେ ୪ ତାରିଖ ସନ୍ଧ୍ୟା ଲୁଟ ହୋଇଥିବା କାରକୁ ଅନ୍ଧପସରା ରୋଡରୁ ପୁଲିସ ଉଦ୍ଧାର କରିଥିବା ଜଣାପଡିଛି । ଅନ୍ୟ ପଟେ ଦିବ୍ୟସ୍ମୃତି ଓ ସେହେନବାଜକୁ ଆଇଜରରୁ କିଏ ଫୋନ କରିଥିଲେ, ତାହା ମଧ୍ୟ ସଠିକ ଭାବେ ଉଭୟ ପୁଲିସକୁ ସୂଚନା ଦେଇ ପାରୁନଥିବା ଜଣାପଡିଛି । ପୁଲିସ ପକ୍ଷରୁ ଘଟଣାକୁ ଗୁରୁତର ସହ ଗ୍ରହଣ କରାଯାଇ ଉଭୟ ଯୁବକଙ୍କ ଫୋନକୁ ଟ୍ରାକିଂ କରାଯାଉଥିବା ବେଳେ କେତେକ ସ୍ଥାନର ସିସିଟିଭି ଫୁଟେଜ ସଂଗ୍ରହ କରାଯାଉଥିବା ଜଣାପଡିଛି ।
