କଲ୍ୟାଣସିଂହପୁର : ୩ ଛୁଆଙ୍କ ମୁଣ୍ଡରୁ ହଟିଗଲା ବାପା-ମା’ଙ୍କ ସହାରା । ଖେଳିବା ପାଠପଢ଼ିବା ବୟସରେ ଅନାଥ ହୋଇଗଲେ ୩ ଛୁଆ । ଏପରି ଏକ ଅଭାବନୀୟ ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ରାୟଗଡା ଜିଲ୍ଲା ମାଝୀଗୁଡା ପଞ୍ଚାୟତର ନିମାଝୋଲା ଗାଁରେ । ସୂଚନା ଅନୁସାରେ ପ୍ରାୟ ୮ ବର୍ଷ ହେବ ୩ ପିଲାମାନଙ୍କ ବାପା ମାଣି କଣ୍ଡାଗରୀଙ୍କ ମୃତ୍ୟୁ ହୋଇଥିଲା । ପରେ ମା’ ସିଙ୍ଗାରି କଣ୍ଡାଗରୀ ୩ ଝିଅ ଓ ଗୋଟିଏ ପୁଅକୁ ନେଇ ବହୁ ଦୁଃଖ କଷ୍ଟରେ ରହୁଥିଲେ ଏବଂ ପରଘରେ କାମକରି ନିଜ ପିଲାଙ୍କ ପେଟକୁ ଦାନା ଦେଉଥିଲେ ମା’ ସିଙ୍ଗାରି । ପ୍ରଶାସନ ପକ୍ଷରୁ ସହାୟତା କହିଲେ କେବଳ ୨୫ କିଲୋ ଚାଉଳ ସହ ବିଧବା ଭତ୍ତା ୫୦୦ ଟଙ୍କା ପାଉଥିଲେ । ହେଲେ ଘର କି ପିଲାମାନଙ୍କ କୌଣସି ସହାୟତା ସରକାରଙ୍କ ପକ୍ଷରୁ ଯୋଗାଇ ଦିଆଯାଇନଥିଲା । ହେଲେ ପରବର୍ତ୍ତୀ ସମୟରେ ମା ସିଙ୍ଗାରି ମଧ୍ୟ ହଟାତ ଅସୁସ୍ଥତା କାରଣରୁ ଗତ ଡିସେମ୍ବର ମାସ ୨୫ ତାରିଖରେ ତାଙ୍କର ମୃତ୍ୟୁ ହୋଇଥିଲା । ଫଳରେ ତିନି ପିଲା ଅନାଥ ହୋଇଯାଇଛନ୍ତି । ୩ ଜଣଙ୍କ ମଧ୍ୟରୁ ଦ୍ୱିତୀୟ ଝିଅ ଭବାନୀ କଣ୍ଡାଗରୀ (୧୨) ସପ୍ତମ ଶ୍ରେଣୀ, ତୃତୀୟ ଝିଅ ହାଇମା କଣ୍ଡାଗରୀ ( ୧୧) ଷଷ୍ଠ ଶ୍ରେଣୀ ଓ ସାନ ପୁଅ ନୀଳକଣ୍ଠ କଣ୍ଡାଗରୀ (୬)ପ୍ରଥମ ଶ୍ରେଣୀରେ ପାଠ ପଡୁଛନ୍ତି । ଏହି ଅନାଥ ବା ବାପା ମା ଛେମୁଣ୍ଡ ପିଲା ମାନେ କେମିତି ପାଠ ପଢ଼ିବେ, ସେମାନଙ୍କ ଘର କେମିତି ଚାଲିବ ବୋଲି ସମସ୍ତେ ଚିନ୍ତିତ ହୋଇଛନ୍ତି । ଏହି ପରିବାରକୁ ମଧ୍ୟ ଆବାସ ଯୋଜନାରେ ସାମିଲ କରାଯାଇନାହିଁ । ଯେହେତୁ ଘର ଖଣ୍ଡିଏ ମିଳି ପାରିନାହିଁ । ଗାଁରେ ଯିଏ ଯାହା ଦେଲେ ତାହା ଖାଇ ଛିଣ୍ଡା ମସିଣା ଭଙ୍ଗା ଘରେ ଭାଗ୍ୟକୁ ଆଦରି ପଡିରହିଛନ୍ତି । ଏହି ଅନାଥ ପରିବାରକୁ ପ୍ରଶାସନ ପକ୍ଷରୁ ପିଲାଙ୍କ ଭବିଷ୍ୟତ ପାଇଁ ଭଲ ହଷ୍ଟେଲ ବ୍ୟବସ୍ଥା କରି ଥଇଥାନ ଓ ସହଯୋଗ କରାଯାଉ ବୋଲି ଗ୍ରାମର ବିନାୟକ କଣ୍ଡାଗରି, ରଘୁ ହୁଈକା, ରକି କଣ୍ଡାଗରୀ, ହଳ କଣ୍ଡାଗରି, ବୁର୍ସା କଣ୍ଡାଗରୀ, ନାରାୟଣ କଣ୍ଡାଗରି ପ୍ରମୁଖ ଦାବି କରିଛନ୍ତି । ଏବିଷୟରେ ବିଡ଼ିଓ ସୁଧାକର ରଇତଙ୍କୁ ପଚାରିବାରୁ ସେ କହିଲେ ଡାବ୍ଲୁୟଙ୍କ ସହିତ କଥା ହୋଇ ସେମାନଙ୍କ ଉଚ୍ଚ ଶିକ୍ଷା ବ୍ୟବସ୍ଥା କରିବା କହିଥିଲେ । ମୁଁ ସେହି ଅଞ୍ଚଳ ପରିଦର୍ଶନରେ ଯାଇ ସମସ୍ୟା ବୁଝିବି କହିଥିଲେ ।
