ଭୁବନେଶ୍ୱର : ରାଜ୍ୟରେ କରୋନାର ନୂତନ ପ୍ରଜାତି ‘ଓମିକ୍ରନ’କୁ ରୋକିବା ଦିଗରେ ସରକାରଙ୍କ ପକ୍ଷରୁ ତତ୍ପରତା ପ୍ରକାଶ ପାଇଛି । ସୋମବାର ଏ ସଂକ୍ରାନ୍ତରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦେଶକ୍ରମେ ସ୍ବାସ୍ଥ୍ୟମନ୍ତ୍ରୀ ନବକିଶୋର ଦାସଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକ ପରେ ମନ୍ତ୍ରୀ ଶ୍ରୀ ଦାସ ସୂଚନା ଦେଇଛନ୍ତି ଯେ ପଡୋଶୀ ରାଜ୍ୟରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ୁଥିବାବେଳେ ଓଡ଼ିଶାରେ ଏବେ ଏହାର ହାର କମ୍ ରହିଛି । ମାତ୍ର ଏହାକୁ ହାଲୁକା ଭାବେ ଗ୍ରହଣ କରିହେବନାହିଁ । ସରକାରଙ୍କ ପକ୍ଷରୁ ଓମିକ୍ରନର ଗତିପଥକୁ ରୋକିବା ଲାଗି ଶଯ୍ୟା ସଂଖ୍ୟା ବୃଦ୍ଧି ସହିତ ‘ଅମ୍ଳଜାନ’ ସଂରକ୍ଷଣ ଓ ଆନୁଷଙ୍ଗିକ ଔଷଧପତ୍ର ମହଜୁଦ ଉପରେ ଗୁରୁତ୍ବ ଦିଆଯାଇଛି । ଏବେ ଅମ୍ଳଜାନର ସଙ୍କଟ ନାହିଁ, ଓମିକ୍ରନର ସ୍ପଷ୍ଟ ମାର୍ଗଦର୍ଶିକା ନଥିବାରୁ ଏନେଇ ରାଜ୍ୟ ସରକାରଙ୍କ ପକ୍ଷରୁ କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟକୁ ପତ୍ର ଲେଖିବାକୁ ବୈଠକରେ ନିଷ୍ପତ୍ତି ହୋଇଇଛି । ଅନ୍ୟପକ୍ଷରେ ଆଜିଠାରୁ ୧୫ ରୁ ୧୮ ବର୍ଷର କିଶୋରଙ୍କ ପାଇଁ ଟିକାକରଣ ଆରମ୍ଭ ହୋଇଛି । ଏଥିପାଇଁ ୪୫ ହଜାର ପଞ୍ଜୀକରଣ ହୋଇଥିବାବେଳେ ଯେଉଁମାନେ ପଞ୍ଜୀକରଣ କରିନାହାନ୍ତି ସେମାନଙ୍କୁ କେନ୍ଦ୍ରରେ ପଞ୍ଜୀକରଣ କରି ଟିକା ଦେବାକୁ ନିଷ୍ପତ୍ତି ହୋଇଛି । ଶ୍ରୀ ଦାସଙ୍କ ସୂଚନା ଅନୁଯାୟୀ ରାଜ୍ୟରେ ଏବେ ୫୩୧୧ ସାଧାରଣ ଶଯ୍ୟା ରହିଥିବାବେଳେ ୧୩୭୪ ଟି ଜୀବନ ରକ୍ଷାକାରୀ ଶଯ୍ୟା, ୬୨୪ ଟି ଅମ୍ଳଜାନ ସଂଯୁକ୍ତ ଜୀବନ ରକ୍ଷାକାରୀ ଶଯ୍ୟା ରହିଛି । ଶିଶୁଙ୍କ ଲାଗି ସ୍ବତନ୍ତ୍ର ଭାବେ ୧୧୮୫ ଟି ବିଭିନ୍ନ ବର୍ଗର ଶଯ୍ୟା ପ୍ରସ୍ତୁତ ରଖାଯାଇଛି । ଏହା ସହିତ ଖୋର୍ଦ୍ଧାରେ ୨୦୦, କଟକ ବଡ଼ ମେଡିକାଲରେ ୬୦୦, ଅଶ୍ବିନୀରେ ୫୦, ରାଉରକେଲାରେ ୬୦ ଟି ଶଯ୍ୟା ବଢ଼ାଯିବାକୁ ଯୋଜନା ରହିଛି ।
