ତେଲକୋଇ : କେନ୍ଦୁଝର ବନଖଣ୍ଡର ତେଲକୋଇ ରେଞ୍ଜରେ ହାତୀପଲଙ୍କ ଉପଦ୍ରବ ଥମିବାର ନାଁ ଧରୁନି । ପ୍ରଥମେ ଜମିରେ ଧାନଫସଲ ନଷ୍ଟ କରୁଥିଲେ ହାତୀପଲ । ଏବେ ଧାନ ଆମଳ ପରେ ଘର ଉପରେ ଲୋଲୁପ ଦୃଷ୍ଟି ପଡିଛି ଗଜରାଜଙ୍କର । ଫଳରେ ସଂଞ୍ଜ ନଇଁଲେ ଭୟଭୀତ ହୋଇପଡୁଛନ୍ତି ଲୋକେ । ଘରେ ଶୋଇଥିବା ବେଳେ ଘର ଭାଙ୍ଗୁଥିବାରୁ ଲୋକଙ୍କ ଜୀବନ ଏବେ ସଂଙ୍କଟରେ ପଡିଯାଇଛି । ରବିବାର ବିଳମ୍ବିତ ରାତିରେ ହାତୀପଲ ବିମଳା ଫରେଷ୍ଟ ବିଟର ସୁନ୍ଦରିଆ ଗାଁ ଭଗାମୁଣ୍ଡା ସାହିରେ ପଶି ନିତ୍ୟାନନ୍ଦ ନାୟକଙ୍କ ଚାରି ବଖରା ଘରକୁ ସଂମ୍ପୂର୍ଣ ଭାଙ୍ଗି ପକାଇଛନ୍ତି ଆଠ ଟିକିଆ ହାତୀପଲ । ଧାନଘରକୁ ଭାଙ୍ଗିବା ସହ ସେମାନେ ଧାନଚାଉଳ ଖାଇଯାଇଛନ୍ତି । ସେପଟେ ରୋଷେଇ ଘର ମଧ୍ୟ ହାତୀଙ୍କ ଆକ୍ରୋଶରୁ ବର୍ତ୍ତି ପାରିନି । ରୋଷେଇ ଘର ଭାଙ୍ଗି ଭାତହାଣ୍ଡିରୁ ଭାତ ଖାଇ ହାଣ୍ଡି ଡେକଚିକୁ ଦଳିମକଚି ନଷ୍ଟ କରିପକାଇଛନ୍ତି । ହାତୀପଲ ଘର ଭାଙ୍ଗିବା ଦେଖି ପରିବାର ଲୋକେ ଭୟରେ ଘରୁ ବାହାରି ସାହିକୁ ସାହାଯ୍ୟ ପାଇଁ ଯାଇଥିଲେ । ସାହିଲୋକ ଆସି ନିଆଁ ହୋଳା ସାହାଯ୍ୟରେ ହାତୀପଲଙ୍କୁ ଘଉଡାଇଥିଲେ । ସେତେବେଳକୁ ହାତୀପଲ ଘରକୁ ସମ୍ପୂର୍ଣ୍ଣ ଭାଙ୍ଗି ନଷ୍ଟ କରିସାରିଥିଲେ । ସନ୍ଧ୍ୟା ସମୟରୁ ବିଦ୍ୟୁତ କାଟ୍ ସହିତ ହାତୀପଲଙ୍କୁ ଘଉଡାଇବାରେ ବନବିଭାଗର ଅବହେଳା ଲୋକଙ୍କ ଧନଜୀବନ ବିପଦରେ ପକାଉଥିବା ଅଭିଯୋଗ ହୋଇଛି । ଏ ସମ୍ପର୍କରେ ତୁରନ୍ତ ଜିଲ୍ଲା ପ୍ରଶାସନ ପଦକ୍ଷେପ ଗ୍ରହଣ ପାଇଁ ଲୋକେ ଦାବି କରିଛନ୍ତି ।
