ବଣାଇ : ସୁନ୍ଦରଗଡ଼ ଜିଲ୍ଲା ବଣାଇର ପ୍ରସିଦ୍ଧ ଖଣ୍ଡାଧାର ଜଳପ୍ରପାତ ପାଦ ଦେଶରେ ଥିବା ଇକୋ ଟୁରିଜିମର ବିଭିନ୍ନ ନବୀକରଣ କାର୍ଯ୍ୟକୁ ଆଜି କୋଭିଡ ନିୟମ ପାଳନ ଅନୁସାରେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପବନ କଲ୍ୟାଣଙ୍କ ଦ୍ୱାରା ଆନୁଷ୍ଠାନିକ ଭାବେ ଉଦଘାଟିତ ହୋଇଯାଇଛି । ସେଠାରେ ନୂତନ ଭାବେ ଖୋଲାଯାଇଥିବା ଫୁଡ କୋର୍ଟ, ମୁଖ୍ୟ ପ୍ରବେଶ ଦ୍ୱାର, କଫି ଷ୍ଟଲ, ବିପ୍ପଣୀ ଗୃହ, ପ୍ରଦର୍ଶନୀ ଗୃହ, ଶିଶୁ ଉଦ୍ୟାନ, ଅଭ୍ୟର୍ଥନା କକ୍ଷ ଏବଂ ଆକାଶ ମାର୍ଗରେ ସାଇକେଲ ଚାଳନା ବ୍ୟବସ୍ଥାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଛି । ଖଣ୍ଡାଧାର ଜଳପ୍ରପାତ ଇକୋ ଟୁରିଜିମ ମାନ୍ୟତା ପାଇଥିବା ବେଳେ ସ୍ଥାନୀୟ ବନ ବିଭାଗ ଏହାର ପରିଚାଳନା ଦାୟିତ୍ୱ ନେଇଛନ୍ତି । ଏଥିପାଇଁ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ପକ୍ଷରୁ ୩ କୋଟି ଟଙ୍କା ବ୍ୟୟ ଅଟକଳରେ ଏହି ସବୁ ନବୀକରଣ କାର୍ଯ୍ୟ କରାଯାଇଥିବା ବେଳେ ଆଗାମୀ ଦିନରେ ଏହାର ଅଧିକ ଉନ୍ନୟନ ମୂଳକ କାର୍ଯ୍ୟ କରାଯିବ ବୋଲି ପ୍ରକାଶ କରାଯାଇଛି । ଆଜିର ଏହି ଉଦଘାଟନ ଉତ୍ସବରେ ଅନ୍ୟମାନଙ୍କ ମଧ୍ୟରେ ବଣାଇ ଉପଜିଲ୍ଲାପାଳ ପ୍ରଦୀପ କୁମାର ଡାଙ୍ଗ, ବଣାଇ ବନଖଣ୍ଡ ଅଧିକାରୀ ସନତ କୁମାର ଏନ, ବଣାଇ ସମ୍ମନିତ ଆଦିବାସୀ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ପ୍ରଶାସକ ଲଲାଟ କୁମାର ଲୋହା, ସହକାରୀ ବନ ସଂରକ୍ଷକ ମହେନ୍ଦ୍ର କୁମାର ନାଥ ଏବଂ ସମୀର ତିର୍କି, କୁଳିପୋଷ ବନାଞ୍ଚଳ ଅଧିକାରୀ ମୁକ୍ତିକାନ୍ତ ପରିଡା ତଥା ବନ ବିଭାଗର କର୍ମଚାରୀମାନେ ଉପସ୍ଥିତ ଥିଲେ ।
