ଭୁବନେଶ୍ୱର : ଏପଟେ ବିଏମ୍ସି ଏବଂ ପୁଲିସର ମିଳିତ ଟିମ୍ ରାଜଧାନୀର ବିଭିନ୍ନ ଫାଷ୍ଟଫୁଡ ଦୋକାନ, ରେଷ୍ଟୁରାଣ୍ଟ ଉପରେ ଚଢଉ କରିଥିଲା । ଜାଗମରାରେ ଥିବା ଫୁଡ୍କୋଟ୍ରେ ସନ୍ଧ୍ୟାରେ ପ୍ରବଳ ଗହଳି ଦେଖିବାକୁ ମିଳିଥିଲା । ଏକାଧିକ ଲୋକ ସାମାଜିକ ଦୂରତା ଭୁଲି ଖିଆପିଆ କରୁଥିଲେ । କଟକଣାକୁ ବେଖାତିର କରି ଭିଡ ଜମାଇଥିଲେ । ଏନେଇ ବିଏମ୍ସି ପାଖରେ ଖବର ପହଞ୍ଚିବା ପରେ ଦକ୍ଷିଣ-ପୂର୍ବ ଜୋନ୍ ଜେଡିସିଙ୍କ ନେତୃତ୍ୱରେ ଚଢଉ ଆରମ୍ଭ ହୋଇଥିଲା । ବିଏମ୍ସି ପକ୍ଷରୁ ଦୋକାନ ଗୁଡିକ ବନ୍ଦ କରିବା ଏହା ସହ ଆସନ୍ତା ୨ ତାରିଖ ପର୍ଯ୍ୟନ୍ତ ମାର୍କେଟକୁ ସିଲ କରାଯାଇଛି । ସେହିପରି ନ୍ୟୁ ଏୟାରପୋର୍ଟ ରୋଡ୍, ଶିରିପୁର ମାର୍କେଟ, ଗୋପବନ୍ଧୁ ଛକ ଏବଂ ପୁରୁଣା ଏୟାରପୋର୍ଟ ପଛପଟରେ ଥିବା ଫାଷ୍ଟଫୁଡ୍ ଦୋକାନକୁ ମଧ୍ୟ ବିଏମ୍ସି ସିଲ କରିଛି । ରାମମନ୍ଦିର ନିକଟରେ ଥିବା ଖାଓଗଳିକୁ ମଧ୍ୟ ବିଏମ୍ସି ଏବଂ ପୁଲିସ ପକ୍ଷରୁ ଚଢଉ କରି ସିଲ କରାଯାଇଛି । ନୂଆବର୍ଷ ଆସୁଥିବାରୁ ରାଜଧାନୀରେ କଟକଣାକୁ ଜୋରଦାର କରାଯାଇଛି । ଫାଷ୍ଟଫୁଡ୍ ଏବଂ ରେଷ୍ଟୁରାଣ୍ଟରେ ଭିଡ ନ ଜମିବ ସେ ନେଇ ବିଏମ୍ସି ପକ୍ଷରୁ ଆଗୁଆ ପଦକ୍ଷେପ ନିଆଯାଇଛି ।
