ବଢ଼ିବାରେ ଲାଗିଛି ହାତୀଙ୍କ ଆତଙ୍କ

ରାଇଘର : ନବରଙ୍ଗପୁର ଜିଲା ରାଇଘର ବ୍ଲକ ଅନ୍ତର୍ଗତ କୁନ୍ଦେଇ ପଞ୍ଚାୟତ ସମ୍ବଲପୁର ନିକଟ ହାତିଗାଁ ସଂରକ୍ଷିତ ଜଙ୍ଗଲରେ ହାତୀପଲ ଆତଙ୍କ ଖେଳାଇଛନ୍ତି । ଗତକାଲି ରାତିରୁ ଛତିଶଗଡ଼ ଗରିଆବନ୍ଧର ସାଲେଭାଟା ଜଙ୍ଗଲରୁ ହାତୀପଲ ଆସି ସାରାରାତି ଓଡ଼ିଶା ଜଙ୍ଗଲରେ ତାଣ୍ଡବ ରଚିଛନ୍ତି । ମକା ଫସଲ ନଷ୍ଟ କରି ଫେରି ଯିବା ପରେ ପୁଣି ସକାଳୁ ଛତିଶଗଡ଼ ଜଙ୍ଗଲରୁ କାଣ୍ଡେତରା ଜଙ୍ଗଲକୁ ପଶି ଆସି ଆତଙ୍କ ଖେଳାଇଛନ୍ତି । ଗାଁ ମୁଣ୍ଡରେ ହାତୀପଲ ପହଞ୍ଚିବା ପରେ ଗ୍ରାମବାସୀଙ୍କ ମହଲରେ ଭୟର ବାତାବରଣ ଦେଖାଦେଇଛି । ରାଇଘର ବନାଞ୍ଚଳ ଅଧିକାରୀଙ୍କ ନିର୍ଦେଶକ୍ରମେ ବନପାଳ ପ୍ରଫୁଲ୍ଲ ମାଝି ଓ ଫରେଷ୍ଟ ଗାର୍ଡ ଭବାନୀ ବିଶୋଇ ସହିତ ପାରା ଗାର୍ଡ ଓ ବନ୍ୟପ୍ରାଣୀ ସୁରକ୍ଷା ସ୍କ୍ବାର୍ଡକୁ ନେଇ ଏକ ଦଳ ଆଜି ସକାଳୁ ହାତୀଗାଁ ସଂରକ୍ଷିତ ଜଙ୍ଗଲର କାଣ୍ଡେତରା ଜଙ୍ଗଲ ମଧ୍ୟରେ ପଶି ହାତୀପଲର ଗତିବିଧି ଦେଖିଥିଲେ । ବର୍ତ୍ତମାନ ସୁଦ୍ଧା ହାତୀପଲ ଓଡ଼ିଶା ମଧ୍ୟରେ ରହିଥିବା ସୂଚନା ମିଳିଛି । ଅଞ୍ଚଳବାସୀ ଭୟଭୀତ ହୋଇ ରହିଛନ୍ତି । ଜଙ୍ଗଲ ହ୍ରାସ ପାଇବା ସହିତ ବନ୍ୟପ୍ରାଣୀଙ୍କ ଖାଦ୍ୟ ଅଭାବ ଯୋଗୁ ଏଭଳି ହାତୀପଲ ଓ ଅନ୍ୟ ବନ୍ୟପ୍ରାଣୀ ଏବେ ଗାଁ ମୁହାଁ ହେଉଥିବା ଜଣାପଡିଛି । ରାଇଘର ସୀମାନ୍ତ ଜଙ୍ଗଲ ଅଞ୍ଚଳରେ ରହୁଥିବା ଲୋକେ ପ୍ରାୟ ସମୟରେ ହାତୀପଲ ଓ ଅନ୍ୟାନ୍ୟ ବନ୍ୟପ୍ରାଣୀଙ୍କ ସହିତ ସାମ୍ନାସାମ୍ନୀ ହେଉଥିବା ଦେଖିବାକୁ ମିଳୁଛି । ବନ ବିଭାଗ ପକ୍ଷରୁ ତୁରନ୍ତ ହାତୀ ପଲକୁ ଘଉଡାଇବା ପାଇଁ ପଦକ୍ଷେପ ନେବାକୁ ଗ୍ରାମବାସୀ ଦାବି କରିଛନ୍ତି । ଛତିଶଗଡ ସୀମାନ୍ତ ଖୁଡ଼ୁକ ଓ କୁନ୍ଦେଇ ପଞ୍ଚାୟତ ବିଭିନ୍ନ ଅଞ୍ଚଳରେ ଗତ ସେପ୍ଟେମ୍ବର ୨୭ ତାରିଖରେ ହାତୀ ପଲ ପଶି ଆସି ଚାଷ ନଷ୍ଟ କରି ଆତଙ୍କ ଖେଳାଇ ଥିଲେ ।

Leave a Reply

Your email address will not be published. Required fields are marked *