ବିଦ୍ୟାଳୟରେ ବର୍ଷ ବର୍ଷ ଧରି ଖାଲି ପଡ଼ିଛି ଶିକ୍ଷକଠାରୁ ଆରମ୍ଭ କରି କର୍ମଚାରୀ ପଦବୀ

ବେଗୁନିଆ : ଖୋର୍ଦ୍ଧା ଜିଲ୍ଲା ଅନ୍ତର୍ଗତ ବେଗୁନିଆ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ଶିକ୍ଷକଠାରୁ ଆରମ୍ଭ କରି କର୍ମଚାରୀ ପଦବୀ ବର୍ଷ ବର୍ଷ ଧରି ଖାଲି ପଡ଼ିଛି । ଅଭିବାବକମାନଙ୍କ ସହିତ ଛାତ୍ରଛାତ୍ରୀମାନେ ପଦବୀଗୁଡିକ ପୂରଣ କରିବା ପାଇଁ ବିଭିନ୍ନ ସମୟରେ ବାରମ୍ବାର ଦାବି କରି ଆସୁଥିବାବେଳେ ପ୍ରଶାସନ ସେଥିପ୍ରତି କର୍ଣ୍ଣପାତ ନକରିବା ନିଶ୍ଚୟ ପରିତାପର ବିଷୟ ।ଏହି ବ୍ଲକ ଅନ୍ତର୍ଗତ ବାଘମାରୀ ରଘୁନାଥ ଦେବ ଉଚ୍ଚ ବିଦ୍ୟାଳୟକୁ ଉଦାହରଣ ଭାବେ ନିଆଯାଇପାରେ । ଉକ୍ତ ବିଦ୍ୟାଳୟରେ ଶ୍ରେଣୀ ଗୃହଠାରୁ ଆରମ୍ଭ କରି ବହୁ ଶିକ୍ଷକ ଏବଂ କର୍ମଚାରୀ ପଦବୀ ଦୀର୍ଘ ବର୍ଷ ହେବ ଖାଲି ପଡ଼ିଛି । ବିଦ୍ୟାଳୟରେ ୪୩୦ ଜଣ ଛାତ୍ରଛାତ୍ରୀ ଅଧ୍ୟୟନ କରୁଥିବା ବେଳେ ପ୍ରାଥମିକରେ ୫ ଜଣ ଏବଂ ଉଚ୍ଚ ବିଦ୍ୟାଳୟରେ ୨ ଜଣ ଶିକ୍ଷକ କାର୍ୟ୍ୟ କରୁଛନ୍ତି । ବିଦ୍ୟାଳୟରେ ବିଜ୍ଞାନ ଶିକ୍ଷକ, ପ୍ରଧାନ ଶିକ୍ଷକ, ହିନ୍ଦୀ, ସଂସ୍କୃତ, ଖେଳ ଶିକ୍ଷକ, କିରାଣୀ ସହିତ ୨ ଟି ପିଅନ ଏବଂ ରାତ୍ର ଜଗୁଆଳି ପଦବୀ ଖାଲି ପଡ଼ିଛି । ଫଳରେ ଉକ୍ତ ବିଦ୍ୟାଳୟରେ ଶିକ୍ଷାଦାନ ବିପର୍ୟ୍ୟସ୍ତ ହୋଇପଡିବାରୁ ସାମାଜିକ କର୍ମୀ ସନ୍ତୋଷ କୁମାର ପଣ୍ଡା ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ, ଗଣଶିକ୍ଷା ବିଭାଗ ଶାସନ ସଚିବ, ଜିଲ୍ଲାପାଳ, ଶିଶୁ ଅଧିକାର ସୁରକ୍ଷା କମିଶନ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଅବଗତ କରି ଆସୁଥିଲେ । ଶେଷରେ ସାମାଜିକ କର୍ମୀ ଶ୍ରୀ ପଣ୍ଡା ଭୁବନେଶ୍ୱର ସ୍ଥିତ ସ୍ଥାୟୀ ଲୋକ ଅଦାଲତଙ୍କ ନିକଟରେ ପିଏଲଏ ୫୬/୨୧ ନଂ କେଶ ରୁଜୁ କରି ଶରଣାପନ୍ନ ହୋଇଥିଲେ । ଅଭିଯୋଗକୁ ଗ୍ରହଣ କରି ସ୍ଥାୟୀ ଲୋକଅଦାଲତ ପ୍ରତିବାଦୀଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିଥିଲେ । ପଦାଧିକାରୀମାନେ ଖାଲି ପଡିଥିବା ପଦବୀଗୁଡିକ ପୂରଣ କରିବା ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ । ପରେ ଉଭୟ ପକ୍ଷଙ୍କୁ ନେଇ ଶୁଣାଣି ହୋଇଥିଲା । ସମସ୍ୟାର ଗୁରୁତ୍ୱକୁ ଉପଲବ୍ଧି କରି ସ୍ଥାୟୀ ଲୋକ ଅଦାଲତ ଖାଲି ପଡିଥିବା ଶିକ୍ଷକ ପଦବୀ ଗୁଡିକ ୩ ମାସ ମଧ୍ୟରେ ପୂରଣ କରିବା ପାଇଁ ଶିକ୍ଷା ବିଭାଗ ଅନୁଶାସନ ସଚିବ, ଜିଲ୍ଲା ଶିକ୍ଷା ଅଧିକାରୀ ଏବଂ ବ୍ଲକ ଶିକ୍ଷା ଅଧିକାରୀଙ୍କୁ ଚଳିତ ୧୧ ତାରିଖ ଦିନ ନିର୍ଦେଶ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *