ଭୁବନେଶ୍ୱର : ସାଧାରଣ ଲୋକଙ୍କୁ ସୁରକ୍ଷା ଦେବା ପାଇଁ ପୁଲିସ ପ୍ରଶାସନ ରହିଥିବା ବେଳେ ଯାଜପୁର ପୁଲିସ କିନ୍ତୁ ଆକ୍ରମଣକାରୀଙ୍କୁ ଗିରଫ କରିବା ପରିବର୍ତ୍ତେ ଛାଡି ଦେଇଥିବା ବେଳେ, ଆହତ ଯୁବକଙ୍କୁ ଅଟକ ରଖି କୋର୍ଟ ଚାଲାଣ କରିବାକୁ ଧମକ ଦେଉଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ, ଯାଜପୁର ଜିଲ୍ଲା କୋରେଇ ବ୍ଲକ କରଦା ପଞ୍ଚାୟତ ଅନ୍ତର୍ଗତ ବର୍ତ୍ତମଣା ଗ୍ରାମରେ ରବିବାର ଦିନ ବିବେକାନନ୍ଦ ସାହୁ (୨୪)ଙ୍କ ଉପରେ ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ସେହି ଗ୍ରାମର ଗୋଟିଏ ପରିବାରର ୯ ଜଣ ସଦସ୍ୟ ମରଣାନ୍ତକ ଆକ୍ରମଣ କରିଥିଲେ । ସେହି ପରିବାରର ୬ ଜଣ ମହିଳା ଓ ୩ ଜଣ ପୁରୁଷ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । କୌଣସି ପ୍ରକାରେ ସମ୍ପୃକ୍ତ ଯୁବକଙ୍କୁ ପରିବାରବର୍ଗ ଆକ୍ରମଣକାରୀଙ୍କ କବଳରୁ ଉଦ୍ଧାର କରି ପାଣିକୋଇଲି ଡାକ୍ତରଖାନାକୁ ଆଣିଥିଲେ । ଯୁବକଙ୍କ ମୁଣ୍ଡରେ ଗଭୀର କ୍ଷତ ହେବା ସହ ପ୍ରବଳ ରକ୍ତସ୍ରାବ ହୋଇଥିବା ଓ ଦେହର ବିଭିନ୍ନ ଅଂଶ ଫୁଲି ଯାଇଥିବା ଜଣାପଡିଛି । ତେବେ ପ୍ରାଥମିକ ଚିକିତ୍ସା ପରେ ପରିବାରବର୍ଗ ପାଣିକୋଇଲି ଥାନାରେ ଏତଲା ଦେବା ପରେ ପୁଲିସ ଆହତ ଯୁବକଙ୍କୁ ଥାନାକୁ ଆଣି ଅଟକ ରଖିଥିବା ବେଳେ ଆକ୍ରମଣ କରିଥିବା କୌଣସି ବ୍ୟକ୍ତିଙ୍କୁ ହେପାଜତକୁ ନ ନେବା ସନ୍ଦେହ ସୃଷ୍ଟି କରିଛି । ଏହି ଆକ୍ରମଣ ଘଟଣାର ଭିଡିଓରେ ସମସ୍ତ ବିଷୟ ସ୍ପଷ୍ଟ ଥିଲେ ମଧ୍ୟ ପୁଲିସ ସେହି ଭିଡିଓକୁ ନଷ୍ଟ କରିଦେବାକୁ ଚାପ ପକାଉଥିବା ଆହତ ଯୁବକଙ୍କ ପରିବାରବର୍ଗ କହିଛନ୍ତି । ଅନ୍ୟପକ୍ଷରେ ଆଉ ଏକ ସୂଚନା ମୁତାବକ, ଆକ୍ରମଣକାରୀ ପରିବାରର ୨ ଜଣ ମହିଳା ପୁଲିସ ବିଭାଗରେ ଚାକିରୀ କରୁଥିବା ଓ ସେମାନଙ୍କ ମଧ୍ୟରୁ ଜଣେ ସମ୍ପୃକ୍ତ ପାଣିକୋଇଲି ଥାନାରେ ହୋମଗାର୍ଡ ଥିବା ଜଣାପଡିଛି । ତେଣୁ ସେମାନଙ୍କୁ ପୁଲିସ ସୁରକ୍ଷା ଯୋଗାଇ ଦେଇଥିବା ଅଭିଯୋଗ ହୋଇଛି । ଆହତ ଯୁବକଙ୍କ ପରିବାର ପକ୍ଷରୁ ଦିଆଯାଇଥିବା ଏତଲା ନ ରଖିବା, ଆକ୍ରମଣରେ ଆହତ ବ୍ୟକ୍ତିଙ୍କୁ ଡାକ୍ତରଖାନା ପରିବର୍ତ୍ତେ ଥାନାରେ ଅଟକ ରଖିବା ସହ ପୁଲିସ କୋର୍ଟ ଚାଲାଣ କରିବା ଭଳି ଧମକ ଦେଉଥିବା ପରିବାରବର୍ଗ ଅଭିଯୋଗ କରିଛନ୍ତି ।
