ନିଆଳି : ଯୌତୁକ ପାଇଁ ବୋହୂକୁ ହତ୍ୟା କଲେ ଶାଶୁଘର ଲୋକେ ! ହତ୍ୟା ଅଭିଯୋଗ ଆଣିଲେ ଝିଅ ଘର ଲୋକେ । ଶାଶୁ ଘର ଲୋକଙ୍କ ରାତା ରାତି ମୃତଦେହ ପୋଡ଼ିବା ଉଦ୍ୟମ ପଣ୍ଡ । ସ୍ଵାମୀ ଓ ଦେଢ଼ଶୁର ଥାନାରେ ଅଟକ । ଏଭଳି ଅଭାବନୀୟ ଘଟଣା ଘଟିଛି କଟକ ଜିଲ୍ଲା ନିଆଳି ଥାନା ପୋଖରୀ ଗାଁ ରାଣିପଡ଼ା ଗାଁରେ । ମୃତ ମହିଳା ହେଲେ ମନୋଜ ଦାସଙ୍କ ପତ୍ନୀ ରୁପାଲି । ରୁପାଲିଙ୍କ ପରିବାର ଲୋକଙ୍କ କହିବାନୁସାରେ, ରୁପାଲିଙ୍କ ଘର ଜଗତସିଂହପୁର ନାଉଗାଁ ଅବଦଲପୁରରେ । ମନୋଜ ଦାସଙ୍କୁ ସେ ଜୁନ ୨୦୧୮ ମସିହାରେ ବୈଦିକ ରୀତିନୀତିରେ ବିବାହ କରିଥିଲେ । ରୁପାଲିଙ୍କୁ ଶାଶୂଘର ଲୋକେ ଅଧିକ ଯୌତୁକ ମାଗିବା ସହ ବାରମ୍ବାର ଶାରୀରିକ ଓ ମାନସିକ ନିର୍ଯାତନା ଦେଇ ଆସୁଥିଲେ । ଯୌତୁକ ଟଙ୍କା ପାଇଁ ମଧ୍ୟ ବିଭିନ୍ନ ସମୟରେ ତାଙ୍କୁ ହତ୍ୟା ଧମକ ଦେଉଥିଲେ । ତେବେ ରବିବାର ରାତିରେ ରୁପାଲିଙ୍କ ମୃତ୍ୟୁ ହୋଇଥିଲା । ସେ ଆତ୍ମହତ୍ୟା କରିଥିବା କହି ଶାଶୂଘର ଲୋକେ ତାଙ୍କୁ ପୋଡ଼ିବା ପାଇଁ ନେଉଥିଲେ । ତେବେ ରୁପାଲିଙ୍କ ବାପଘର ଲୋକେ କୌଣସି ସୂତ୍ରରୁ ଏନେଇ ଖବର ପାଇଥିଲେ । ଖବର ଶୁଣି ରୁପାଲିଙ୍କ ବାପା ପଂକୁନା ଦାସ ଝିଅକୁ ହତ୍ୟା କରାଯାଇଥିବା ନେଇ ନିଆଳୀ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି । ଅଭିଯୋଗ ପାଇ ପୋଲିସ ମୃତଦେହ ଜବତ କରିବା ସହ ସ୍ଵାମୀ ମନୋଜ ଦାସ ଓ ତାଙ୍କ ବଡ଼ ଭାଇଙ୍କୁ ଥାନାରେ ଅଟକ ରଖିଛି । ଏହାସହ ଘଟଣାର ତଦନ୍ତ ଆରମ୍ଭ କରିଛି ।
