ବୁଡ଼ିଯିବାକୁ ବସିଲାଣି ଆସିକା ସମବାୟ ଚିନିଶିଳ୍ପ

ଆସିକା : ଦିନେ ଶିଳ୍ପକ୍ଷେତ୍ରରେ ରାଜ୍ୟରେ ବୈପ୍ଲବିକ ପରିବର୍ତ୍ତନ ଆଣିଥିବା ଗଞ୍ଜାମ ଜିଲ୍ଲାର ଆସିକା ସମବାୟ ଚିନିଶିଳ୍ପ ବୁଡ଼ିଯିବାକୁ ବସିଛି । ୨୦୧୩ ଫାଇଲିନ୍ ବାତ୍ୟା ପ୍ରଭାବରେ ଆଖୁ ଚାଷ ହ୍ରାସ ପାଇବା ସହ ଏହି ଶିଳ୍ପର ଏକ ପ୍ରକାର ଅଣ୍ଟା ଭାଙ୍ଗିଯାଇଛି । ସରକାରୀ ଆନ୍ତରିକତା ଅଭାବରୁ ଚାଷୀଙ୍କୁ ପ୍ରୋତ୍ସାହନ ମିଳୁନି କି, ଉନ୍ନତମାନର ଜ୍ଞାନକୌଶଳ ବ୍ୟବହାର କରାଯାଉନି । ଫଳରେ ନୂଆ ଚାଷୀ ଆଖୁ ଚାଷ ପ୍ରତି ମନ ବଳାଉ ନାହାନ୍ତି । ଅଦିନିଆ ବାତ୍ୟା, ଅକସ୍ମାତ୍ ଅଗ୍ନିକାଣ୍ଡ ଓ ବନ୍ୟପ୍ରାଣୀଙ୍କ ଉପଦ୍ରବ ଆଖୁ ଚାଷର ଅନ୍ୟ ଏକ ବଇରି ହୋଇ ଠିଆହୋଇଛି । ଆଉ ଯେଉଁ କେତେକ ହାତଗଣତି ଚାଷୀ ଆଖୁ ଚାଷ କରୁଛନ୍ତି, ସେମାନେ ବ୍ୟାପକ ଅବ୍ୟବସ୍ଥା କାରଣରୁ ଉପଯୁକ୍ତ ମୂଲ୍ୟ ପାଇପାରୁନାହାନ୍ତି । ତେଣୁ ସେମାନେ ମଧ୍ୟ ଆଗାମୀ ଦିନରେ ଆଖୁ ଚାଷ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜିଲ୍ଲା ଗଞ୍ଜାମ ଅଧୀନରେ ଆସେ ଆସିକା । ବ୍ରିଟିସ୍ ଅମଳରୁ ଏହି ଚିନିଶିଳ୍ପ ଆସିକାର ପ୍ରତିଷ୍ଠା ହୋଇଛି । କେବଳ ଓଡ଼ିଶା ନୁହେଁ, ସମଗ୍ର ଏସିଆ ମହାଦେଶର ଏହା ପ୍ରଥମ ଓ ଏକମାତ୍ର ଚିନିଶିଳ୍ପ । ତେବେ ବିଭିନ୍ନ କାରଣ ପାଇଁ ଏହା ଦେବାଳିଆ ହେବାକୁ ବସିଛି । ଏହି ଶିଳ୍ପ ଉପରେ ଜିଲ୍ଲାର ଆସିକା, ଶେରଗଡ଼, ଧରାକୋଟ, ହିଞ୍ଜିଳି, କବିସୂର୍ଯ୍ୟନଗର, କୋଦଳା, ବେଲଗୁଣ୍ଠା, ଚିକିଟି ଓ ସାନଖେମୁଣ୍ଡି ସମେତ ଗଞ୍ଜାମ ଜିଲ୍ଲାର ୧୬ ଟି ବ୍ଲକର ହଜାର ହଜାର ଆଖୁଚାଷୀ ନିର୍ଭର କରନ୍ତି । ଏହା ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ ଲକ୍ଷାଧିକ ପରିବାରକୁ ରୋଜଗାର ଯୋଗାଉଥିଲା । ଚାଷୀ ଓ ବ୍ୟବସାୟୀଙ୍କ ମିଳିତ ଉଦ୍ୟମରେ ଏହା ସଫଳତାର ସହ ଚାଲିଥିଲା ।

କିନ୍ତୁ ୨୦୧୩ ଫାଇଲିନ୍ ଓ ପରେ ପରେ ହୁଡ଼୍‌ହୁଡ଼୍‌ ବାତ୍ୟା ହଜାର ହଜାର ଆଖୁ ଚାଷୀଙ୍କ ଅଣ୍ଟା ଭାଙ୍ଗିଦେଇଥିଲା । ବାତ୍ୟା ପ୍ରଭାବରେ ହଜାର ହଜାର ଏକର ଆଖୁ ଚାଷ ନଷ୍ଟ ହୋଇଗଲା । ହେଲେ ଚାଷୀଙ୍କ ପାଇଁ ସରକାର କିମ୍ବା ଚିନିଶିଳ୍ପ କର୍ତ୍ତୃପକ୍ଷଙ୍କ ପକ୍ଷରୁ କୌଣସି ସହାୟତା ମିଳିଲାନି । ଆଉ ସେହିଦିନ ଠାରୁ ଚାଷୀମାନେ ଆଖୁ ଚାଷ ଠାରୁ ମୁହଁ ଫେରାଇବା ଆରମ୍ଭ କଲେ । ଏହାର ଫଳସ୍ବରୂପ ଗତ ୮ ବର୍ଷ ମଧ୍ୟରେ ଆଖୁଚାଷ ୫୦ ପ୍ରତିଶତ କମିଯାଇଛି । ଏବେ ମାତ୍ର ୪୦ ହଜାର ମେଟ୍ରିକ୍ ଟନ୍ ଆଖୁ ଚାଷ କରାଯାଉଛି । ଗତବର୍ଷ ୩୦ ଦିନରେ ଆଖୁ ପେଡ଼ା ଶେଷ ହୋଇଥିବାବେଳେ ଚଳିତ ବର୍ଷ ବର୍ତ୍ତମାନ ସୁଦ୍ଧା ଆଖୁ ପେଡ଼ା ଆରମ୍ଭ ହୋଇନାହିଁ । ବର୍ଷକରେ ମାତ୍ର ଏକ ମାସ ଏହି ଶିଳ୍ପ ଚାଲୁଥିବାରୁ ଆଗକୁ ଆଉ କେତେ ବର୍ଷ ଏହା ଚାଲିବ, ତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସରକାର କିମ୍ବା ଚିନିଶିଳ୍ପ କର୍ତ୍ତୃପକ୍ଷ ମଧ୍ୟ ଏଥିପ୍ରତି ଆନ୍ତରିକତା ଦେଖାଉନାହାନ୍ତି । ତେଣୁ ଏହି ଶିଳ୍ପର ଆୟୁଷ ସରିଆସୁଥିବା ବୁଦ୍ଧିଜୀବୀମାନେ କହିଛନ୍ତି ।

Leave a Reply

Your email address will not be published. Required fields are marked *