ବାସୁଦେବପୁର ଡାକ୍ତରଖାନାରେ ଖାଦ୍ୟପେୟ ବ୍ୟବସ୍ଥାରେ ମନମୁଖୀ କାର୍ଯ୍ୟକୁ ନେଇ ଅଭିଯୋଗ

ବାସୁଦେବପୁର : ସରକାର ରୋଗୀମାନଙ୍କ ଅସୁବିଧାକୁ ନଜରରେ ରଖି ସବୁ ସରକାରୀ ଡାକ୍ତରଖାନାରେ ଖାଦ୍ୟପେୟର ବ୍ୟବସ୍ଥା କରିଛନ୍ତି । ହଲେ ଏହି ଖାଦ୍ୟକୁ ପରିବେଷଣ ଦାୟିତ୍ବ ନେଇଥିବା ଠିକାଦାର ମନଇଚ୍ଛା କାମ କରୁଥିବା ଦେଖିବାକୁ ମିଳିଛି । ତେବେ କର୍ତ୍ତୃପକ୍ଷ ସମସ୍ତ ଅଭିଯୋଗକୁ ଖଣ୍ଡନ କରିଛନ୍ତି । ଏପରି ଘଟଣା ସାମ୍ନାକୁ ଆସିଛି ବାସୁଦେବପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ । ଏହି ଡାକ୍ତରଖାନା ଉପରେ ଆଖପାଖ ବ୍ଲକର ଲୋକେ ନିର୍ଭର କରିଥାନ୍ତି । ଡାକ୍ତରଖାନାରେ ରୋଗୀଙ୍କ ପ୍ରତି ଅନ୍ୟାୟ ଅବିଚାର ହେଉଥିବା ଦେଖିବାକୁ ମିଳିଛି । ପ୍ରତିଦିନ ଉକ୍ତ ଡାକ୍ତରଖାନାକୁ ଚାନ୍ଦବାଲି ବ୍ଲକର ଧାମରାଠାରୁ ଆରମ୍ଭ କରି ବାଲେଶ୍ବର ଜିଲ୍ଲାର ଅନେକ ଲୋକେ ଚିକିତ୍ସା ପାଇଁ ଆସିଥାନ୍ତି । ଡାକ୍ତରଖାନାରେ ଯେଉଁ ରୋଗୀମାନେ ଭର୍ତ୍ତି ହୋଇଥାନ୍ତି ସେମାନଙ୍କୁ ସରକାର ପକ୍ଷରୁ  ସକାଳ ଜଳଖିଆ ଠାରୁ ଆରମ୍ଭ କରି ରାତ୍ର ଖାଦ୍ୟ ପର୍ଯ୍ୟନ୍ତ ସମସ୍ତ ଖାଦ୍ୟ ମାଗଣାରେ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯାଇଛି । ହେଲେ ଏହି ଖାଦ୍ୟ ବଣ୍ଟନ ଦାୟିତ୍ୱ ନେଇଥିବା ଠିକାଦାରଙ୍କ ମନମୁଖୀ ଶାସନରେ ରୋଗୀମାନେ ଅଣନିଶ୍ବାସ ହୋଇ ଗଲେଣି । ବାସୁଦେବପୁର ସ୍ବାସ୍ଥ୍ୟକେନ୍ଦ୍ରରେ ଦିଆଯାଉଥିବା ଖାଦ୍ୟରେ କେତେବେଳେ ମଲା ବିଛା ବାହାରୁଛି ତ ଆଉ କେତେବଳେ ଖାଦ୍ୟ ଅତି ନିମ୍ନମାନର ବୋଲି ରୋଗୀ ଅଭିଯୋଗ କରି ଆସୁଛନ୍ତି । ଏପରି ଅଭିଯୋଗ ପାଇ ମଧ୍ୟ କର୍ତ୍ତୃପକ୍ଷଙ୍କ ସମେତ ଜିଲ୍ଲା ଚିକିତ୍ସାଧିକାରୀ କିଛି ପଦକ୍ଷେପ ନେଉନାହାଁନ୍ତି । ସେଥିପାଇଁ ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏବେ ପୁଣି ଆଉ ଏକ ଅଭିଯୋଗ ଖାଦ୍ୟ ବଣ୍ଟନ କରୁଥିବା ଠିକାଦାରଙ୍କ ନାମରେ ଆସିଛି ।

ସରକାରଙ୍କ ରୁଟିନ୍ ଅନୁଯାଇ ରବିବାର ସକାଳୁ ଉପମା ଓ ତରକାରୀ, ମଧ୍ୟାହ୍ନରେ ଭାତ, ଚିକେନ୍, ଘାଣ୍ଟ, ଆଚାରର ବ୍ୟବସ୍ଥା କରାଯାଇଛି । ହେଲେ ଉକ୍ତ ଠିକାଦାର ରୋଗୀମାନଙ୍କୁ ସକାଳୁ ସକାଳୁ  କ୍ଷୀର ସହିତ ୫ ଟଙ୍କାର ବିସ୍କୁଟ୍ ଦେଉଛନ୍ତି । ଏହା ସହିତ ମଧ୍ୟାହ୍ନ ଭୋଜନ ଖାଦ୍ୟଟି ସକାଳ ୧୦ ଟା ମଧ୍ୟରେ ପ୍ରଦାନ କରି ଚୁପ୍ ହୋଇ ବସିଯାଉଛନ୍ତି । ଏହିପରି ପ୍ରତିଦିନ ଖାଦ୍ୟ ପରିବେଷଣ କରୁଥିବା ଠିକାଦାର ରୋଗୀମାନଙ୍କୁ ସକାଳୁ ସକାଳୁ ମଧ୍ୟାହ୍ନ ଭୋଜନ ଖାଦ୍ୟ ବଣ୍ଟନ କରିଦେଉଥିବା ରୋଗୀମାନେ ଅଭିଯୋଗ କରିଛନ୍ତି । ଯଦି ରୋଗୀଙ୍କୁ ମଧ୍ୟାହ୍ନ ଭୋଜନ ଖାଦ୍ୟଟି ସକାଳ ୧୦ ଟା ସୁଧା ଦିଆଯାଉଛି, ତେବେ ରୋଗୀମାନେ ମଧ୍ୟାହ୍ନ ଭୋଜନରେ କ’ଣ ଖାଇବେ ବୋଲି ସାଧାରଣରେ ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ଅନ୍ୟପଟେ କର୍ତ୍ତୃପକ୍ଷ ଓ ଖାଦ୍ୟ ପରିବେଷଣ ଦାୟିତ୍ବରେ ଥିବା ଠିକାଦାର ଗୋଟିଏ କଥା କହୁଥିବା ସହ ସବୁ ଠିକ୍ ଚାଲିଥିବା କହିଛନ୍ତି । ଏପରିକି ଏହି ଅଭିଯୋଗକୁ ଖଣ୍ଡନ କରିଛନ୍ତି ।  ତେବେ ଏ ପ୍ରସଙ୍ଗରେ ବିଭିନ୍ନ ରାଜନୈତିକ ଦଳ ରାସ୍ତାକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି ।

Leave a Reply

Your email address will not be published. Required fields are marked *