ଗ୍ରାମରେ ପଶି ଘର ଭାଙ୍ଗିଲା ଦନ୍ତା

ପାଟଣା : ପାଟଣା ବନାଞ୍ଚଳରେ ୨୬ ଘରିଆ ହାତୀ ଉପଦ୍ରବ ପରେ ପରେ ଏହି ହାତୀ ପଲ ଏବେ ବେଲଦା ଜଙ୍ଗଲରେ ଡେରା ପକାଇ ଥିବାବେଳେ ରବିବାର ରାତିରେ କରଞ୍ଜିଆ ଅଞ୍ଚଳରୁ ଗୋଟିଏ ଗୋଠଛଡ଼ା ଦନ୍ତା ପାଟଣା ବନାଞ୍ଚଳରେ ପଶି ଉପଦ୍ରବ ଆରମ୍ଭ କରିଛି । ଦନ୍ତା ରାତିରେ କୋଡଖମଣ ଗ୍ରାମରେ ୭ ଟି ଘର ଭାଙ୍ଗିବା ସହ ଗୋଟିଏ ଘରର ଆଂଶିକ କ୍ଷତି କରିଛି । ଏହି ଦନ୍ତା ହାତୀଟି ରବିବାର ମହ୍ଲାରପଦା ଗ୍ରାମର ମହୁର ସେଠୀ, ଦୋଳ ଗୋବିନ୍ଦ ଦେହୁରୀ, ଯୁଗଳ କିଶୋର ଦେହୁରୀ ଓ ପରମାନନ୍ଦ ସିଂହଙ୍କ ଘର ଭାଙ୍ଗିଥିବା ବେଳେ ଧାରୁଆପଡ଼ା ଗ୍ରାମର କଳାକାର ନାଏକ, ନବୀନ ଚନ୍ଦ୍ର ମହାନ୍ତ ଓ ଘନଶ୍ୟାମ ମହାନ୍ତଙ୍କ ଘର ଭାଙ୍ଗିଛି । ସେହିପରି ଦନ୍ତା ହାତୀଟି ଉଦୟପୁର ଓ ରାଜନଗର କ୍ଷେତ୍ରାଞ୍ଚଳରେ କ୍ଷତି ଘଟାଇବା ପରେ କୋଡଖମଣ ଜଙ୍ଗଲରେ ରହିଥିବାରୁ ଆଖ ପାଖ ଗ୍ରାମରେ ତାଟି କବାଟ ପଡ଼ିଯାଇଛି । ପାଟଣା ବନାଞ୍ଚଳ ଅଧିକାରୀ ଟିକେଶ୍ୱର ମହାନ୍ତଙ୍କ ସହ ବନବିଭାଗ ପକ୍ଷରୁ ଏହି ହାତୀଟି ଉପରେ ନଜର ରଖାଯାଇଛି ।

Leave a Reply

Your email address will not be published. Required fields are marked *