ଯାଜପୁର : ଯାଜପୁର ଜିଲ୍ଲାରେ ମଣ୍ଡି ଖୋଲିବା ନେଇ ଅନିଶ୍ଚିତତା ଲାଗି ରହିଥିବାରୁ ଚାଷୀ ଚିନ୍ତାରେ ପଡ଼ିଥିବା ବେଳେ ଦଲାଲଙ୍କ ଖୁସି କହିଲେ ନସରେ। ଜୱାଦ ବାତ୍ୟା ପ୍ରଭାବରେ ଯାଜପୁର ଜିଲ୍ଲାରେ ପ୍ରାୟ ୩୦ ହଜାର ହେକ୍ଟର ଧାନ ଫସଲ ପାଣିରେ ବୁଡ଼ିଗଲା । ଅନେକ ଚାଷୀ ତରତର ହୋଇ ଧାନ ଫସଲ ଅମଳ ମଧ୍ୟ କଲେ । ଏବେ ପାଣି କମିବା ପରେ ଧାନ କାଟିବାରେ ଚାଷୀମାନେ ଲାଗିପଡିଛନ୍ତି । ଏବେ ସୁଦ୍ଧା ଧାନମଣ୍ଡି ଖୋଲି ନାହିଁ । ଡିସେମ୍ବର ପ୍ରଥମ ସପ୍ତାହ ପରେ ଦ୍ବିତୀୟ ସପ୍ତାହରେ ମଣ୍ଡି ଖୋଲିବ କୁହାଗଲା । ବର୍ତ୍ତମାନ ଆସନ୍ତା ୨୪ ରୁ ଖୋଲିବ ବୋଲି କୁହାଯାଉଛି । ହେଲେ କିଏ ଧାନ କିଣିବ ଏଯାଏ ନିଷ୍ପତ୍ତି ହୋଇପାରିନି । କାରଣ ମାସାଧିକ ସମୟ ହେଲା ପାକ୍ସ କର୍ମଚାରୀ ଆନ୍ଦୋଳନ ଚଳାଇଛନ୍ତି । ଏବେ ସ୍ବୟଂ ସହାୟକ ଗୋଷ୍ଠୀ ଦ୍ବାରା ଧାନ କିଣିବା ପାଇଁ ଯୋଗାଣ ବିଭାଗ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେଇଛି । ମାତ୍ର ଆଜି ପର୍ଯ୍ୟନ୍ତ ଚୂଡାନ୍ତ ହୋଇପାରିନାହିଁ । ଧାନକିଣା ନେଇ ଅନିଶ୍ଚିତତା ଲାଗି ରହିଥିବାରୁ କୁଇଣ୍ଟାଲ ପିଛା ୭ ଶହରୁ ୮ ଶହ ଟଙ୍କା କମ୍ରେ ଦଲାଲଙ୍କୁ ଧାନ ବିକ୍ରିବାକୁ ବାଧ୍ୟ ହେଉଛନ୍ତି । ପ୍ରତିବର୍ଷ ଯାଜପୁର ଜିଲ୍ଲାରେ ୧୨୨ ଟି ପାକ୍ସ ଓ ୭/୮ ଟି ଏସ୍ଏଚ୍ଜି ମାଧ୍ୟମରେ ଧାନ କିଣା ଯାଉଥିଲା । ଚଳିତ ବର୍ଷ ଜିଲ୍ଲାରେ ୧୨୨ ଟି ପାକ୍ସ ଓ ୨୬ ଟି ଏସଏଚ୍ଜି ଏଭଳି ମୋଟ ୧୪୮ ଟି ଧାନମଣ୍ଡି ଖୋଲିବା ପାଇଁ ପ୍ରସ୍ତାବ ଥିଲା । ଧାନ ବିକିବା ପାଇଁ ୪୩ ହଜାର ୮୧୧ ଜଣ ଚାଷୀ ପଞ୍ଜୀକରଣ କରିଛନ୍ତି । ସରକାର ୧୧ ଲକ୍ଷ ୩୯ ହଜାର ୭୦୫ କୁଇଣ୍ଟାଲ ଧାନ କିଣିବା ପାଇଁ ଲକ୍ଷ୍ୟ ଧାର୍ଯ୍ୟ କରିଛନ୍ତି । ମାତ୍ର ପାକ୍ସର କର୍ମଚାରୀମାନଙ୍କ ଆନ୍ଦୋଳନ ପାଇଁ ଗୁରୁତର ବିଭ୍ରାଟ ଦେଖାଦେଇଛି । ଏଥିପାଇଁ ୧୨୨ ଟି ପାକ୍ସ ବଦଳରେ ୧୨୨ ଟି ଏସଏଚ୍ଜି ଦ୍ବାରା ଧାନ କିଣିବା ପାଇଁ ଯୋଗାଣ ବିଭାଗ ଜିଲ୍ଲାପାଳଙ୍କ ଅନୁମୋଦନ ପାଇଁ ଚିଠି ଲେଖିଛି । ଚଳିତ ବର୍ଷ ଖରିଫ ଫସଲ ପ୍ରଥମେ ମରୁଡ଼ି, ପରେ ବନ୍ୟା ଓ ଶେଷରେ ଜୱାଦ ବାତ୍ୟା ଜନିତ ବର୍ଷା ଯୋଗୁଁ କ୍ଷତି ଘଟିଛି । ସେହି ଦୃଷ୍ଟିରୁ ଅନେକ ଧାନମଣ୍ଡିରେ ଧାନ କ୍ରୟ ସେପରି ହେବନାହିଁ । ସରକାର ଧାନ କୁଇଣ୍ଟାଲ ମୂଲ୍ୟ ୧୯୪୦ ଟଙ୍କା ଧାର୍ଯ୍ୟ କରିଥିବା ବେଳେ ମିଲରଙ୍କ ଦଲାଲମାନେ ୧୨ ଶହରୁ ୧୩ ଶହ ଟଙ୍କାରେ ଚାଷୀଙ୍କ ଠାରୁ ଧାନ କିଣି ନେଉଛନ୍ତି । ଚାଷୀ ଅଭାବୀ ବିକ୍ରିର ଶିକାର ହେଉଥିବା ବେଳେ ମଣ୍ଡି ଖୋଲିବା ବିଳମ୍ବ ହେଲେ ଚାଷୀଙ୍କ ସ୍ଥାନରେ ଦଲାଲ ଧାନ ବିକିବେ ।
