ମନରେଗାରେ ବ୍ୟାପକ ଦୁର୍ନୀତିର ତଦନ୍ତ କରିବ ଜିଆରଇଏସ-ଇଣ୍ଡିଆ

ବିଂଝାରପୁର : ଯାଜପୁର ଜିଲ୍ଲା ବିଂଝାରପୁର ବ୍ଲକ୍‌ରେ ମନରେଗାରେ ବ୍ୟାପକ ଦୁର୍ନୀତି ହୋଇଥିବା ନେଇ ଅଭିଯୋଗ ହୋଇଥିଲା । ପ୍ରଶାସନ କେବଳ ଗୋଟିଏ ପଞ୍ଚାୟତରେ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ନେଇ ଚୁପ୍‌ ବସିଥିଲା । ମାତ୍ର, କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ ଓ ପାନୀୟ ଜଳ ବିଭାଗ ଦୁର୍ନୀତିର ତଦନ୍ତ ପାଇଁ ପଦକ୍ଷେପ ନେଇଛି । ଆନ୍ଧ୍ରପ୍ରଦେଶର ଜିଆରଇଏସ୍‌ (ଗାୟତ୍ରୀ ରୁରାଲ ଏଜୁକେସନାଲ ସୋସାଇଟି) ନାମକ ସଂସ୍ଥାକୁ ମାସେ ମଧ୍ୟରେ ତଦନ୍ତ କରି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦେଇଛି । ଖବର ପ୍ରଚାର ପରେ ମିଥ୍ୟା ବିଲ୍‌ କରି ମନରେଗା ଟଙ୍କା ଲୁଟିଥିବା ଅସାଧୁ କର୍ମଚାରୀ ଓ ଠିକାଦାରଙ୍କ ମଧ୍ୟରେ ଛନକା ପଶିଛି । ବିଂଝାରପୁର ବ୍ଲକରେ ମନରେଗା ନାଁରେ ମିଥ୍ୟାବିଲ୍‌ କରି ଅର୍ଥ ହରିଲୁଟ୍‌ କରି କିଛି ସ୍ଥାନୀୟନେତା ଓ ସରକାରୀ ଅଧିକାରୀ ମାଲାମାଲ ହେଉଥିଲେ । ଏହାର ବିରୋଧ କରି ବ୍ଲକ୍‌ର ୪ ପଞ୍ଚାୟତର ଲୋକେ ଅନଶନ କରି ଏହାର ପ୍ରତିବାଦ କରିଥିଲେ । ହେଲେ କାର୍ଯ୍ୟାନୁ୍ଷ୍ଠାନ ପାଇଁ ଜିଲ୍ଲା ପ୍ରଶାସନ ପଛଘୁଞ୍ଚା ଦେଇଥିଲା । ପରେ ବିଜେପି ଜିଲ୍ଲା ମହିଳା ମୋର୍ଚ୍ଚା ସଭାନେତ୍ରୀ ବବିତା ମଲିକ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଜରିଆରେ କେନ୍ଦ୍ର ଗ୍ରାମ୍ୟ ଉନ୍ନୟନ  ବିଭାଗ ନିକଟରେ ଅଭିଯୋଗ କରିବା ସହିତ ଘଟଣାର ତଦନ୍ତ କରିବାକୁ ଅନୁରୋଧ କରିଥିଲେ । ଏହି ଘଟଣାକୁ ଗୁରୁତ୍ବ ଦେଇ ପୂର୍ବରୁ ଚିଠି ନଂ ୧୧୦୧୨ ରେ କେନ୍ଦ୍ରମନ୍ତ୍ରୀ ଗିରିରାଜ ସିଂହଙ୍କ କାର୍ଯ୍ୟାଳୟ ପକ୍ଷରୁ ଯାଜପୁର ଜିଲ୍ଲାପାଳ ଓ ଅଭିଯୋଗକାରୀଙ୍କୁ ଅବଗତ କରାଯାଇଥିବା ବେଳେ ଚିଠି ନଂ ୧୧୦୧୮/୬/୧୨/୨୧ ରେ ଶ୍ରୀକାକୁଲମର ଗାୟତ୍ରୀ ରୁଲାଲ୍ ଏଜୁକେସନାଲ ସୋସାଇଟି(ଜିଆରଇଏସ-ଇଣ୍ଡିଆ)କୁ ତଦନ୍ତ ଦାୟିତ୍ବ ହସ୍ତାନ୍ତର କରାଯାଇଛି । ୨ଜଣିଆ ଟିମ୍‌ ରାଜ୍ୟ ସରକାରଙ୍କ  ବିଭାଗୀୟ କର୍ମଚାରୀଙ୍କ ସହଯୋଗରେ ତଦନ୍ତ କରିବେ । ଏକମାସ ମଧ୍ୟରେ  ତଦନ୍ତ ରିପୋର୍ଟ କେନ୍ଦ୍ର ସରକାରଙ୍କ ନିକଟରେ ଦାଖଲ କରିବେ ।

Leave a Reply

Your email address will not be published. Required fields are marked *