ଆଇଟିଡିଏରେ ଟେଣ୍ଡର ନିଅମ ଉଲଂଘନ

ସୁନ୍ଦରଗଡ଼ : ପ୍ରକଳ୍ପର ନାମ ଦର୍ଲିପାଲି ମିଲନପଡ଼ା ଖୋଲା ମଞ୍ଚ । ଯାହାର ଅଟକଳ ମୂଲ୍ୟ ୯ ଲକ୍ଷ ୫୦ ହଜାର। କାର୍ଯ୍ୟ ନିର୍ବାହୀ ସଂସ୍ଥା ସୁନ୍ଦରଗଡ଼ ଆଇଟିଡିଏ । ଅନୁଦାନ ମହାନଦୀ କୋଲ୍‌ଫିଲ୍ଡ ଲିମିଟେଡ୍ । କାର୍ଯ୍ୟସ୍ଥଳରେ ଲାଗିଥିବା ପ୍ରକଳ୍ପ ସୂଚନା ଫଳକରୁ ଏହା ଜଣାପଡ଼ିଛି । କିନ୍ତୁ ଆଶ୍ଚର୍ଯ୍ୟର କଥା, ନିୟମ ଅନୁଯାୟୀ ଏଯାଏ ପ୍ରକଳ୍ପ ପାଇଁ ନା ଟେଣ୍ଡର ହୋଇଛି ନା ଫାଇଲ୍ ଖୋଲିଛି । ଅର୍ଥାତ୍‌ ବିଭାଗୀୟ ସମ୍ପାଦନ ନାମରେ ଗୋପନରେ ଜଣକୁ ଠିକା ଦିଆଯାଇଛି । ଆଉ ନିର୍ଦ୍ଦେଶ ପରେ ଠିକାଦାର କାମ ଆରମ୍ଭ କରିବାକୁ ପ୍ରକଳ୍ପ ସୂଚନା ଫଳକ ଲଗାଇ ଦେଇଥିବା ଜଣାପଡ଼ିଛି । ନିର୍ମାଣ କାର୍ଯ୍ୟ ନିୟମ ଅନୁସାରେ, ୫ ଲକ୍ଷରୁ ଊର୍ଦ୍ଧ୍ବ ମୂଲ୍ୟର ପ୍ରକଳ୍ପ ପାଇଁ ଟେଣ୍ଡର ଡକାଯିବା କଥା । କିନ୍ତୁ ଏଠାରେ ନିୟମ ଉଲ୍ଲଂଘନ ପୂର୍ବକ ବିଭାଗୀୟ ସମ୍ପାଦନ ନାମରେ ଲୋକ ପ୍ରତିନିଧି ଓ ରାଜନେତାଙ୍କ ସମର୍ଥକ ଓ କର୍ମୀମାନଙ୍କୁ ଠିକା ବାଣ୍ଟିବାକୁ ମସୁଧା କରାଯାଉଥିବା ଓ ଏହା ତାର ଏକ ନମୁନା ବୋଲି ଚର୍ଚ୍ଚା ହୋଇଛି । ନିକଟରେ ଏନ୍‌ଟିପିସି ଦର୍ଲିପାଲି ଓ ମହାନଦୀ କୋଲ ଫିଲ୍ଡ ଲିମିଟେଡ୍ ବସୁନ୍ଧରାର ପାରିପାର୍ଶ୍ବିକ ଓ ସାମାଜିକ ଦାୟିତ୍ବବୋଧ ପାଣ୍ଠିରୁ ସୁନ୍ଦରଗଡ଼ ବିଧାନସଭା କ୍ଷେତ୍ରର ବିଭିନ୍ନ ପ୍ରକଳ୍ପ ପାଇଁ ୨୩ କୋଟିରୁ ଅଧିକ ଟଙ୍କାର ଅନୁଦାନ ଯୋଗାଇ ଦେଇଛନ୍ତି । ଏଥିରେ ପକ୍କା ରାସ୍ତା, ଗାର୍ଡ ୱାଲ୍, ଗୋଷ୍ଠୀ କେନ୍ଦ୍ର, ଖେଳପଡ଼ିଆ, ପୋଖରୀ ପୁନରୁଦ୍ଧାର, ଡ୍ରେନ, ଗାଧୁଆ ଘାଟ, ସ୍କୁଲ ପାଚେରି ଆଦି ପ୍ରକଳ୍ପ ତିଆରି ହେବ । ପ୍ରାୟ ସବୁ ପ୍ରକଳ୍ପର ଅଟକଳ ମୂଲ୍ୟ ୫ ଲକ୍ଷ ଓ ୫ ଲକ୍ଷରୁ ଅଧିକ ରହିଛି । ନିୟମ ଅନୁସାରେ, ଏହି ମୂଲ୍ୟର ପ୍ରକଳ୍ପ ପାଇଁ ଟେଣ୍ଡର ଡକାଯିବା କଥା । କିନ୍ତୁ ଏଠାରେ ଠିକା ବାଣ୍ଟିବା ଉଦ୍ଦେଶ୍ୟରେ ସବୁ ପ୍ରକଳ୍ପକୁ ଡିପାର୍ଟମେଣ୍ଟାଲ କରିବାକୁ ମସୁଧା କରାଯାଉଥିବା ଅଭିଯୋଗ ହୋଇଛି । ତିନିଦିନ ତଳେ କିଛି ଠିକାଦାର ସଂସ୍ଥାର ପ୍ରକଳ୍ପ ପ୍ରଶାସକଙ୍କୁ ଭେଟି ଏ ସମ୍ପର୍କରେ ଆପତ୍ତି କରିଥିଲେ । ଡିପାର୍ଟମେଣ୍ଟାଲ ନୁହେଁ, ନିୟମ ଅନୁସାରେ ଟେଣ୍ଡର କରିବାକୁ ସେମାନେ ଦାବି କରିଥିଲେ ।

Leave a Reply

Your email address will not be published. Required fields are marked *