ବଣାଇ : କେନ୍ଦ୍ର ସରକାରଙ୍କ ଦ୍ଵାରା ବ୍ୟାଙ୍କ ସମୂହର ଘରୋଇକରଣ ପ୍ରତିବାଦରେ ସାରା ଦେଶରେ ଆଜି ଠାରୁ ବ୍ୟାଙ୍କ କର୍ମଚାରୀମାନଙ୍କ ଦ୍ଵାରା ଦୁଇ ଦିନିଆ ଧର୍ମଘଟ ଡାକରା ଦିଆଯାଇଥିବା ବେଳେ ଆଜି ବଣାଇ ଉପଖଣ୍ଡରେ ମଧ୍ୟ ଏହାର ପ୍ରଭାବ ଦେଖିବାକୁ ମିଳିଛି । ଫଳରେ ଉପଖଣ୍ଡରେ ଥିବା ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ, କାନାଡା ବ୍ୟାଙ୍କ, ତଥା ଅନ୍ୟାନ୍ୟ ବ୍ୟାଙ୍କ ସମୂହ ବନ୍ଦ ରହିଥିବା ବେଳେ, ଟିକାୟତପାଲି, ଲହୁଣୀପଡ଼ା, ଗୁରୁଣ୍ଡିଆ, ପ୍ରଭୃତି ବିଭିନ୍ନ ଅଞ୍ଚଳରୁ ବ୍ୟାଙ୍କ କର୍ମଚାରୀମାନେ ଆସି ବଣାଇ ଷ୍ଟେଟ ବ୍ୟାଙ୍କ ସମ୍ମୁଖରେ ଧାରଣାରେ ବସିଥିବା ଦେଖାଯାଇଛି । ଏଥିରେ ଷ୍ଟେଟ ବ୍ୟାଙ୍କର ଦେବେନ୍ଦ୍ର ନାଥ ବେହେରା, ଶିବ ଚରଣ କିସାନ, ଗଣନାଥ ଫତକାର, ଅମିତା ସାହୁ ଯୋଗ ଦେଇଥିବା ବେଳେ କାନାଡା ବ୍ୟାଙ୍କର ନିରାକାର ସେଠୀ, ରାମଚନ୍ଦ୍ର ମାଝୀ, ପଞ୍ଜାବ ନ୍ୟାସନାଲ ବ୍ୟାଙ୍କର ପ୍ରମୋଦ ନାଏକ, ରାଜୁକମାର ସିଂ ପ୍ରମୁଖ ଉପସ୍ଥିତ ରହି କେନ୍ଦ୍ର ସରକାରଙ୍କ ବିରୋଧରେ ନାରାବାଜି କରାଯିବା ସହିତ, ଘରୋଇକରଣ ପ୍ରକ୍ରିୟାର ତିବ୍ର ନିନ୍ଦା କରିଛନ୍ତି ଏବଂ ତୁରନ୍ତ କେନ୍ଦ୍ର ସରକାର ଏ ନିଷ୍ପତିରୁ ଓହରି ଯିବା ପାଇଁ ସେମାନେ ଦାବି କରିଛନ୍ତି । ବ୍ୟାଙ୍କ ବନ୍ଦ ରହିବା ଯୋଗୁଁ ବ୍ୟାଙ୍କ କାର୍ଯ୍ୟରେ ଦୂର ଦୂରଦୂରାନ୍ତରୁ ଆସିଥିବା ଜନସାଧାରଣ ଅନେକ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବ୍ୟାଙ୍କ ବନ୍ଦ ପୂର୍ବରୁ ଆଜିକୁ ଏକ ସପ୍ତାହ ହେବ ବଣାଇ ଅଞ୍ଚଳରେ ଥିବା ସମସ୍ତ ଏଟିଏମ୍ ରେ ଟଙ୍କା ନଥିବାରୁ ଏସବୁ ଅଚଳ ଅବସ୍ଥାରେ ପଡ଼ିରହିଛି । ଫଳରେ ଉପଭୋକ୍ତାମାନେ ଅର୍ଥ ଅଭାବରୁ ହନ୍ତସନ୍ତ ହେଉଥିବା ଦେଖାଯାଇଛି ।
