ରେଙ୍ଗାଲି : ସରକାରଙ୍କ ଧାନକ୍ରୟ ନୀତିର ଖୋଲା ଉଲଙ୍ଘନ କରି ମିଲର୍ସ ଏକ ସାମନ୍ତରାଳ ନୀତି ଅବଳମ୍ବନ କରି ମନଇଚ୍ଛା କଟ୍ନୀ ଛଟ୍ନୀ କରୁଥିବାର ପ୍ରତିବାଦ କରି ବୁଧବାର କତରବଗା ପଞ୍ଚାୟତର ମା ଗଡପଟିଏନ୍ କୃଷକ ସଙ୍ଗଠନର ଚାଷୀମାନେ ଧାନକ୍ରୟ କେନ୍ଦ୍ରରେ ଧାନବସ୍ତା ବୋଝେଇ ଗାଡି ରଖୀ ଆନ୍ଦୋଳନ କରିଥିଲେ । ସରକାରଙ୍କ ଧାନକ୍ରୟ ନୀତିର ଖୋଲା ଉଲଙ୍ଘନ କରି ମିଲର୍ସମାନେ ୫ କେଜିରୁ ୧୦ କେଜି ପର୍ଯ୍ୟନ୍ତ କଟନୀ ଛଟନୀ କରି ଚାଷୀମାନଙ୍କୁ ଶୋଷଣ କରୁଛନ୍ତି ବୋଲି ସଙ୍ଗଠନ ପକ୍ଷରୁ ଅଭିଯୋଗ ହୋଇଛି । ଧାନକ୍ରୟ କେନ୍ଦ୍ରକୁ ମିଲର୍ସ ଆସି ଧାନର ମାନ ନିର୍ଦ୍ଧାରଣ ଏବଂ କଟ୍ନୀଛଟ୍ନୀ ବାବଦରେ ଚାଷୀମାନଙ୍କ ସହିତ ଆଲୋଚନା କରି ଫଇସଲା କରିବାର ନିୟମ ଥିଲେ ମଧ୍ୟ କୌଣସି ମିଲର୍ସଙ୍କ ଦେଖା ଦର୍ଶନ ମିଳୁନାହିଁ ବୋଲି ସଙ୍ଗଠନର ସଭାପତି ଲକ୍ଷ୍ମଣ ଖମାରୀ ଏବଂ ସମ୍ପାଦକ ହେମନ୍ତ ଦାଶ ଅଭିଯୋଗ କରିଛନ୍ତି । ଏହାଛଡା ଧାନକ୍ରୟ କେନ୍ଦ୍ରରୁ ମିଲର୍ସ ପଏଣ୍ଟକୁ ଧାନ ପରିବହନ ବାବଦକୁ ଗାଡି ଭଡା ଦେବାର ନିୟମ ଥିଲେ ମଧ୍ୟ ଚାଷୀମାନଙ୍କୁ ଗାଡି ଭଡା ଦିଆଯାଉ ନାହିଁ । ମିଲର୍ସମାନେ ଧାନ ଭର୍ତ୍ତି ପାଇଁ ବସ୍ତା ଦେବାର ନିୟମ ମଧ୍ୟ ପାଳନ କରାଯାଉ ନାହିଁ । ମିଲର୍ସମାନଙ୍କ ଏତାଦୃଶ ଏକଚାଟିଆ ମନମୁଖୀ ନିୟମର ପ୍ରତିବାଦରେ କତରବଗା ସ୍ଥିତ ନିୟନ୍ତ୍ରିତ ବଜାର ଉପ-ପ୍ରାଙ୍ଗଣରେ ୧୬ ଟି ଗାଡି ସହ ୨୯୯୦ ବସ୍ତା ଧାନ ରଖି ଚାଷୀ ଆନ୍ଦୋଳନ କରିଥିଲେ । ତେବେ ପ୍ରଶାସନିକ ଅଧିକାରୀମାନେ ଏସଂକ୍ରାନ୍ତରେେ ସୂଚନା ପାଇଲା ପରେ କୃଷକ ସଙ୍ଗଠନର କର୍ମକର୍ତ୍ତାମାନଙ୍କ ସହିତ ମିଲର୍ସମାନଙ୍କ ଉପସ୍ଥିତିରେ ତ୍ରିପାକ୍ଷିକ ଆଲୋଚନା କରି କଟ୍ନୀ ଛଟ୍ନୀ ଏବଂ ଅନ୍ୟାନ୍ୟ ସମସ୍ୟା ଉପରେ ଆଲୋଚନା କରି ସମାଧାନ ହେଲାପରେ ଚାଷୀମାନେ ଆନ୍ଦୋଳନରୁ ଓହରିଥିବା କୃଷକ ସଙ୍ଗଠନର ସଭାପତି ଲକ୍ଷ୍ମଣ ଖମାରୀଙ୍କ ଠାରୁ ଜଣାପଡିଛି ।
