ଚାଷ ଜମି ଓ ବୁଦା ଜଙ୍ଗଲ ମଧ୍ୟରେ ଚାଲିଥିଲା ଏକାଧିକ ମଦଭାଟି

ଆଠଗଡ : ଆଠଗଡ ଥାନା ଅନ୍ତର୍ଗତ କୋରଙ୍ଗା ଗ୍ରାମରେ ମଙ୍ଗଳବାର ସକାଳେ ଏକ ବଡଧରଣର ଅବକାରୀ ଚଢାଉ କରାଯାଇଛି । ଆଠଗଡ ଅବକାରୀ, କଟକ ୨ ନଂ ଭ୍ରାମ୍ୟମାଣ ଅବକାରୀ ସ୍କାର୍ଡ, ନରସିଂହପୁର ଅବକାରୀ ଏବଂ ଢେଙ୍କାନାଳ ଅବକାରୀ ବିଭାଗ ପକ୍ଷରୁ ମିଳିତ ଭାବେ ଏହି ଚଢାଉ କରାଯାଇଥିଲା । କୋରଙ୍ଗା ଗ୍ରାମ ନିକଟବର୍ତ୍ତୀ ଚାଷ ଜମି ଓ ବୁଦା ଜଙ୍ଗଲ ମଧ୍ୟରେ ଚାଲିଥିବା ଏକାଧିକ ମଦଭାଟି ଉପରେ ଚଢାଉ କରାଯାଇ ଭାଟିଗୁଡିକୁ ଭାଙ୍ଗିବା ସହିତ ସେ ସବୁ ଅଞ୍ଚଳରେ ଇତଃସ୍ତତ ଭାବେ ଶତାଧିକ ପ୍ଲାଷ୍ଟିକ ଜାରକିନରେ ଲୁଚାଇ ରଖାଯାଇଥିବା ସଦ୍ୟପ୍ରସ୍ତୁତ ୯୦୦ ଲିଟର ଦେଶୀମଦ ଏବଂ ମଦ ପ୍ରସ୍ତୁତି ପାଇଁ ଗଚ୍ଛିତ ୯୫୫୫ ଲିଟର ଗୁଡପୋଚ ଜବତ କରାଯାଇ ଘଟଣାସ୍ଥଳରେ ନଷ୍ଟ କରାଯାଇଥିଲା । ମିଳିତ ଅବକାରୀ ସ୍କାର୍ଡର ଏକାଧିକ ଗାଡି ଗ୍ରାମ ଆଡକୁ ଆସୁଥିବା ଦେଖି ମଦ ମାଫିଆ ଓ ମଦ ପ୍ରସ୍ତୁତିରେ ନିୟୋଜିତ ଲୋକ ସେଠାରୁ ଚମ୍ପଟ ମାରିଥିବାରୁ କାହାରିକୁ ଗିରଫ କରାଯାଇପାରିନଥିଲା । ଯେତେ ଚଢାଉ କରାଯାଇ ହଜାର ହଜାର ଲିଟର ପୋଚ ଓ ମଦ ଜବତ କରାଯିବା ଏବଂ ବେଆଇନ ମଦଭାଟି ଭଙ୍ଗାଗଲେ ମଧ୍ୟ ଏହାର କୌଣସି ପ୍ରଭାବ ମଦମାଫିଆଙ୍କ ଉପରେ ପଡୁନାହିଁ । ଆଜି ଚଢାଉ ହେଲା, ପୁଣି କାଲିଠାରୁ ମଦରନ୍ଧା ଓ ଚାଲାଣ ଯଥାପୂର୍ବ ଭଳି ଆରମ୍ଭ ହୋଇଯିବ । ଯେ ପର୍ଯ୍ୟନ୍ତ ସ୍ଥାନୀୟ ପୁଲିସ ନିୟମିତ ଏ ଦିଗରେ କଡା ପଦକ୍ଷେପ ଗ୍ରହଣ ନକରିଛନ୍ତି ସେ ପର୍ଯ୍ୟନ୍ତ କୋରଙ୍ଗା ହେଉ ଅବା ଭିରୁଡା ଅଥବା ଡାଳୁଆ ଅଞ୍ଚଳରେ ଚାଲିଥିବା ବେଆଇନ ମଦପ୍ରସ୍ତତି ଓ ଚାଲାଣ ସଂପୂର୍ଣ୍ଣ ରୂପେ ରୋକାଯାଇପାରିବ ନାହିଁ ବୋଲି ତଥ୍ୟାଭିଜ୍ଞ ମହଲରେ ମତପ୍ରକାଶ ପାଉଛି । କଟକ ଜିଲ୍ଲାପାଳ ଓ ଅବକାରୀ ଅଧିକ୍ଷକଙ୍କ ନିର୍ଦ୍ଦେଶକ୍ରମେ ଆଠଗଡ ଅବକାରୀ ନିରୀକ୍ଷକ ପ୍ରଭାସ କୁମାର ଚୌଧୁରୀ, ଭ୍ରାମ୍ୟମାଣ ସ୍କାର୍ଡ ନିରୀକ୍ଷକ ସଂଜୀତ ବାର୍ଲା, ଢେଙ୍କାନାଳ ଜିଲ୍ଲା ଉପଅଧିକ୍ଷକ ସୀତାରାଣୀ ପଟ୍ଟାୟତ, ଢେଙ୍କାନାଳ ଭ୍ରାମ୍ୟାମାଣ ସ୍କାର୍ଡ ନିରୀକ୍ଷକ ବିବେକାନନ୍ଦ ପଲେଇ, ଆଠଗଡ ଉପନିରୀକ୍ଷକ ବିଜୟ କୁମାର ଭଞ୍ଜ, ନରସିଂହପୁର ଭାରପ୍ରାପ୍ତ ଅଧିକାରୀ ଦେବାନନ୍ଦ ଭୂୟାଁଙ୍କ ସମେତ ବହୁ ଅବକାରୀ ଅଧିକାରୀ ଓ କର୍ମଚାରୀ ଏହି ଚଢାଉରେ ଅଂଶଗ୍ରହଣ କରିଥିଲେ ।

Leave a Reply

Your email address will not be published. Required fields are marked *