ଵଣାଇ : ଵଣାଇ ଥାନା ଅନ୍ତର୍ଗତ ଭାଲୁଡୁଙ୍ଗୁରି ଗ୍ରାମରେ ଗତକାଲି ରାତିରେ ଏକ ଅଭାବନୀୟ ଘଟଣା ଘଟିଯାଇଛି ।
ପ୍ରାପ୍ତ ସୂଚନା ଅନୁସାରେ ଭାଲୁଡୁଙ୍ଗୁରି ଗ୍ରାମର ସ୍ଵପ୍ନେଶ୍ୱରି ମୁଣ୍ଡା, ଘରେ କୈାଣସି କାର୍ଯ୍ୟରେ ଜଳୁଥିବା ଡିବିରିକୁ ଧରି ଯାଉଥିବା ସମୟରେ ହଠାତ୍ ସେ ପିନ୍ଧିଥିବା ଡ୍ରେସରେ ନିଆଁ ଲାଗି ଯାଇଥିଲା । ନିଆଁ ହୁତୁ ହୁତୁ ହୋଇ ଦେହ ସାରା ଜଳିବାରୁ ଭୟରେ ସେ ଚିତ୍କାର କରିବାରୁ ଘର ଲୋକ ଦୌଡ଼ି ଆସି ନିଆଁକୁ ଲିଭାଇବାକୁ ଚେଷ୍ଟା କରିଥିଲେ । ସେତେବେଳକୁ ତାଙ୍କ ଦେହର ଅଧିକାଂଶ ସ୍ଥାନ ଜଳି ସାରିଥିଲା । ପରିବାର ଲୋକ ତୁରନ୍ତ ଆମ୍ବୁଲାନ୍ସରେ ସ୍ୱପ୍ନେଶରୀକୁ ବଣାଇ ଉପଖଣ୍ଡରେ ଥିବା ସରକାରୀ ଡ଼ାକ୍ତରଖାନାକୁ ନେଇ ଭର୍ତ୍ତି କରିଥିଲେ । କିନ୍ତୁ ଅବସ୍ଥା ସଂକଟାପନ୍ନ ଥିବାରୁ କିଛି ସମୟପରେ ତାଙ୍କର ମୃତ୍ୟୁ ଘଟିଥିଲା । ସେ ଲହୁଣୀପଡ଼ାର ଏକ କଲେଜରେ ଯୁକ୍ତ ୩ ରେ ପାଠ ପଢୁଥିଲେ । ଖବର ପାଇ ଵଣାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
