ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ବିଜେପି କର୍ମୀଙ୍କୁ ଉଠାଇନେଲା ପୁଲିସ

କଟକ : କଟକର ଯୋବ୍ରା ଓ ଆନନ୍ଦ ଭବନ ଛକରୁ ବିଜେପି କର୍ମୀଙ୍କୁ ଉଠାଇନେଲା ପୁଲିସ । ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ ପୂର୍ବରୁ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିରୋଧ ପ୍ରଦର୍ଶନ କରାଯାଇଛି । ବକ୍ସିବଜାରରେ କଳାପତାକା ପ୍ରଦର୍ଶନ ସହ ବିକ୍ଷୋଭ କରାଯାଇଛି । ବିରୋଧ ପ୍ରଦର୍ଶନ କରୁଥିବା ପ୍ରାୟ ୨୦ ଯୁବ ବିଜେପି ଯୁବମୋର୍ଚ୍ଚା କର୍ମୀଙ୍କୁ ପୁଲିସ ଉଠାଇନେଲା । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କଟକ ଗସ୍ତରେ ଆସି ସ୍ମାର୍ଟ କାର୍ଡ ବଣ୍ଟନ ସହ ୧୫ ଶହ କୋଟିର ପ୍ରକଳ୍ପର ଶିଳାନ୍ୟାସ କରିବା କାର୍ଯ୍ୟକ୍ରମ ରହିଥିବାବେଳେ ଏନେଇ ବିଜେପି ପକ୍ଷରୁ ପ୍ରତିବାଦ କରାଯାଇ ବିରୋଧ କରାଯାଇଛି । ଯୋବ୍ରା ଓ ଆନନ୍ଦ ଭବନ ଛକ ଠାରେ ବିଜେପି କର୍ମୀ ପ୍ରତିବାଦ କରୁଥିବାବେଳେ ପୁଲିସ ଘଟଣାସ୍ଥଳରୁ ବିଜେପି କର୍ମୀଙ୍କୁ ଉଠାଇ ନେଇଛି । ଏଣେ କଟକ ଗସ୍ତ ବେଳେ  ମୁଖ୍ୟମନ୍ତ୍ରୀଙ୍କୁ ବିରୋଧ ଆଶଙ୍କାରେ କଟକ ନଗର ବିଜେପି ସଭାପତି ଲାଲାଟେନ୍ଦୁ ବଡୁ ଓ ଦଳର ସଂଖ୍ୟାଲଘୁ ରାଜ୍ୟ ସଭାପତି ସିକନ୍ଦର ଅଲ୍ଲିଙ୍କୁ ବି ପୁଲିସ  ଅଟକ ରଖିଥିବାର ସୂଚନା ମିଳିଛି । ମୁଖ୍ୟମନ୍ତ୍ରୀଙ୍କ କଟକ ଗସ୍ତ କାର୍ଯ୍ୟକ୍ରମକୁ ଦୃଷ୍ଟିରେ ରଖି ବାଲିଯାତ୍ରା ପଡ଼ିଆରେ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯାଇଛି । ଆଜି ବିଏସ୍‌କେଓ୍ବାଇ ସ୍ମାର୍ଟ କାର୍ଡ ଓ ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମର ଲୋକାର୍ପଣ କରିବାକୁ ଥିବାବେଳେ ପୁଲିସ ଏବେ ମୁଖ୍ୟମନ୍ତ୍ରୀଙ୍କ ସୁରକ୍ଷାକୁ ନେଇ ଚିନ୍ତାରେ ପଡ଼ିଯାଇଛି । ମମିତା ମେହେର ମାମଲାରେ ବିରୋଧୀ ମୁଖ୍ୟମନ୍ତ୍ରୀଙ୍କୁ ଟାର୍ଗେଟ୍ କରି ଅଣ୍ଡା ମାଡ଼ କରିବାର ଆଶଙ୍କା ରହିଛି । ପୁରୀ ଭଳି ଅଣ୍ଡା ମାଡ଼ ସ୍ଥିତି ଯେଭଳି କଟକରେ ସୃଷ୍ଟି ନହୁଏ, ସେଥିପାଇଁ ସତର୍କ ନଜର ରଖାଯାଇଛି । ଏଥିପାଇଁ ସାରା ବାଲିଯାତ୍ରା ପଡ଼ିଆରେ ପୁଲିସ ଫୋର୍ସ ମୁତୟନ କରାଯିବ ବୋଲି ଜଣାପଡ଼ିଛି ।

Leave a Reply

Your email address will not be published. Required fields are marked *