ବଲାଙ୍ଗୀର : ଗାଁକୁ ସଫାସୁତୁରା ରଖିବାକୁ ଘରେ ଘରେ ତିଆରି ହୋଇଛି ପାଇଖାନା । ତେଣୁ ସରକାରଙ୍କ ସ୍ୱଚ୍ଛଭାରତ ଯୋଜନା । ହେଲେ ଦୁର୍ନୀତି ସୀମା ଟପିଛି । ଅଧିକାରୀ କର୍ମଚାରୀ ମିଶି ହଡ଼ପ କରିଛନ୍ତି ସରକାରୀ ଟଙ୍କା । କେତେବେଳେ ନକଲି ବିଲ୍ କରି ଅସଲି ଟଙ୍କା ଉଠାଯାଉଛି, ତ ଆଉ କେତେବେଳେ ଶବ ନାଁରେ ଟଙ୍କା ଉଠିଛି । ବଲାଙ୍ଗୀର ଜିଲ୍ଲା ପୁଇଁତଲା ବ୍ଲକ୍ରେ ଏଭଳି ଭାବେ ଘଟଣା ଘଟିଛି, ଯାହାର ଦସ୍ତାବିଜ ‘ସମ୍ବାଦ’ ହାତରେ ଲାଗିଛି । ବଲାଙ୍ଗୀର ସଦର ମହକୁମା ଉପକଣ୍ଠ ପୁଇଁତଲା ବ୍ଲକ୍ ଅନ୍ତର୍ଗତ ବାହ୍ୟମଳମୁକ୍ତ ପଡ଼ିଆବାହାଲ ଗାଁ । ପଡ଼ିଆବାହଲର ହରିଜନ ପଡ଼ାରେ ନିର୍ମାଣ ହୋଇଛି ଦୁଇଟି ପାଇଖାନା । ପାଇଖାନାର ଗୋଟିଏ ପଟେ କାନ୍ଥରେ ଲେଖାଯାଇଛି ବେଲମତୀ ଛତ୍ରିଆ । ଅପରପଟେ ଲେଖାଯାଇଛି ସୋପନ ବାଗ । ହେଲେ ବେଲମତୀ ଛତ୍ରିଆ ଗତ ୬ ବର୍ଷ ତଳୁ ମୃତ୍ୟୁବରଣ କରି ସାରିଲେଣି । କିନ୍ତୁ ଗତବର୍ଷ ଜାନୁଆରି ମାସରେ ତାଙ୍କ ନାଁରେ ନିର୍ମାଣ ହୋଇଛି ପାଇଖାନା । ଠିକ୍ ସେହିପରି ସୋପନ ବାଗ ନାମ୍ନୀ ମହିଳା କେହି ଗାଁରେ ନାହାନ୍ତି । ଗାଁର ୱାର୍ଡସଭ୍ୟଙ୍କ କହିବା ହେଲା, ଦଶ ବର୍ଷ ହେଲା ଗାଁ ଛାଡ଼ି ସେ ପଳାଇଛନ୍ତି । କେଉଁଠି ରହୁଛନ୍ତି କାହାକୁ ଜଣା ନାହିଁ । କିନ୍ତୁ ତାଙ୍କ ନାଁରେ ବି ପାଇଖାନା ନିର୍ମାଣ ହୋଇଛି । ନିର୍ମାଣ କାମ ବି ଏମିତି ହୋଇଛି ଯେ, ତାହା କାହାରି ବ୍ୟବହାର ଉପଯୋଗୀ ନୁହଁ । କେବଳ ଭୂତ ନାଁରେ ପାଇଖାନା ନିର୍ମାଣ ହୋଇନାହିଁ, ଭୂତଙ୍କ ନାଁରେ ମଧ୍ୟ ନକଲି ବିଲ୍ କରାଯାଇଛି । ଆଉ ସରକାରୀ ତହବିଲରୁ ଉଠାଯାଇଛି ଅସଲି ଟଙ୍କା । ମିଳିଥିବା ତଥ୍ୟ ଅନୁସାରେ, ବିଲ୍ ନମ୍ବର ୪୩୦ର କ୍ରମିକ ନଂ ୨ରେ ମୃତ ବେଲମତୀ ଛତ୍ରିଆ ଏବଂ ୫ ରେ ସୋପନ ବାଗଙ୍କ ନାଁରେ ବିଲ୍ କରି ୨୪ ଜାନୁଆରି ୨୦୨୦ ତାରିଖରେ ୨୪ ହଜାର ଟଙ୍କା ଉଠାଯାଇଛି । କେବଳ ଏତିକି ନୁହଁ, ପୁଣିଥରେ ଉକ୍ତ ଦୁଇ ଜଣଙ୍କ ନାଁକୁ ଓଲଟ ପାଲଟ କରି ଆଉ ଏକ ନକଲି ବିଲ୍ ତିଆରି କରାଯାଇ ଟଙ୍କା ହଡ଼ପ କରାଯାଇଛି । ବିଲ୍ ନମ୍ବର ୪୪୮ ର କ୍ରମିକ ସଂ ୭ ରେ ବେଲମତୀ ଏବଂ ୧୨ ରେ ସୋପନ ବାଗ ନାଁରେ ,୧୦ ଫେବ୍ରୁଆରି ୨୦୨୦ ତାରିଖର ଆଉ ଏକ ବିଲ୍ କରି ୨୪ ହଜାର ଟଙ୍କା ଉଠାଯାଇଛି । କେବଳ ଭୂତଙ୍କ ନାଁରେ ଯଦି ଗାଁରେ ଏମିତି ଦୁର୍ନୀତି ହୋଇଛି ସାଧାରଣ ଲୋକଙ୍କ ନାଁରେ ହୋଇଥିବା ଦୁର୍ନୀତିର ତାଲିକା ଖୁବ୍ ଲମ୍ବା । ସାରା ବ୍ଲକ୍ରେ ଏଭଳି ଭାବରେ କୋଟି କୋଟି ଟଙ୍କାର ମହାଦୁର୍ନୀତି କରାଯାଇଛି । ମୃତ ବେଲମତୀଙ୍କ ବୋହୂ ଉମା ଛତ୍ରିଆ କହିଛନ୍ତି, ତାଙ୍କ ଶାଶୂଙ୍କ ମୃତ୍ୟୁ ହେବା ୬ ବର୍ଷରୁ ଅଧିକ ହେଲାଣି । କିଏ ଓ କାହିଁକି ତାଙ୍କ ନାଁ ବ୍ୟବହାର କରି ପାଇଖାନା କରିଛି ଓ ଟଙ୍କା ହଡ଼ପ କରିଛି, ତାହାର ତଦନ୍ତ କରାଯାଉ । ଦୋଷୀକୁ ଦଣ୍ଡ ଦିଆଯାଉ ବୋଲି ସେ ଦାବି କରିଛନ୍ତି ।
