ସରକାରଙ୍କ ଅନେକ ଯୋଜନା ପରେ ମଧ୍ଯ କୋରାଫୁଟ ଜିଲ୍ଲାରେ ଗରିବି ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି

ରାୟଗଡ଼ା : ଖଣିଜ ସଂପଦରେ ପରିପୂର୍ଣ୍ଣ ଅବିଭକ୍ତ କୋରାପୁଟ ଜିଲ୍ଲା । ନବରତ୍ନ କମ୍ପାନି ନାଲକୋ, ଉତ୍କଳ ଆଲୁମିନା, ବେଦାନ୍ତ, ଇମ୍ଫା, ଜେକେ କାଗଜକଳ, ହାଲ୍, ବିଲଟ୍ ଭଳି ବହୁ ରାଷ୍ଟ୍ରୀୟ କମ୍ପାନି ପ୍ରତିଷ୍ଠା ହୋଇଛି ଏହି ଜିଲ୍ଲାରେ । ଅବିଭକ୍ତ କୋରାଫୁଟର ଖଣିଜ ରାଜସ୍ବରେ ବଦଳୁଛି ରାଜଧାନୀ ଏବଂ ଓଡ଼ିଶାର ବିକାଶ ଚିତ୍ର । କିନ୍ତୁ ଧନି ମାଟିର ଗରିବ ମଣିଷଙ୍କ ଭାଗ୍ୟ ବଦଳି ପାରୁନି । ପ୍ରତିଦିନ ଦାରିଦ୍ର୍ୟତା ସହ ଜିଲ୍ଲାର ଅଧା ଭାଗ ଲୋକ ଲଢ଼ୁଥିବା ବେଳେ କିଛି ଭିକ୍ଷୁକ ବୃତ୍ତି କରି ପେଟ ପୋଷୁଛନ୍ତି । ଦାରିଦ୍ର୍ୟତାକୁ ନେଇ ନିକଟରେ ନୀତି ଆୟୋଗ ପ୍ରକାଶ କରିଥିବା ରିପୋର୍ଟରେ ଅବିଭକ୍ତ କୋରାପୁଟ ଜିଲ୍ଲା ସର୍ବାଗ୍ରେ ରହିଛି । ରାୟଗଡ଼ାରେ ପ୍ରତି ଶହେ ଜଣରେ ୪୮ ଲୋକ, କୋରାପୁଟରେ ପ୍ରତି ଶହେରେ ୪୯, ମାଲକାନଗିରିରେ ପ୍ରତି ଶହେରେ ୫୨ ଏବଂ ନବରଙ୍ଗପୁରରେ ପ୍ରତି ଶହେରେ ୬୦ ଲୋକ ଦାରିଦ୍ର୍ୟର କଷାଘାତରେ ପେଶି ହେଉଛନ୍ତି ।
ସେହିପରି ଓଡ଼ିଶା ବିଧାନସଭାରେ ସାମାଜିକ ସଶକ୍ତିକରଣ ବିଭାଗ ମନ୍ତ୍ରୀ ଅଶୋକ ପଣ୍ଡା ରଖିଥିବା ତଥ୍ୟ ଅନୁଯାୟୀ ଅବିଭକ୍ତ କୋରାଫୁଟ ଜିଲ୍ଲାରେ ୬୪୦ ଭିକାରି ରହିଛନ୍ତି । ରାୟଗଡ଼ା ଜିଲ୍ଲାରେ ୧୭୬, କୋରାପୁଟ ଜିଲ୍ଲାରେ ୨୨୨, ନବରଙ୍ଗପୁର ଜିଲ୍ଲାରେ ୧୮୩, ମାଲକାନଗିରି ଜିଲ୍ଲାରେ ୫୯ ଭିକ୍ଷୁକ ରହିଛନ୍ତି । ବେସରକାରୀ ଭାବେ ଏହି ତଥ୍ୟ ବହୁତ ଅଧିକ । ମଠ, ମନ୍ଦିର, ମସଜିଦ୍, ଯାନି-ଯାତରା, ଭୋଜି ନିକଟରେ ଲାଗି ରହିଥିବା ଭିକାରିଙ୍କ ଭିଡ଼ରୁ ହିଁ ଏହା ପ୍ରମାଣିତ । ଭିକ୍ଷୁକ ପୁନର୍ବାସ କେନ୍ଦ୍ର ମାଧ୍ୟମରେ ଭିକ୍ଷାବୃତ୍ତି କରୁଥିବା ଲୋକଙ୍କୁ ଥଇଥାନ କରିବା ପାଇଁ ସରକାର ପଦକ୍ଷେପ ନେଇଛନ୍ତି । ହେଲେ ଅବିଭକ୍ତ କୋରାପୁଟ ଜିଲ୍ଲାରେ କେବଳ ସର୍ଭେକୁ ଛାଡ଼ିଲେ ଅନ୍ୟ କୌଣସି ପଦକ୍ଷେପ ହାତକୁ ନେଇନାହାନ୍ତି ସରକାର । ଆଦିବାସୀ ଅଧ୍ୟୁଷିତ ଏହି ଜିଲ୍ଲା ଗୁଡ଼ିକରେ ଦାରିଦ୍ର୍ୟ ସୀମାରେଖା ତ‌ଳେ ବାସ କରୁଥିବା ଲୋକଙ୍କୁ ସମାଜର ମୁଖ୍ୟସ୍ରୋତରେ ସାମିଲ୍ ପାଇଁ ସରକାର ବହୁ ଯୋଜନା କରିଛନ୍ତି । ଶିଳ୍ପାନୁଷ୍ଠାନଗୁଡ଼ିକ ସାମାଜିକ ଦାୟିତ୍ବବୋଧତା ଦ୍ବାରା ଅଞ୍ଚଳର ବିକାଶ ପାଇଁ ବାର୍ଷିକ ଶହ ଶହ କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । କିନ୍ତୁ ଯୋଜନା ତା ବାଟରେ ଚାଲୁଥିବାରୁ ଗରିବଙ୍କ ଜୀବନ ରେଖାରେ ପରିବର୍ତ୍ତନ ଆସିପାରୁନି । ବୃହତ୍ତ ଶିଳ୍ପକୁ ଛାଡ଼ିଲେ ଅନ୍ୟ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ମଧ୍ୟ ରହିଛି ଜିଲ୍ଲାରେ,  ହେଲେ କୁଶଳୀ ମାନବ ସମ୍ବଳ, ଦକ୍ଷତାର ଅଭାବ ଯୋଗୁ କେଉଁଠି ବି ଏହି ଅଞ୍ଚଳର ଯୁବପିଢ଼ିଙ୍କୁ ନିଯୁକ୍ତି ମିଳିପାରୁନି । ବୃହତ ଶିଳ୍ପନୁଷ୍ଠାନଗୁଡ଼ିକ ଟେକ୍ନିସିଆନଠୁ ଆରମ୍ଭ କରି ସମସ୍ତ ଗୁରୁତ୍ବପୂର୍ଣ୍ଣ ପଦବି ପାଇଁ ସାକ୍ଷାତକାର ମାଧ୍ୟମରେ ବାହାର ରାଜ୍ୟ ଓ କମ୍ପାନିରେ କାମ କରି ଅଭିଜ୍ଞତା ଥିବା ପ୍ରାର୍ଥୀକୁ ଗୁରୁତ୍ବ ଦେଉଛନ୍ତି ।
ସେହିପରି ସୁରକ୍ଷାକର୍ମୀ ସମେତ ଅନ୍ୟ ଛୋଟ ପଦବିରେ ନିଯୁକ୍ତି ପାଇଁ କମ୍ପାନିଗୁଡ଼ିକ ଆଉଟସୋର୍ସିଂ ଉପରେ ନିର୍ଭର କରୁଥିବାରୁ ଉକ୍ତ ସଂସ୍ଥା ଏକ ତୃତୀୟାଂଶ ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ଦେଇ ସିଂହଭାଗ ପ୍ରାର୍ଥୀକୁ ବାହାର ଜିଲ୍ଲା ଓ ରାଜ୍ୟରୁ ଆଣି ନିୟୋଜନ କରୁଛି । ସ୍ଥାନୀୟ ଅଞ୍ଚଳର ଯୁବକଙ୍କୁ ନିଯୁକ୍ତି ପାଇଁ ବହୁବାଦ ଦାବି ହୋଇ ଆସୁଥିବା ସତ୍ତ୍ବେ କୌଣସି ସୁଫଳ ମିଳୁନଥିବାରୁ ଗରିବ ଓ ମଧ୍ୟବିତ୍ତ ପରିବାର ଅର୍ଥନୈତିକ ସ୍ଥିତିରେ ପରିବର୍ତ୍ତନ ଆସିପାରୁନି । କେବଳ ଏତିକି ନୁହେଁ ଶିକ୍ଷାହାରରେ ମଧ୍ୟ ଅବିଭକ୍ତ କୋରାପୁଟର ୪ ଜିଲ୍ଲାର ସ୍ଥିତି ଅତ୍ୟନ୍ତ ନୈରାଶ୍ୟଜନକ । ଶିଳ୍ପ ସମୃଦ୍ଧ ରାୟଗଡ଼ା ଜିଲ୍ଲାର ଶିକ୍ଷାହାର ୪୯ ପ୍ରତିଶତ ଥିବା ବେଳେ କୋରାଫୁଟ ଜିଲ୍ଲାର ଶିକ୍ଷାହାର ୪୯ ପ୍ରତିଶତ, ମାଲକାନଗିରି ଶିକ୍ଷାହାର ୪୮, ନବରଙ୍ଗପୁର ଶିକ୍ଷାହାର ୪୬ ପ୍ରତିଶତ ରହିଛି । ୪ ଜିଲ୍ଲାର ଶିକ୍ଷାହାର ୫୦ ପ୍ରତିଶତ ଟପିପାରୁନଥିଲେ ମଧ୍ୟ କେହି ଏଥିପ୍ରତି ଦୃଷ୍ଟି ନଦେବା ଅବିଭକ୍ତ କୋରାଫୁଟର ବିକାଶରେ ମୁଖ୍ୟ ବାଧକ ସାଜିଛି ।

Leave a Reply

Your email address will not be published. Required fields are marked *