ଝାରସୁଗୁଡ଼ା : ଝାରସୁଗୁଡ଼ା ଜିଲ୍ଲା ଛତିଶଗଡ଼ ସୀମାକୁ ଲାଗି ରହିଥିବା ବେଳେ ଛତିଶଗଡ଼ରୁ ବୋହି ଆସିଥିବା ମହାନଦୀ ଏହି ଜିଲ୍ଲାର ଲଖନପୁର ବ୍ଲକର ସୁଖାସୋଡ଼ାଠାରେ ପ୍ରବେଶ କରିଛି । ମହାନଦୀ ଉପର ମୁଣ୍ଡରେ ଛତିଶଗଡ଼ ସରକାର ଏକାଧିକ ବ୍ୟାରେଜ୍ ନିର୍ମାଣ କରିଥିବାରୁ ଜିଲ୍ଲାକୁ ପାଣି ଆସିବା ଓ ନଆସିବା ନିୟନ୍ତ୍ରଣ ଛତିଶଗଡ଼ ହାତକୁ ଚାଲି ଯାଇଛି । ଉପରମୁଣ୍ଡରେ ପ୍ରବଳ ବର୍ଷା ହେଲେ ଏଠାରେ ବନ୍ୟା ପରିସ୍ଥିତି ସୃଷ୍ଟି ହେଉଥିବା ଓ ଗ୍ରୀଷ୍ମ ଦିନରେ ପାଣିକୁ ଅଟକାଇ ଦେଉଥିବାରୁ ନଦୀଶଯ୍ୟା ଶୁଖିଯାଉଛି । ହୀରାକୁଦ ଜଳଭଣ୍ଡାରକୁ ଆଖି ଆଗରେ ରଖି ଅନେକ ଶିଳ୍ପ ସଂସ୍ଥା ଗଢ଼ି ଉଠିଛି । ବର୍ଷାଋତୁକୁ ଛାଡ଼ି ଦେଲେ ବାକି ସମୟ ସୁଖାସୋଡ଼ା ମହାନଦୀ ଶଯ୍ୟା ପ୍ରାୟ ଶୁଖିଲା ରହିଥାଏ । ଛତିଶଗଡ଼ରୁ ବାହାରି ମହାନଦୀରେ ମିଶିଥିବା ଆଉ ଏକ ଛୋଟ ନଦୀ କେଲୋନଦୀରେ ମଧ୍ୟ ଛତିଶଗଡ଼ ସରକାର ବ୍ୟାରେଜ ନିର୍ମାଣ କରିଛନ୍ତି । ଏବେ ସୀମାରେ ଲରାଠାରେ ସ୍ଥାପନ ହୋଇଥିବା ଏନ୍ଟିପିସି ତାପଜ ବିଦ୍ୟୁତ ପ୍ରକଳ୍ପର ପ୍ରଦୂଷଣ ସିଧାସଳଖ କେଲୋନଦୀ ହୋଇ ମହାନଦୀରେ ମିଶୁଛି । ସେହିପରି ଛତିଶଗଡ଼ର ଯଶପୁର ଜିଲ୍ଲାରୁ ବାହାରିଥିବା ଇବ୍ ନଦୀରେ ବ୍ରଜରାଜନଗର ନିକଟରେ ଭେଡ଼େନ ନଦୀ ମିଶିଥିବା ବେଳେ ରାଜପୁର ନିକଟ ଦେଓଗାଁଠାରେ ବସୁନ୍ଧରା ନଦୀ ମିଶିଛି । ଇବ୍ନଦୀ ଅବବାହିକାରେ ବ୍ୟାପକ କୋଇଲା ରହିଥିବା ବେଳେ ବର୍ଷାଦିନ ବସୁନ୍ଧରା ନଦୀରେ କଳା ପାଣି ପ୍ରବାହିତ ହେଉଥିବା ଦେଖାଯାଏ । ଏକାଧିକ କଳକାରଖାନା ଏଠାରୁ ପାଣି ନେଉଥିବା ବେଳେ ଏହି ନଦୀର ଏକ ବଡ଼ ଅଂଶ ଯେଉଁଥିରେ ୧୫ ଟି ବାଲିଘାଟରୁ ବାଲି ଉତ୍ତୋଳନ ହୋଇଥାଏ । ବ୍ୟାପକ ବାଲି ଉତ୍ତୋଳନ ହେଉଥିବାରୁ ଏହା ପରିବେଶ ଉପରେ କୁପ୍ରଭାବ ପକାଉଛି । ଜିଲ୍ଲାର ଭେଡ଼େନ ନଦୀରେ ସିଧାସଳଖ କାରଖାନା ବର୍ଜ୍ୟ ମିଶୁଥିବା ବେଳେ ଏହା ହୀରାକୁଦ ଜଳଭଣ୍ଡାରରେ ପ୍ରବେଶ କରୁଛି । ଜିଲ୍ଲାରେ ଥିବା ଲିଲାରି ନାଳ, ଅହିରା ନାଳ ମଧ୍ୟ ରକ୍ଷଣାବେକ୍ଷଣ ଅଭାବ ଯୋଗୁଁ ପ୍ରଦୂଷିତ ହେଉଛି । ଝାରସୁଗୁଡ଼ା ସହର ଏବେ ଶିଳ୍ପ ବର୍ଜ୍ୟରେ ପ୍ରଦୂଷିତ ହୋଇ ଜଳାଶୟଗୁଡ଼ିକୁ ପ୍ରଭାବିତ କରୁଛି । ବହୁ ବନ୍ଧକଟାର ପାଣି ବିଷାକ୍ତ ହୋଇ ଯାଉଥିବାରୁ ଅନେକ ସମୟରେ ବହୁ ମାଛ ମରି ଯାଉଥିବା ଦେଖାଯାଉଛି । ଜିଲ୍ଲାର ନଦୀନାଳ, ବନ୍ଧକଟା ଉପରେ ଦୃଷ୍ଟି ଦେଇ ଏହାର ରକ୍ଷଣାବେକ୍ଷଣ ପାଇଁ ଯୋଜନା ନକଲେ ଏହା ଅଚିରେ ଧ୍ବଂସ ହୋଇଯିବ ଏଥିରେ ସଂଦେହ ନାହିଁ ।
