ସାଲେପୁର : ଲଘୁଚାପଜନିତ ବର୍ଷାରେ କଟକ ସଦର ବ୍ଲକ ୮ ଗୋଟି ପଞ୍ଚାୟତର ୩୦୦୦ ହଜାର ହେକ୍ଟର ଚାଷ ଜମି କ୍ଷତିଗ୍ରସ୍ତ। ଜିଲ୍ଲାର ବୋଧପୁରୁ, ପ୍ରହରାଜପୁରୁ, କିଶନନଗର, ଷୋମପୁରୁ, ଧରିଣା, ଯଶପଡା, ବାରଦା, ଅରିଲୋ ପଞ୍ଚାୟତରେ ବ୍ୟାପକ କ୍ଷୟକ୍ଷତି କରିଛି ବର୍ଷା । ସୂଚନାନୁସାରେ, ପ୍ରାୟ ୩୦୦୦ ହଜାର ହେକ୍ଟର ଜମିରେ ଧାନ ଚାଷ କରିଥିଲେ ଚାଷୀ । ବାତ୍ୟା ସିନା ଟଳିଗଲା ହେଲେ ବାତ୍ୟାର ପ୍ରଭାବରେ ବର୍ଷାର ତାଣ୍ଡବ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଦେଲା ।ବିଲରେ ଆଣ୍ଠୁଏ ପାଣିରେ ପାଚିଲା ଧାନ ଶୋଇ ରହିଛି । ଚାଷୀ ଆଉ ଅମଳ କରିପାରିବେନି ଧାନ । ଯାହା ଫଳରେ ମହାଜନଠୁ ଧାର କରି ଆଣି ଥିବା ଟଙ୍କା କିଭଳି ସୁଝିବେ ଭାବି ଚାଷୀ ମୁଣ୍ଡରେ ହାତ ଦେଇ ବସି ରହିଛି । ରାଜ୍ୟ ସରକାର ପ୍ରଶାସନକୁ ସାତ ଦିନ ଭିତରେ କ୍ଷୟକ୍ଷତିର ଆକଳନ କରି ରିପୋର୍ଟ ଦେବାକୁ ନିର୍ଦେଶ ଦେଇଛନ୍ତି । କିନ୍ତୁ ଦୁଃଖ ପରିତାପର ବିଷୟ ଏହା ଯେ ବର୍ଷାର ତାଣ୍ଡବ ଯିବାର ୭ ଦିନ ବିତିଲାଣି, କିନ୍ତୁ କୌଣସି ପ୍ରଶାସନିକ ଅଧିକାରୀ କ୍ଷୟକ୍ଷତି ଆକଳନ କରିବା ପାଇଁ ଆସିନାହାଁନ୍ତି । କୃଷକ ସାଥୀଙ୍କୁ ରିପୋର୍ଟ ପ୍ରସ୍ତୁତ କରିବାକୁ ନିର୍ଦ୍ଦେଶ ଦେବା ଚାଷୀ ମନରେ ସରକାରୀ ସହୟତା ମିଳିବାକୁ ନେଇ ସନ୍ଦେହ ସୃଷ୍ଟି କରିଛି । କିଶନ ନଗର ତହସିଲଦାରଙ୍କୁ ଏକ ଦାବିପତ୍ର ଦେବା ସହ ଯଦି ସଠିକ କ୍ଷୟକ୍ଷତିର ତଦନ୍ତ ନହୁଏ ଆଗାମୀ ଦିନରେ ଆନ୍ଦୋଳନାତ୍ମକ ପନ୍ଥା ଗ୍ରହଣ କରିବ ବୋଲି ଚାଷୀମାନେ ଚେତାବନୀ ଦେଇଛନ୍ତି ।
