ବାଲେଶ୍ବର : ସାଙ୍ଗମାନଙ୍କ ମେଳରେ ବନ୍ଧୁକ ନେଇ ମଜା କରୁ କରୁ ଫୁଟିଗଲା ଗୁଳି । ଫଳରେ ଜଣେ ଯୁବକ ଗୁରୁତର ହୋଇଛନ୍ତି । ଗୁରୁତର ଯୁବକ ହେଲେ ପ୍ରୀତିରଞ୍ଜନ ନାୟକ । ତାଙ୍କ ବୟସ ୩୫ ବର୍ଷ । ଗୁରୁତର ଅବସ୍ଥାରେ ଯୁବକଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ତାଙ୍କ ଘର ସଦର ଥାନା ଅନ୍ତର୍ଗତ ଝିଙ୍କିରିଆ ଗାଁରେ । ସୂଚନାଯୋଗ୍ୟ ଯେ, ଗୁରୁବାର ରାତି ପ୍ରାୟ ୧ଟା ୩୦ରୁ ୨ଟା ମଧ୍ୟରେ ୫ ରୁ ୬ ଜଣ ସାଙ୍ଗ ହୋଇ ଝିଙ୍କିରିଆ ଗାଁ ଛକ ପୋଲ ଉପରେ ମେଳି କରିଥିଲେ । ସେମାନଙ୍କ ମଧ୍ୟରୁ ଜଣେ ବନ୍ଧୁକ ଦେଖାଇ ମଜା କରୁ କରୁ ଗୁଳି ଫୁଟି ପ୍ରୀତିରଞ୍ଜନର ପେଟ ଉପର ଭାଗରେ ବାଜିଥିଲା । ଗୁରୁତର ଅବସ୍ଥାରେ ତାଙ୍କୁ ପ୍ରଥମେ ବାଲେଶ୍ବର ଓ ପରେ କଟକ ସ୍ଥାନାନ୍ତର କରାଯାଇଥିଲା । ଏଯାଏଁ ଆହତଙ୍କ ପରିବାର ଲୋକେ ଥାନାରେ ଅଭିଯୋଗ କରିନାହାନ୍ତି । ପୋଲିସ ଘଟଣାର ତଦନ୍ତ କରୁଛି । ବନ୍ଧୁକ ଜବତ ହୋଇନଥିବା ଜଣାପଡିଛି ।
