ଅନୁଗୋଳ ଜିଲ୍ଲା ବନ୍ତଳା ଥାନା ମୁଣ୍ଡାଢ଼ିପ ସାହିରେ ଏକ ଅମାନବୀୟ ଘଟଣା ଘଟିଛି। ଗ୍ରାମର ଶଙ୍କର୍ଷଣ ସାହୁଙ୍କ ମା’ ବଚନ ସାହୁ(୭୦)ଙ୍କ ଶୁକ୍ରବାର ସକାଳେ ମୃତ୍ୟୁ ଘଟିଥିଲା। ମାତ୍ର ୧୯ ହଜାର ଟଙ୍କା ପାଇଁ ୪ ବର୍ଷ ଧରି ତାଙ୍କ ପରିବାରକୁ ନିଆଁପାଣି ବାସନ୍ଦ କରାଯାଇଥିବା ଯୋଗୁ ଗ୍ରାମବାସୀ ମୃତଦେହକୁ ଉଠାଇବାକୁ ଆସି ନ ଥିଲେ। ଏଭଳି ସ୍ଥିତିରେ ମୃତଦେହ ୩ ଘଣ୍ଟା ପଡ଼ି ରହିଥିଲା। ପରେ ଏ ନେଇ ଖବର ପାଇ ବିଜୁ ଯୁବବାହିନୀ ପହଞ୍ଚି ମୃତଦେହ ସଂସ୍କାର କରିଥିବା ଜଣାପଡ଼ିଛି।
ସକାଳେ ଶଙ୍କର୍ଷଣ ମା’ଙ୍କର ମୃତ୍ୟୁ ହୋଇଥିବା ଗ୍ରାମବାସୀ ଜାଣିଥିଲେ ମଧ୍ୟ କେହି ମୃତଦେହକୁ ଉଠାଇବା ପାଇଁ ଆସି ନ ଥିଲେ। ପରେ ଏ ନେଇ ବନ୍ତଳା ନାଏବ ସରପଞ୍ଚ ଅଲିଭା ସାହୁ ଜାଣିବା ପରେ ଯୁବ ବିଜେଡି ସଭାପତି ଦିନେଶ ପ୍ରଧାନ, ସମାଜସେବୀ ତଥା ହିଡିସିଙ୍ଗ କୃଷକ ମହାସଂଘର ସଭାପତି ଦିନେଶ ଦେହୁରୀ, ଯୁବ ନେତା ସୁଶୀତ ସାହୁ, ବେଡା ଶାସନ ବିଜୁ ଯୁବ ବାହିନୀର ସଭାପତି ଗଣେଶ୍ୱର ସାହୁ, ସମ୍ପାଦକ ରମାକାନ୍ତ ସାହୁ, ବସଲା ଯୁବ ବାହିନୀ ସମ୍ପାଦକ ସୌମ୍ୟରଞ୍ଜନ ସାହୁ, ସରପଞ୍ଚ ଗୀତା ସାହୁ, ସମିତି ସଭ୍ୟ ମମତା ପ୍ରଧାନ ପ୍ରମୁଖ ପହଞ୍ଚି ମୃତଦେହକୁ ବୋହି ଶଙ୍କର୍ଷଣଙ୍କ ପୈତୃକ ଜାଗାରେ ସଂସ୍କାର କରିଥିଲେ। ଯୁବବାହିନୀର ଏଭଳି ଜନହିତକର କାର୍ଯ୍ୟ ନେଇ ଜିଲ୍ଲାବାସୀ ସାଧୁବାଦ ଜଣାଇଛନ୍ତି।
