ଭୁବନେଶ୍ୱର : ପିଲାଙ୍କ ଉପରେ ଓମିକ୍ରନ୍ କେତେ ପ୍ରଭାବ ପକାଇବ ଏହାକୁ ନେଇ ଏବେ ବିଶେଷଜ୍ଞମାନେ ଆକଳନ କରୁଛନ୍ତି । ଏମିତିକି ଆଗୁଆ ପ୍ରସ୍ତୁତିର ତତ୍ପରତା ଦେଖାଦେଇଛି । ହେଲେ ଏହି କୋଭିଡ ପାଇଁ କେତେ ପିଲାଙ୍କ ପାଠପଢ଼ା ଉଜୁଡ଼ିଗଲାଣି ଏହାର ହିସାବ ଶୁଣିଲେ ଆପଣ କାନରେ ହାତ ଦେବେ । ରାଜ୍ୟର ଅଧା ପିଲା ପାଠ ଛାଡୁଛନ୍ତି । ମନ୍ତ୍ରୀ ରଖିଥିବା ତଥ୍ୟ ଅନୁଯାୟୀ, ଗତବର୍ଷ ୪୯ ହଜାର ୯୮ ଜଣ ଛାତ୍ରଛାତ୍ରୀ ସ୍କୁଲ ଡ୍ରପ୍ ଆଉଟ୍ ହୋଇଛନ୍ତି । କୋଭିଡ ପାଇଁ ସ୍କୁଲ ବନ୍ଦ । ସ୍କୁଲ ନଯାଇ ପାଠରେ ଡୋରି ବନ୍ଧା ହେଲାଣି । ରାଜ୍ୟରେ ଅଧାରୁ ପାଠ ଛାଡିଛନ୍ତି ବହୁ ସଂଖ୍ୟାର ସ୍କୁଲପିଲା । ବିଧାନସଭାରେ ସ୍କୁଲ ଓ ଗଣଶିକ୍ଷାମନ୍ତ୍ରୀ ସମୀର ଦାଶ ବି ଏହା ହିସାବ ଦେଇଛନ୍ତି । ତାଙ୍କ ସୂଚନା ଅନୁସାରେ ଗତବର୍ଷ ୪୯ ହଜାର ୯୮ ଜଣ ଛାତ୍ରଛାତ୍ରୀ ଗତ ବର୍ଷ ସ୍କୁଲ ଡ୍ରପଆଉଟ ହୋଇଛନ୍ତି । ଯେଉଥିରେ ଅନୁସୂଚିତ ଜାତିର ୧୧ ହଜାର ୪୫ ଓ ଅନୁସୂଚିତ ଜନଜାତିର ୧୫ ହଜାର ୭୯୨ ଛାତ୍ରଛାତ୍ରୀ ଅଧାରୁ ପାଠ ଛାଡିଛନ୍ତି । ସବୁଠୁ ଅଧିକ ପିଲା ଡ୍ରପଆଉଟ ହୋଇଛନ୍ତି କଳାହାଣ୍ଡି ଜିଲ୍ଲାରେ । ସେଠି ୬ ହଜାର ୭୩୧ ପିଲା ସ୍କୁଲ ଛାଡିଛନ୍ତି । ତା’ପଛକୁ ଅଛି କୋରାପୁଟ ଓ ସୁନ୍ଦର ଗଡ଼ ଜିଲ୍ଲା । କୋରାପୁଟର ୩ ହଜାର ୫୮୭ ପିଲା ଅଧାରୁ ପାଠ ଛାଡିଥିବା ବେଳେ ସୁନ୍ଦରଗଡରୁ ୩ ହଜାର ୪୨୬ ପିଲା ପାଠକୁ ବିଦାୟି ଦେଇଛନ୍ତି । ତେବେ ମନ୍ତ୍ରୀଙ୍କ ରିପୋର୍ଟ ଅନୁସୂରେ ମୟୁରଭଞ୍ଜ ଜିଲ୍ଲାରେ ସବୁଠାରୁ କମ୍ ୧୩ ଜଣ ପାଠ ଛାଡ଼ିଛନ୍ତି । କୋଭିଡ ସମୟରେ ଏତେ ସଂଖ୍ୟାରେ ପିଲା ପାଠ ଛାଡ଼ିବା ଚିନ୍ତାଜନକ ରହିଛି । ସେହିଭଳି ରାଜ୍ୟରେ ୭୧ ପ୍ରତିଶତ ପିଲାଙ୍କ ପାଖରେ ନାହିଁ ସ୍ମାର୍ଟ ଫୋନ୍ । ଏ ତଥ୍ୟ ବି ବିଧାନ ସଭାରେ ରଖିଛନ୍ତି ମନ୍ତ୍ରୀ । କୋଭିଡ ବେଳେ ଅନଲାଇନ ପାଠ ପଢା ଚାଲୁଥିବା ବେଳେ ୭୧ ପ୍ରତିଶତ ପିଲାଙ୍କ ପାଖରେ ମୋବାଇଲ ନଥିବା ତଥ୍ୟ ଓଡିଶାରେ ଶିକ୍ଷା ବ୍ୟବସ୍ଥାର ବାସ୍ତବ ଚିତ୍ର ଉପରୁ ପରଦା ହଟାଇଛି । ଖୋର୍ଦ୍ଧାରେ ସର୍ବାଧିକ ୪୫.୮୦ ପ୍ରତିଶତ ପିଲାଙ୍କ ପାଖରେ ସ୍ମାର୍ଟଫୋନ୍ ଥିବା ବେଳେ କନ୍ଧମାଳରେ ସବୁଠୁ କମ୍ ୧୩.୩୮ ପ୍ରତିଶତ ପିଲାଙ୍କ ପାଖରେ ଫୋନ ରହିଛି । ୨୦୨୦ ସେପ୍ଟେମ୍ବରରେ କରାଯାଇଥିବା ଏକ ସର୍ଭେରୁ ଏହା ଜଣାଯାଇଛି ।
