ପାତ୍ରପୁର : ‘ଜୱାଦ୍’ ବାତ୍ୟା ପ୍ରଭାବରେ ଗଞ୍ଜାମ ଜିଲ୍ଲାରେ ଲଗାଣ ବର୍ଷା ଚାଷୀ ପାଇଁ ଦୁଃଖ ଆଣିଦେଇଛି । ଏଭଳି ପରିସ୍ଥିତିରେ ଧାନ ଓ ପନିପରିବା କ୍ଷତି ସହି ନପାରି ପାତ୍ରପୁର ବ୍ଲକ୍ ଇଲାକାରେ ଜଣେ ଭାଗଚାଷୀ କୀଟନାଶକ ପିଇ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନେଇଛନ୍ତି । ମୃତକ ଜଣକ ହେଲେ, ତୁରୁବୁଡ଼ି ପଞ୍ଚାୟତ ଉଲୁମା ଗ୍ରାମର କୈଳାସ ଶବର (୫୭) । କୈଳାସ ତାଙ୍କ ଘରର ଏକମାତ୍ର ରୋଜଗାରକ୍ଷମ ଓ ମୁରବି ଥିଲେ । ଟି.ନାମେଶ୍ବର ପାତ୍ରଙ୍କ ପ୍ରାୟ ଦୁଇଏକର ଚାଷଜମିରେ ସେ ଧାନ ଏବଂ ପାଖାପାଖି ଗୋଟିଏ ଏକର ଜମିରେ କାଙ୍କଡ଼, ଟମାଟୋ ଓ ବାଇଗଣ ଭଳି କିଛି ପରିବା ଚାଷ କରିଥିଲେ । ହେଲେ ‘ଜୱାଦ୍’ ବାତ୍ୟାର ପ୍ରଭାବରେ ଶୁକ୍ରବାର ଓ ଗତକାଲି ଲଗାଣ ବର୍ଷା ହେତୁ ଫସଲ ନଷ୍ଟ ହୋଇଯିବାରୁ ସେ ମାନସିକ ଭାବେ ଭାଙ୍ଗିପଡ଼ିଥିଲେ । ଧାନକ୍ଷେତ ସଂପୂର୍ଣ୍ଣ ଭାବେ ଜଳାର୍ଣ୍ଣବ ପାଲଟିଥିବାରୁ ତାଙ୍କ ଦୁଃଖ ଆହୁରି ବଢ଼ିଯାଇଥିଲା । ଫଳରେ ପରିବାର ପ୍ରତିପୋଷଣ କେମିତି ହେବ, ଏହି ଚିନ୍ତା କୈଳାସଙ୍କୁ ଘାରିଥିଲା । ରବିବାର ସକାଳେ ତୁରୁବୁଡ଼ି ବଜାରକୁ ଯାଇ ପରିବା ବିକି ଘରକୁ ଫେରିଥିଲେ । ଆଉ ମଧ୍ୟାହ୍ନରେ କାଙ୍କଡ଼ ଗଛରେ ପକାଇବାକୁ ବ୍ୟବହାର କରାଯାଉଥିବା କୀଟନାଶକ ଔଷଧ ପିଇଦେଇଥିଲେ । ପରିବାର ଲୋକେ କୈଳାସଙ୍କୁ ତୁରନ୍ତ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ସେ ପ୍ରାଣ ହରାଇଥିବା ପତ୍ନୀ ପଦ୍ମା କହିଛନ୍ତି ।ଘଟଣାସ୍ଥଳରେ ଜରଡ଼ା ପୁଲିସ ପହଞ୍ଚି ଶବକୁ ବ୍ୟବଚ୍ଛେଦ ପାଇଁ ବ୍ରହ୍ମପୁର ପଠାଇଥିଲା । ତହସଲିଦାର ଅମିତ କୁମାର ନାୟକ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ପହଞ୍ଚି ପରିବାରବର୍ଗଙ୍କୁ ସାକ୍ଷାତ କରିଥିଲେ । ଏହାସହ ରେଡକ୍ରସ୍ ପାଣ୍ଠିରୁ ୧୦ ହଜର ଟଙ୍କା ସହାୟତା ପ୍ରଦାନ କରିଥିଲେ ।
