କଣ୍ଟାବାଞ୍ଜି : ଫସର ଫାଟିଲା ଚୋରାରେ ଗଞ୍ଜେଇ ଚାଲାଣ । ଗାଡ଼ି ସହ ୨ ଲକ୍ଷରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ । ମାଫିଆ ଫେରାର । ବଲାଙ୍ଗୀର ଜିଲ୍ଲା ସିନ୍ଧେକେଲା ଥାନା ଚାନ୍ଦୋତରା ମୁଖ୍ୟ ଛକର ଭୁର୍ଷାଗୁଡ଼ା ନିକଟରୁ ଜବତ ହୋଇଛି ।ଖବର ଅନୁଯାୟୀ, ଏକ ଧଳା ପଲସର ବାଇକ୍ ଯୋଗେ ୨ ଜଣ ଯୁବକ ଦ୍ରୁତ ଗତିରେ ଭୂର୍ଷାଗୁଡ଼ା ଦେଇ ଚାନ୍ଦୋତରା ପଟକୁ ଆସୁଥିଲେ । ଚାନ୍ଦୋତରା ଛକରୁ ପ୍ରାୟ ୨୦୦ ମିଟର ସରକାରୀ ମଦଭାଟି ସମ୍ମୁଖରେ ବାଇକ୍ଟି ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିଲା । ଦୁର୍ଘଟଣା ପରେ ବାଇକ ଆରୋହୀ ଗାଡ଼ିରେ ୩ ଟି ଗଞ୍ଜେଇ ଭର୍ତ୍ତି ବ୍ୟାଗ୍ ଛାଡି ଚମ୍ପଟ ମାରିଥିଲେ । ଯାହାର ଓଜନ ପ୍ରାୟ ୩୦ କେଜି ହେବ ବୋଲି ସୂଚନା ମିଳିଥିଲା । ଏହାପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗଞ୍ଜେଇ ଭର୍ତ୍ତି ବ୍ୟାଗ୍କୁ ଜବତ କରିଥିଲା । ତେବେ ଜବତ ଗଞ୍ଜେଇର ଆନୁମାନିକ ମୂଲ୍ୟ ୨ ଲକ୍ଷ ଟଙ୍କା ହେବ । ଘଟଣାସ୍ଥଳରୁ ଏକ ମୋବାଇଲ୍ ମଧ୍ୟ ଜବତ କରିଛି ପୋଲିସ । ସେପଟେ ଫେରାର ମାରିଥିବା ଗଞ୍ଜେଇ ମାଫିଆଙ୍କ ଖବର ମିଳିପାରିନଥିବା ବେଳେ ପୋଲିସ ତନାଘନା ଆରମ୍ଭ କରିଛି । ଛତିଶଗଡ଼ରୁ କଳାହାଣ୍ଡି ଜିଲ୍ଲା ଦେଇ ବଲାଙ୍ଗୀର ତଥା ଅନ୍ୟ ଅଞ୍ଚଳକୁ ଗଞ୍ଜେଇ ଚାଲାଣ ହେଉଥିବା ସୂଚନା ମିଳିଛି । ତେଣୁ ପୁରା ଅଞ୍ଚଳରେ ପୋଲିସ ପାଟ୍ରୋଲିଂ କଡାକଡି କରି ବେଆଇନ ଗଞ୍ଜେଇ ଚାଲାଣ ରୋକିବା ଦିଗରେ ପଦକ୍ଷେପ ନେବାକୁ ସାଧାରଣରେ ଦାବି ହେଉଛି ।
