ସମ୍ବଲପୁର : ଭିଜିଲାନସ୍ ଦ୍ବାରା ଗିରଫ ହୋଇଥିବା ବଲାଙ୍ଗୀର ଜିଲ୍ଲା ବଙ୍ଗୋମୁଣ୍ଡା ଥାନା ଅଧିକାରୀ ବିନୋଦ ବିହାରୀ ନାୟକଙ୍କ କାରନାମା ଧୀରେ ଧୀରେ ପଦାକୁ ଆସିବାରେ ଲାଗିଛି । ଗତ ୩୦ ନଭେମ୍ବର ଦିନ ବଙ୍ଗୋମୁଣ୍ଡାରୁ ନିଜ ଘର ସମ୍ବଲପୁର ଜିଲ୍ଲା କୁଚିଣ୍ଡାକୁ ଆସିବା ବେଳେ ବରଗଡ଼ ଜିଲ୍ଲା ବରାହଗୋଡ଼ା ଚେକ୍ଗେଟ୍ ନିକଟରେ ଭିଜିଲାନସ୍ ହାତରେ ଧରାପଡ଼ିଥିଲେ । ଭିଜିଲାନସ୍ ତାଙ୍କଠାରୁ ନଗଦ ୨ ଲକ୍ଷ ୬ ହଜାର ୨୨୦ ଟଙ୍କା ଜବତ କରିଥିଲା । ପରବର୍ତ୍ତୀ ସମୟରେ ଯାଞ୍ଚ ବେଳେ ତାଙ୍କ ବଙ୍ଗୋମୁଣ୍ଡା ବାସଭବନରୁ ପୁଣି ନଗଦ ୩ ଲକ୍ଷ ୮୦ ହଜାର ଟଙ୍କା ମିଳିଥିଲା । ତେବେ ସବୁଠାରୁ ଚକିତ କରିବା ଭଳି କଥା ହେଉଛି, ଥାନା ଅଧିକାରୀ ଶ୍ରୀ ନାୟକ ଯେଉଁ ମାରୁତି ସିଆଜ୍ କାର୍(ଓଡି ୧୫କେ-୬୧୧୧)ରେ କୁଚିଣ୍ଡା ଅଭିମୁଖେ ଆସୁଥିଲେ, ସେହି କାର୍ଟି ଜଣେ ଅଭିଯୁକ୍ତଙ୍କ ନାମରେ ରହିଛି । ସୂଚନା ଅନୁସାରେ, ଏହି କାର୍ର ମାଲିକ ହେଉଛନ୍ତି ସମ୍ବଲପୁର ସୁନାପାଲି ଛକରେ ରହୁଥିବା ମହମ୍ମଦ କଲିମ୍ । ମହମ୍ମଦ କଲିମଙ୍କ ନାମରେ ସମ୍ବଲପୁର ଜିଲ୍ଲାର ବିଭିନ୍ନ ଥାନାରେ ଅନେକ ମାମଲା ରହିଛି । କେବଳ ଧନୁପାଲି ଥାନାରେ ତାଙ୍କ ନାମରେ ୫ ଟି ମାମଲା ରହିଥିବା ପୁଲିସ ସୂ୍ତ୍ରରୁ ଜଣାପଡ଼ିଛି । ମହମ୍ମଦ କଲିମ ଏବଂ ଥାନା ଅଧିକାରୀ ଶ୍ରୀ ନାୟକଙ୍କ ମଧ୍ୟରେ କି ସଂପର୍କ ରହିଛି ? ଶ୍ରୀ ନାୟକ ବଙ୍ଗୋମୁଣ୍ଡାରେ ରହୁଥିବା ବେଳେ ସମ୍ବଲପୁର ସହରର ଜଣେ ଅଭିଯୁକ୍ତଙ୍କ ଗାଡ଼ି କେମିତି ବ୍ୟବହାର କରୁଥିଲେ ? ପୁଲିସ ଓ ଅଭିଯୁକ୍ତଙ୍କ ମଧ୍ୟରେ ଅସାଧୁ ସଂପର୍କ ରହୁଥିବା ନେଇ ସମୟ ସମୟରେ ଅଭିଯୋଗ ହୋଇଆସୁଥିବାବେଳେ ଶ୍ରୀ ନାୟକ ଓ କଲିମଙ୍କ ମଧ୍ୟରେ ସେଭିଳି କିଛି ସଂପର୍କ ନାହିଁ ତ ? ଏବେ ଏହିଭଳି ପ୍ରଶ୍ନବାଚୀ ସୃଷ୍ଟି ହୋଇଛି । ସ୍ଥାନୀୟ ଲୋକଙ୍କ କହିବା ଅନୁସାରେ, ଶ୍ରୀ ନାୟକ କୁଆଡ଼େ ଏହି କାରକୁ ବଙ୍ଗୋମୁଣ୍ଡାରେ ନିଜ ପାଖରେ ପ୍ରାୟତଃ ରଖୁଥିଲେ । ନିଜର ବ୍ୟକ୍ତିଗତ କାର୍ ଭଳି ବ୍ୟବହାର କରୁଥିଲେ । ଶ୍ରୀ ନାୟକ କିଛି ବର୍ଷ ଆଗରୁ ସମ୍ବଲପୁରରେ ରହୁଥିଲେ । ସମ୍ଭବତଃ ସେହି ସମୟରୁ କଲିମଙ୍କ ସଂପର୍କ ଗଢ଼ି ଉଠିଥିବା ଚର୍ଚ୍ଚା ହେଉଛି । ତେବେ, ବାସ୍ତବତା କ’ଣ ଏ ଦିଗରେ ଅଧିକ ତଦନ୍ତ ହେଲେ ଜଣାପଡ଼ିବ ବୋଲି କହାଯାଉଛି ।
