ମମିତାଙ୍କୁ ନ୍ୟାୟ ଦେବା ଦାବିରେ ଆସନ୍ତା ୯ ତାରିଖରେ ବିଧାନସଭା ଘେରାଉ କରିବ ବିଜେପି

ଭୁବନେଶ୍ବର : ବହୁ ଚର୍ଚ୍ଚିତ ମମିତା ହତ୍ୟାକାଣ୍ଡ ମାମଲାରେ ପୀଡ଼ିତାକୁ ନ୍ୟାୟ ପ୍ରଦାନ, ଅଭିଯୁକ୍ତ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରିବା ଏବଂ ଘଟଣାର ସିବିଆଇ ତଦନ୍ତ ଦାବିରେ ଆସନ୍ତା ୯ ତାରିଖରେ ବିଜେପି ପକ୍ଷରୁ ବିଧାନସଭା ଘେରାଉ ହେବ । ବିଜେପି ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଇରାସିସ୍ ଆଚାର୍ଯ୍ୟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି ଯେ, ମମିତା ମେହେର ଅପହରଣ ଓ ହତ୍ୟାକାଣ୍ଡ ଘଟଣାର ମୁଖ୍ୟ ଷଡଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କୁ ରାଜ୍ୟ ସରକାର ସଂପୂର୍ଣ୍ଣ ସୁରକ୍ଷା ପ୍ରଦାନ କରୁଛନ୍ତି । ଏପରିକି ଖୋଦ୍ ମୁଖ୍ୟମନ୍ତ୍ରୀ କଳାହାଣ୍ଡିରେ ଅଭିଯୁକ୍ତ ମନ୍ତ୍ରୀଙ୍କ ସହ ଗୋଟିଏ ମଞ୍ଚରେ ବସି ରହି ଅପରାଧକୁ ଆହୁରି ଅଧିକ ପ୍ରୋତ୍ସାହିତ କରିଛନ୍ତି । ଘଟଣା ଘଟିବାର ଏତେଦିନ ବିତି ଯାଇଥିବା ସତ୍ତ୍ବେ ମୁଖ୍ୟମନ୍ତ୍ରୀ ବର୍ତମାନ ସୁଦ୍ଧା ପଦୁଟିଏ ବି ରାଜ୍ୟବାସୀଙ୍କ ଉଦ୍ଦେଶ୍ୟରେ ନ କହିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ଅନ୍ୟପକ୍ଷରେ ବିଜେଡି ନେତୃବୃନ୍ଦ ଘଟଣାର ତଥ୍ୟ ଓ ପ୍ରମାଣ ଦେବାକୁ ବିଜେପିକୁ କହିବା ଅତ୍ୟନ୍ତ ହାସ୍ୟସ୍ପଦ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି । ମୁଖ୍ୟ ଷଡଯନ୍ତ୍ରକାରୀ ତଥା ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ନିଜ ପଦ ଓ କ୍ଷମତାର ଅପବ୍ୟବହାର କରି ତଦନ୍ତ ପ୍ରକ୍ରିୟାକୁ ବାଟବଣା କରୁଛନ୍ତି । ତେଣୁ ମୁଖ୍ୟମନ୍ତ୍ରୀ ତୁରନ୍ତ ତାଙ୍କୁ ମନ୍ତ୍ରିମଣ୍ଡଳରୁ ବହିଷ୍କାର କରନ୍ତୁ ଏବଂ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରିବାକୁ ବିଜେପି ତରଫରୁ ବାରମ୍ବାର ଦାବି କରାଯାଉଥିଲେ ବି ରାଜ୍ୟ ସରକାର ଶୁଣୁନାହାନ୍ତି । ମମିତାଙ୍କୁ ନ୍ୟାୟ ପ୍ରଦାନ, ଦିବ୍ୟଶଙ୍କରଙ୍କୁ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ନିରପେକ୍ଷ ତଦନ୍ତ ସିବିଆଇ ଦ୍ୱାରା କରାଇବା ଦାବିରେ ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ରାଜ୍ୟବ୍ୟାପୀ ଥାନା ଘେରାଉ, ଏସ୍‌ପି କାର୍ଯ୍ୟାଳୟ ଘେରାଉ, ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଉ କରାଯାଇ ଆନ୍ଦୋଳନ ହୋଇଥିଲା । ତଥାପି ରାଜ୍ୟ ସରକାର ନିରବଦ୍ରଷ୍ଟା ସାଜିଛନ୍ତି । ଏହି ଆନ୍ଦୋଳନକୁ ଆହୁରି ଅଧିକ ଶାଣିତ କରିବାକୁ ଏବଂ ତୃଣମୂଳ ସ୍ତରକୁ ପହଞ୍ଚାଇବା ପାଇଁ ଯୁବମୋର୍ଚ୍ଚା ତରଫରୁ ଆସନ୍ତା ୯ ତାରିଖ ଦିନ ବିଧାନସଭା ଘେରାଉ କରାଯିବ। ଏଥିରେ ହଜାର ହଜାର ସଂଖ୍ୟାରେ ଯୁବମୋର୍ଚ୍ଚା କାର୍ଯ୍ୟକର୍ତାଙ୍କ ସମେତ ବହୁ ବରିଷ୍ଠ ନେତୃବୃନ୍ଦ ଯୋଗଦେବେ । ଯେ ପର୍ଯ୍ୟନ୍ତ ରାଜ୍ୟ ସରକାର କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିବେ ସେ ପର୍ଯ୍ୟନ୍ତ ଯୁବମୋର୍ଚ୍ଚା ଏହି ଲଢେଇ ଜାରି ରଖିବ ବୋଲି ଶ୍ରୀ ଆଚାର୍ଯ୍ୟ କହିଛନ୍ତି ।

Leave a Reply

Your email address will not be published. Required fields are marked *