ସାନଖେମୁଣ୍ଡି : ଗାଁକୁ ରାସ୍ତା ନାହିଁ । ଆସି ପାରିଲାନି ଆମ୍ବୁଲାନ୍ସ । ଭାରରେ ବୁହା ହେଲେ ମହିଳା । ଏପରି ଘଟଣା ସାମ୍ନାକୁ ଆସିଛି ଗଞ୍ଜାମ ଜିଲ୍ଲା ପାତ୍ରପୁର ବ୍ଲକରେ ଥିବା କୁରୁଗଡ଼ ଗ୍ରାମରେ । ବର୍ଷ ବର୍ଷ ହେଲା ନିର୍ମାଣ ହୋଇନି ପକ୍କା ରାସ୍ତା । ମୌଳିକ ସୁବିଧା ସୁଯୋଗରୁ ବଞ୍ଚିତ ହେଉଛନ୍ତି ଲୋକେ । ରାସ୍ତା ନଥିବାରୁ ନାହିଁ ନଥିବା ଅସୁବିଧାର ସାମ୍ନା କରୁଛନ୍ତି ଗ୍ରାମବାସୀ । ତେବେ ଗ୍ରାମରୁ ଏକ ସମ୍ବେଦନଶୀଳ ଚିତ୍ର ସାମ୍ନାକୁ ଆସିଛି । ସୋମବାର ବିଳମ୍ବିତ ରାତିରେ ରାସ ନାମକ ଜଣେ ମହିଳା ରୋଗୀ ଦୀର୍ଘ ୬ କିଲୋମିଟର ଭାରରେ ବୁହା ହୋଇଥିଲେ । ଶେଷରେ ପାତ୍ରପୁର ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରରେ ତାଙ୍କୁ ପ୍ରାଥମିକ ଚିକିତ୍ସା ପରେ ବ୍ରହ୍ମପୁର ବଡ଼ ମେଡ଼ିକାଲ ପର୍ଯ୍ୟନ୍ତ ଅଣାଯାଇଥିଲା । ମହିଳା ଜଣଙ୍କ ଅସୁସ୍ଥ ହୋଇ ପଡିବାରୁ ତାଙ୍କର ଦୁଇ ପୁଅ ସଂଜୟ ଓ ନୀରଙ୍କ ସହ ଅନ୍ୟ କିଛି ଯୁବକ ତାଙ୍କୁ ବୋହିଥିଲେ । ପରେ ଟାଟା ମ୍ୟାଜିକ୍ ଯୋଗେ ୧ କିମି ଦୂର ଆଙ୍କୁଲି ଗ୍ରାମ ପର୍ଯ୍ୟନ୍ତ ଅଣାଯାଇଥିଲା । ସେଠାରେ ଦୁଇଘଣ୍ଟା ଆଗରୁ ଜଗି ରହିଥିବା ଆମ୍ବୁଲାନ୍ସ ଯୋଗେ ରାସଙ୍କୁ ପାତ୍ରପୁର ଡାକ୍ତରଖାନାକୁ ଅଣାଯାଇଥିଲା । ଏବେ ସେ ବଡ ମେଡିକାଲରେ ଚିକିତ୍ସିତ ହେଉଛନ୍ତି ।
