ଭୁବନେଶ୍ୱର : ବେଆଇନ୍ ଅର୍ଥ କାରବାର ଓ ଜମାକାରୀଙ୍କୁ ଠକେଇ ଅଭିଯୋଗରେ ଭିଡ଼ିଏସ ଇଣ୍ଡିଆ ନିର୍ଦ୍ଦେଶକ ଗିରଫ । କ୍ୟୁ- ନେଟ ସ୍କାମର ଅନ୍ୟତମ ଅଭିଯୁକ୍ତ ଅରବିନ୍ଦ କୁମାରଙ୍କୁ ଗିରଫ କରିଛି କ୍ରାଇମବ୍ରାଞ୍ଚର ଇଓଡବ୍ୟୁ । ଜମାକାରୀଙ୍କୁ ଟଙ୍କା ଠକେଇ ଅଭିଯୋଗରେ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଖବର ଅନୁଯାୟୀ, କ୍ୟୁ ନେଟ୍ର ଫ୍ରାଞ୍ଚାଇଜ୍ ଆଣିଥିଲେ ଅରବିନ୍ଦ । ହଂକଂ ସ୍ଥିତ ମଲ୍ଟି ଲେବେଲ୍ ମାର୍କେଟିଂ ସଂସ୍ଥା ହେଉଛି ‘କ୍ୟୁ ନେଟ୍’ । ଏହାର ଫ୍ରାଞ୍ଚାଇଜି ଭାରତରେ ବିହାନ ଡାଇରେକ୍ଟ ସେଲିଙ୍ଗ ପ୍ରାଇଭେଟ୍ ଲିମିଟେଡ୍ ଅଟେ । କେନ୍ଦ୍ରାପଡ଼ା ଜିଲ୍ଲାର ପଳାଇ ଗାଁରେ ଅରବିନ୍ଦଙ୍କ ଘର । ତାଙ୍କୁ ଆଇପିସିର ଧାରା ୪୦୬, ୪୨୦, ୪୬୭, ୪୬୮, ୪୭୧, ୧୨୦ ବି ଓ ସେକ୍ସନ ୪, ୫, ୬ ଚିଟଫଣ୍ଡ ଏବଂ ମନି ସର୍କୁଲେସନ୍ ସ୍କିମ ଓ ସେକ୍ସନ ୬ ଓପିଆଇଡି ଆକ୍ଟରେ ଗିରଫ କରିଛି । ଚନ୍ଦନ ମହାଳିକ, ଶରତ ପରିଡା, ଦେବବ୍ରତ ହରିଚନ୍ଦନ, ପ୍ରଶାନ୍ତ କୁମାର ମହାନ୍ତି ଓ ଅରବିନ୍ଦ କୁମାର ଏହାର ଡାଇରେକ୍ଟର ଅଟନ୍ତି । ଏମାନେ ବେଆଇନ ଟଙ୍କା କାରବାର କରୁଥିଲେ ଓ ଜମାକାରୀଙ୍କ ଠାରୁ କୋଟି କୋଟି ଟଙ୍କା ଠକି ନେଇଛନ୍ତି । ପୂର୍ବରୁ ଏହି ମାମଲାରେ ଶରତ କୁମାର ପରିଡା, ଦେବବ୍ରତ ହରିଚନ୍ଦନ, ଚନ୍ଦନ କୁମାର ମହାଳିକ ଓ ପ୍ରଶାନ୍ତ କୁମାର ମହାନ୍ତି ଗିରଫ ହୋଇସାରିଛନ୍ତି । ୩୧ଜଣ ଜମାକାରୀଙ୍କ ଠାରୁ ୧.୨ କୋଟି ଟଙ୍କା ଠକି ନେଇଥିବା ସୂଚନା ରହିଛି ।
