ଭୁବନେଶ୍ୱର:ନୂଆ କାହାଣୀ ଲେଖିଲେ ଲେଖା ରାମ ବଙ୍ଗୋମୁଣ୍ଡା ବ୍ଲକ ଜଲପ୍ ଗାଁର ଦିବ୍ୟାଙ୍ଗ ଲେଖାରାମ ଓଏଏସ୍ରେ ୧୦୫ ରାଙ୍କ ପାଇଛନ୍ତି।
ଲେଖାରାମ ୮ ବର୍ଷର ହୋଇଥିବା ବେଳେ ତାଙ୍କର ଦୃଷ୍ଟିଶକ୍ତି ଚାଲି ଯାଇଥିଲା। ପିଲା ବେଳରୁ ଭଲ ପାଠ ପଢୁଥିବା ଲେଖାରାମ ଏଥିରେ ହାର୍ ମାନି ନଥିଲେ। ଭୁବନେଶ୍ୱର ଭୀମ ଭୋଇ ଦୃଷ୍ଟିହୀନ ବିଦ୍ୟାଳୟରେ ସେ ପାଠ ପଢ଼ିବା ଆରମ୍ଭ କରିଥିଲେ।
ଏହି ସମୟରେ ସିଭିଲ ସର୍ଭିସ ପରୀକ୍ଷା ଦେବାକୁ ତାଙ୍କର ଆଗ୍ରହ ସୃଷ୍ଟି ହୋଇଥିଲା। ନାନା ଅସୁବିଧା ସତ୍ତ୍ୱେ ଆଜି ସେ ସଫଳତାର ସହ ଓଏଏସ୍ ପରୀକ୍ଷାରେ କୃତକାର୍ଯ୍ୟ ହୋଇଛନ୍ତି।
ଲେଖାରାମଙ୍କ ଏହି ସଫଳତାର ଖବର ଜଣାପଡ଼ିବା ପରେ ତାଙ୍କ ଗାଁ ଜଲପ୍ରେ ଖୁସିର ମାହୋଲ ଦେଖା ଦେଇଛି।
ଲେଖାରାମ କହିଛନ୍ତି, “ସଂଘର୍ଷମୟ ଜୀବନ ଥିଲା। ବଲାଙ୍ଗିରରୁ ଏକ ଗରିବ ପରିବାରୁ ଯାଇ ଭୁବନେଶ୍ୱରରେ ପାଠ ବଢ଼ିବା ବହୁତ କଷ୍ଟକର ଥିଲା। ପରିବାର ଲୋକଙ୍କ ସହଯୋଗ ଓ ନିଜ ଇଚ୍ଛାଶକ୍ତି ବଳରେ ଆଜି ମୁଁ ଏହି ସଫଳତା ପାଇପାରିଛି।”
ସେ ଆହୁରି କହିଛନ୍ତି, “ଛୋଟ ଛୋଟ ସଂଗଠନ ସହ ମିଶି କାମ କରିଛି। ଏହି ସମୟରେ ଲୋକଙ୍କ ମଧ୍ୟରେ ଥିବା ଗ୍ୟାପ୍ (ଦୂରତା) ମୁଁ ଜାଣିଛି। ଏହି ଦୂରତାକୁ କମାଇବା କ୍ଷେତ୍ରରେ କାମ କରିବି। ଏହାଦ୍ୱାରା ଲୋକଙ୍କର ସଠିକ୍ ବିକାଶ ହୋଇପାରିବ।”
