ଆଠଗଡ଼ : ଅଗକୁ ଆସୁଛି ପଞ୍ଚାୟତ ନିର୍ବାଚନ ଏପଟେ ଅଶାନ୍ତ ହେଲାଣି ଆଠଗଡ଼ ବ୍ଲକ ଅନ୍ତର୍ଗତ ମହାକାଳବସ୍ତ ଗାଁ । ଏ ନେଇ ଗ୍ରାମବାସୀଙ୍କ ପକ୍ଷରୁ ସ୍ଥାନୀୟ ଶିବ ମନ୍ଦିର ପ୍ରାଙ୍ଗଣରେ ଏକ ସାମ୍ବାଦିକ ସମ୍ମିଳନୀ କରି ସରପଞ୍ଚ ସାବିତ୍ରୀ ରାଉତ ଗ୍ରାମବାସୀଙ୍କ ନାମରେ ଯେଉଁ ସବୁ ଅଭିଯୋଗ ଆଣିଛନ୍ତି ତାହା ମିଥ୍ୟା ଆରୋପ ବୋଲି କହିଛନ୍ତି । ଏଥିସହ ଗତ ମେ ମାସରେ ଗ୍ରାମରେ ଥିବା ପୋଖରୀରୁ ମାଛମାରା ଘଟଣାକୁ ନେଇ ସରପଞ୍ଚଙ୍କ ପୁଅ ଗ୍ରାମ ସଭାରେ ଗ୍ରାମବାସୀଙ୍କୁ ଅସଦାଚଣ କରିବା ସହ ଆକ୍ରମଣ କରିଥିବା ଗ୍ରାମବାସୀ ଅଭିଯୋଗ ଆଣିଛନ୍ତି ।
ଏ ଘଟଣା ନେଇ ସରପଞ୍ଚ ଏବଂ ଗ୍ରାମବାସୀଙ୍କ ତରଫରୁ ପୃଥକ୍ ପୃଥକ୍ ଖୁଣ୍ଟୁଣି ଥାନାରେ ଏତେଲା ଦିଆଯାଇଥିଲା । ପରେ ସରପଞ୍ଚଙ୍କ ପୁଅ ଆଲୋକ ବଳିଆର ସିଂହ ଗାଁର ଜୈନିକ ଯୁବକ ରାଜେନ୍ଦ୍ର ପୁହାଣକୁ ଅପହରଣ କରିବା ଓ ହତ୍ୟା ଧମକ୍ ଦେଇଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଗ୍ରାମବାସୀଙ୍କ ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା । ସେହିଦିନ ସନ୍ଧ୍ୟାରେ ରାଜେନ୍ଦ୍ରକୁ ଅଚେତ୍ ଅବସ୍ଥାରେ ଖୋର୍ଦ୍ଧା ପାଟପୁରା ଅଞ୍ଚଳରୁ ଉଦ୍ଧାର କରାଯାଇଥିଲା। ଏହି ଘଟଣାରେ ସରପଞ୍ଚଙ୍କ ପୁଅଙ୍କ ହାତ ଥିବା ଅଭିଯୋଗ ଆଣିବା ସହିତ ଯଦି ଗ୍ରାମବାସୀଙ୍କୁ ନ୍ୟାୟ ନମିଳେ ଆଗମୀ ଦିନରେ ନବୀନ ନିବାସ ଆଗରେ ପିଲାଛୁଆ ଧରି ଧାରଣା ଦେବେ ବୋଲି କହିଛନ୍ତି ମହାକାଳବସ୍ତ ଗ୍ରାମବାସୀ ।
ଅନ୍ୟପଟେ ନିଜ ଜୀବନ ପ୍ରତି ବିପଦ ଥିବା ଦର୍ଶାଇ ସରପଞ୍ଚ ସାବିତ୍ରୀ ରାଉତଙ୍କ ପରିବାର ଅଭିଯୋଗ ଆଣି ନବୀନ ନିବାସ ଆଗରେ ଧାରଣା ଦେବାକୁ ଯାଇଥିବା ସୂଚନା ମିଳିଛି । ଅନ୍ୟ ପଟେ ଏହାକୁ ଗ୍ରାମବାସୀମାନେ ସରପଞ୍ଚଙ୍କ ପରିବାର ଲୋକ ନିଜକୁ ଲୋକ ଲୋଚନକୁ ଆଣିବା ହୀନ ପ୍ରୟାସ ବୋଲି ଅଭିଯୋଗ କରିଛନ୍ତି ।
