ମାରଣାସ୍ତ୍ର ମୁନରେ ପୁଣି ପେଟ୍ରୋଲ ପମ୍ପରୁ ଲୁଟ

ବାରିପଦା : ଲୁଟେରାଙ୍କ ଟାର୍ଗେଟରେ ଏବେ ପେଟ୍ରୋଲ ପମ୍ପ । ମାରଣାସ୍ତ୍ର ମୁନରେ ପୁଣି ପେଟ୍ରୋଲ ପମ୍ପରୁ ଲୁଟ । ମୟୂରଭଞ୍ଜ ଜିଲ୍ଲାରେ ଗତ କିଛି ଦିନ ଭିତରେ ଚାରି ଥର ହେଲାଣି ଏଭଳି ଲୁଟ। ଗତକାଲି ରାତି ପ୍ରାୟ ୯.୩୦ ସମୟରେ ୧୮ ନଂ ଜାତୀୟ ରାଜପଥ ମଞ୍ଚବନ୍ଧା ନିକଟରେ ଥିବା ଏସାର ପେଟ୍ରୋଲ ପମ୍ପରେ ହୋଇଛି ଏଭଳି ଘଟଣା । ପେଟ୍ରୋଲ ପମ୍ପ ବନ୍ଦ କରିବାକୁ ଯାଉଥିବା ସମୟରେ ପେଟ୍ରୋଲ ପକାଇବାକୁ କହି ଗୋଟିଏ ବାଇକରେ ତିନିଜଣ ଦୁର୍ବୃତ୍ତ ଆସି ବନ୍ଧୁକ ଦେଖାଇ ଲୁଟ କରିଛନ୍ତି ।

ଦୁର୍ବୃତ୍ତମାନେ ବନ୍ଧୁକ ମୁନରେ କାର୍ଯ୍ୟରତ କର୍ମଚାରୀଙ୍କୁ ଧମକାଇ ଟଙ୍କା ବ୍ୟାଗ ଦେଖି ଟଙ୍କା ଲୁଟ କରି ଫେରାର ହୋଇଯାଇଛନ୍ତି । ସମସ୍ତ ଘଟଣାର ଦୃଶ୍ୟ ସିସିଟିଭି ଫୁଟେଜରେ କଏଦ ହୋଇଛି । ତେବେ ଏହି ଘଟଣା ମୟୂରଭଞ୍ଜ ଜିଲ୍ଲାରେ ସମାନ ପ୍ରକାର ଢଙ୍ଗରେ ବାରମ୍ବାର ଘଟୁଥିବା ବେଳେ ପେଟ୍ରୋଲ ପମ୍ପ ମାଲିକ ଓ କର୍ମଚାରୀ ଭୟଭୀତ ଥିବା ସୂଚନା ଦେଇଛନ୍ତି । ପୂର୍ବରୁ ଦଶ ଦିନ ମଧ୍ୟରେ ପ୍ରଥମେ ବହଳଦା-ରାଇରଙ୍ଗପୁର ରାସ୍ତା ମଧ୍ୟବର୍ତ୍ତୀ ବାସିଙ୍ଗି ଅଞ୍ଚଳର ନୀଳମାଧବ ପେଟ୍ରୋଲ ପମ୍ପରୁ ବନ୍ଧୁକ ମୁନରେ ଲୁଟ, ପରବର୍ତ୍ତୀ ସମୟରେ ୧୧ ତାରିଖରେ ବୈଶିଙ୍ଗା ଥାନା ଅନ୍ତର୍ଗତ ମାଣତ୍ରି ଅଞ୍ଚଳରୁ ଲୁଟ ହୋଇଥିଲା ।

ଶେଷରେ ୧୨ ତାରିଖରେ ସମାନ ଭାବରେ ବନ୍ଧୁକ ଦେଖାଇ ଖୁଣ୍ଟା ଥାନା ଅନ୍ତର୍ଗତ “ମା ଭୁବନେଶ୍ୱରୀ” ପେଟ୍ରୋଲ ପମ୍ପରୁ ଟଙ୍କା ବ୍ୟାଗ ଲୁଟ କରିନେଇଛନ୍ତି ଦୁର୍ବୁତ୍ତ । ସେପଟେ ଏହି ସମସ୍ତ ଘଟଣାର ସିସିଟିଭି ଫୁଟେଜ ରହିଥିବା ବେଳେ ପୋଲିସ ଏପର୍ଯ୍ୟନ୍ତ କୌଣସି ଲୁଟେରାଙ୍କ ଟେର ନପାଇବା ଏବେ ପେଟ୍ରୋଲ ପମ୍ପ ମାଲିକଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି ।

Leave a Reply

Your email address will not be published. Required fields are marked *