ଭୁବନେଶ୍ୱର : କଂଗ୍ରେସର ୬ ଘଣ୍ଟିଆ ହରତାଳକୁ ସମାଲୋଚନା କରିଛି ବିଜେଡି। ଏହାକୁ ଏକ ‘ଜୋକ୍’ ବୋଲି କହିଛନ୍ତି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ସସ୍ମିତ ପାତ୍ର। ସାମ୍ବାଦିକ ସମ୍ମିଳନୀରେ ଓଡ଼ିଶା କଂଗ୍ରେସର ଏହି ହରତାଳ ବିଫଳ ହୋଇଥିବା ପ୍ରକାଶ କରି ସେ କହିଛନ୍ତି, ଓଡିଶାବାସୀ ବିଜେପି ପ୍ରାୟୋଜିତ ଓଡିଶା କଂଗ୍ରେସର ହରତାଳକୁ ସମର୍ଥନ କରିନାହାନ୍ତି। ରାଜ୍ୟରେ କଂଗ୍ରେସର ସ୍ଥିତି ଦ୍ରୁତ ଗତିରେ ହ୍ରାସ ପାଉଛି। ଏହା ଲୋକଙ୍କ ସମସ୍ୟା ଉପରେ ଦୃଷ୍ଟି ନ ଦେଇ ବିଜେପିର ବି-ଟିମ୍ ଭାବେ କାର୍ଯ୍ୟ କରୁଛି। ଏହି ବିଫଳତା ଉଭୟ ଓଡିଶା କଂଗ୍ରେସ ଏବଂ ଓଡିଶା ବିଜେପି ପାଇଁ ଏକ ସତର୍କ ଘଣ୍ଟି। ମହିଳାଙ୍କ ସହ ଜଡିତ ସମ୍ବେଦନଶୀଳ ଅପରାଧ ଘଟଣାକୁ ନେଇ ରାଜନୀତି ଜାରି ରଖିଲେ ରାଜ୍ୟବାସୀ ସେମାନଙ୍କୁ ପ୍ରତ୍ୟାଖ୍ୟାନ କରିବେ ବୋଲି ସେ କହିଛନ୍ତି। ଶ୍ରୀ ପାତ୍ର କହିଛନ୍ତି, କରୋନା ମହାମାରୀ ସମୟରେ ଓଡିଶା ବିଜେପି ଦ୍ୱାରା ପ୍ରାୟୋଜିତ ଓଡିଶା କଂଗ୍ରେସର ଏହି ହରତାଳ ସାଢ଼େ ଚାରି କୋଟି ଲୋକଙ୍କ ପାଇଁ ନିଷ୍ଠୁରତା କହିଲେ ଭୁଲ୍ ହେବ ନାହିଁ। ପୀଡିତାଙ୍କ ପିତା ଏହି ସମ୍ବେଦନଶୀଳ ଘଟଣାକୁ ନେଇ ରାଜନୀତି ନ କରିବାକୁ ଏବଂ ତାଙ୍କ ଘରକୁ ନ ଆସିବାକୁ ଅନୁରୋଧ କରିଥିଲେ। କିନ୍ତୁ କଂଗ୍ରେସ ଏବଂ ବିଜେପି ଏହାକୁ ସମ୍ମାନ ଦେଇନାହାନ୍ତି। ଯଦି ଏହି ଦୁଇ ରାଜନୈତିକ ଦଳ ନିକଟରେ କିଛି ପ୍ରମାଣ ଅଛି, ତେବେ ସେମାନେ ଅଦାଲତରେ ତାହା ଦାଖଲ କରନ୍ତୁ ଏବଂ ଆଇନ୍ ତାହା ଉପରେ ନିଷ୍ପତ୍ତି ନେବ ବୋଲି ସେ କହିଛନ୍ତି। କଂଗ୍ରେସ ଦଳର କାଁ ଭାଁ କର୍ମୀ ହରତାଳ ପାଇଁ ବାହାରକୁ ଆସିଥିଲେ। ଏଥିରୁ ଜଣାପଡୁଛି ସେମାନେ ଏଭଳି ସମ୍ବେଦନଶୀଳ ପ୍ରସଙ୍ଗକୁ ନେଇ ରାଜନୀତି କିମ୍ବା ହରତାଳରେ ଖୁସି ନାହାନ୍ତି। କଂଗ୍ରେସ ଏଥିରୁ କୌଣସି ଶିକ୍ଷା ଗ୍ରହଣ କରି ନାହିଁ ବରଂ ମହିଳାଙ୍କ ସହ ଜଡିତ ଜଘନ୍ୟ ଅପରାଧ ଉପରେ ଶସ୍ତା ରାଜନୀତି ଜାରି ରଖିଛି। ଯେତେବେଳେ ରାହୁଲ ଗାନ୍ଧୀଙ୍କ ସମେତ ଦିଲ୍ଲୀର କଂଗ୍ରେସ ନେତୃବୃନ୍ଦ ରନ୍ଧନ ଗ୍ୟାସ, କୃଷକ ପ୍ରସଙ୍ଗ ଆଦି ଉପରେ ଆନ୍ଦୋଳନ କରୁଛନ୍ତି, ସେତେବେଳେ ଓଡିଶା ବିଜେପି ପ୍ରାୟୋଜକ ଥିବାରୁ ଓଡିଶା କଂଗ୍ରେସ ଏହି ସବୁ ପ୍ରସଙ୍ଗରେ ନିରବ ରହିଛି। ସାମ୍ବାଦିକ ସମ୍ମିଳନୀରେ ଦଳର ଅନ୍ୟତମ ମୁଖପାତ୍ର ଏଲିନା ଦାସ ଉପସ୍ଥିତ ଥିଲେ।
